Odiapua.com

ଦଣ୍ଡଯାତ୍ରା ସହ ଝାମୁନାଚ ଉଦ୍‌ଯାପିତ

ନୟାଗଡ଼, ୧୪ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚାଲିଥିବା ଦଣ୍ଡଯାତ୍ରା ସହ ଝାମୁନାଚ ଉଦ୍‌ଯାପିତ ହୋଇଯାଇଛି। କରୋନା କଟକଣା ଯୋଗୁଁ ଦଣ୍ଡଯାତ୍ରା ଫିକା ପଡ଼ିଯାଇଥିଲେ ମଧ୍ୟ ଗାଁ ଠାରୁ ସହରପର୍ଯ୍ୟନ୍ତ ଦଣ୍ଡଯାତ୍ରା ସାଙ୍ଗକୁ ପାରମ୍ପରିକ ଝାମୁନାଚର ବିଭିନ୍ନ ସୁଆଙ୍ଗ ଦେଖିବାକୁ ଗାଁ ଗହଳିରେ ଲୋକମାନଙ୍କ ଉତ୍ସାହ ଦେଖାଯାଇଥିଲା।। ଏହି ଦଣ୍ଡଯାତ୍ରା କେଉଁଠି ୨୧ ଦିନିଆ, କେଉଁଠି ୧୬, କେଉଁଠି ୧୩, କେଉଁଠି ୯, କେଉଁଠି ୭ ଓ ୫ ଦିନଧରି ପାଳନ କରାଯାଇଥାଏ। ଦଣ୍ଡଯାତ୍ରାରେ ପାଟ ଭଗତା ଓ ପାଟ ଦଣ୍ଡୁଆ ମୁଖ୍ୟ କାର୍ଯ୍ୟ ନିର୍ବାହ କରିଥାନ୍ତି। ଯେଉଁ ଗାଁକୁ ଦଣ୍ଡଠାକୁର ମାନସିକଧାରୀଙ୍କ ଦୁଆରେ ଭୋଗ ସାରିଥାନ୍ତି ସେଠାରେ ରାତିରେ ଝାମୁନାଚ ପରିବେଷଣ ହୋଇଥାଏ। ଚଢେଇଚଢେୟାଣୀ, ଫୁଲଚୋରୀ, ପରତସଉରା, ବୀଣାକାର, ଯୋଗୀଯୋଗିଆଣୀ, କେଳାକେଳୁଣୀ ଆଦି ପାରମ୍ପରିକ ନାଚରେ ପୁରପଲ୍ଲୀର ଲୋକମାନେ ରାତିସାରା ଅନିଦ୍ରା ହୋଇ ଅତି କୌତୁହଳ ସହ ନାଚ ଦେଖୁଥିବା ପରିଲକ୍ଷିତ ହୋଇଥିଲା।