Odiapua.com

ଦଣ୍ଡମୁକ୍ତ ଅଂଚଳ ପ୍ରହସନରେ ପରିଣତ : ଛାତ୍ରୀଙ୍କୁ ମାଡମାରି ପ୍ରଧାନ ଶିକ୍ଷୟତ୍ରୀ ଜେଲ୍ ଗଲେ

ଜଗତ୍ସିଂହପୁର ୨୨/୧୨ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ୍ ) କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲିନା ନନ୍ଦ ତୃତୀୟ ଶ୍ରେଣୀ ଛାତ୍ରୀ ବର୍ଷା ସ୍ୱାଇଁ (୯)ଙ୍କୁ ମାଡମାରି ଗୁରୁତର କରିବା ଯୋଗୁ ଜନୈକା ଶିକ୍ଷୟତ୍ରୀ ଆଜି କୋର୍ଟ ଚାଲାଣ ହୋଇ ଜେଲ୍ ଯାଇଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣାରୁ ପ୍ରକାଶ ଯେ ବାଲିତୁଠ ଗ୍ରାମର ଜନ୍ ସ୍ୱାଇଁଙ୍କ ଝିଅ ବର୍ଷା ସ୍ୱାଇଁ ପ୍ରତିଦିନ ପରି ବାଲିତୁଠ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯାଇଥାଏ। ଆଜି ସ୍କୁଲରେ ପାଠ ନପଢ଼ି ଚଗଲାମି କରିବାରୁ ପ୍ରଧାନ ଶିକ୍ଷୟତ୍ରୀ ଉକ୍ତ ଛାତ୍ରୀଙ୍କୁ ବେତ ବାଡିରେ ବାଡେଇ ବାଡେଇ ଲହୁଲୁହାଣ କରିବା ସହିତ ଗାଲ, କାନମୁଣ୍ଡାରେ ଚଟକଣା ମାରିଥିବାରୁ ଛାତ୍ରୀଟି ଗୁରୁତର ହୋଇପଡିଥିଲା। ପରିବାର ଲୋକେ ଏହା ଜାଣି ତାକୁ ବାଲିତୁଠ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଇବା ସଂଗେ ସଂଗେ ଝିଅର ବାପା ଜନ୍ ସ୍ୱାଇଁ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୁଜଙ୍ଗ ଥାନା ଅଧିକାରୀ ଦିଲ୍ଳୀପ କୁମାର ସାହୁ ଅଭିଯୋଗର ତଦନ୍ତ କରିବା ସଂଗେ ସଂଗେ ଅଭିଯୁକ୍ତ ଶିକ୍ଷୟତ୍ରୀଙ୍କୁ କେସ୍ ନମ୍ବର ୨୯୧/୧୯, ଦଫା ୩୪୧, ୩୨୩, ୩୦୭ ଆଇପିସି ଓ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ୭୫ରେ ମାମଲା ରୁଜୁ କରି ଶିକ୍ଷୟତ୍ରୀଙ୍କୁ କୋର୍ଟ ଚାଲାଣ କରିଥିଲେ। କୋର୍ଟରେ ତାଙ୍କର ଜାମିନ୍ ନାମାଞ୍ଜୁର ହେବାରୁ ଶିକ୍ଷୟତ୍ରୀଙ୍କୁ ସମାଗୋଳ ଉପକାରାଗାରକୁ ପଠାଇ ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ କି, ରାଜ୍ୟ ସରକାର ଦଣ୍ଡ ମୁକ୍ତ ଅଂଚଳ ଭାବେ ସ୍କୁଲକୁ ଘୋଷଣା କରିଥିବା ସହିତ ‘ପରି ପାଇଁ କଥାଟିଏ’ ଓ ‘ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ’ ବୋଲି ସମସ୍ତ ସ୍କୁଲ କାନ୍ଥବାଡରେ ଉକ୍ତ ଲେଖାଟି ଶୋଭା ପାଉଥିବାବେଳେ ବେଳେ ସ୍କୁଲ ପରିସରରେ ଛାତ୍ରୀଙ୍କୁ ମାଡମାରି ଗୁରୁତର କରିବା ଘଟଣା ଯେ କେହି ଦେଖିଲେ ତାହା ଦଣ୍ଡମୁକ୍ତ ଅଂଚଳ କେବଳ ପ୍ରହସନରେ ପରିଣତ ହୋଇଥିବା ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟସରକାରଙ୍କ ୫ଟି ଯୋଜନା ଦଣ୍ଡମୁକ୍ତ ଅଂଚଳରେ ଦଣ୍ଡ ପ୍ରଦାନ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରତି ଦୃଷ୍ଟିଦେବେ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।