Odiapua.com

ଦକ୍ଷିଣ ରାଉରକେଲା: ଏ-୧ରେ ପାସ୍ କଲେ ସୁବ୍ରତ ଓ ରୁଦ୍ର

ରାଉରକେଲା ୨୨-୫ (ଓଡ଼ିଆ ପୁଅ/ସୁବୋଧ ନାୟକ): ରାଜ୍ୟରେ ପ୍ରକାଶିତ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପାସ୍ ହାର ୭୦.୭୮ ପ୍ରତିଶତ ହୋଇଥିବା ବେଳେ, ସାରା ରାଜ୍ୟରେ ପୁଅକୁ ପଛରେ ପକାଇଛନ୍ତି ଝିଅ। ମାତ୍ର ଦକ୍ଷିଣ ରାଉରକେଲାରେ ସୋନାପର୍ବତ ହାଇସ୍କୁଲର ଛାତ୍ର ସୁବ୍ରତ ସାମଲ ଟପ୍ପର ହୋଇଥିବା ଖବର ମିଳିଛି। ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀରେ ଚଳିତ ବର୍ଷ ୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୮୩୬ ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ।। ଆଜି ମାଟ୍ରିକ ପରୀକ୍ଷା ଫଳ ପୂର୍ବାହ୍ନ ୧୧ଟାରେ ଅନ୍ଲାଇନରେ ଉପଲବ୍ଧ ହେବା ପରେ ଫଳ ଦେଖିବା ଲାଗି ଅଂଚଳରେ ଥିବା ନେଟ ପାର୍ଲର ଗୁଡ଼ିକରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଗହଳି ପରିଲିକ୍ଷିତ ହୋଇଥିଲା। ମାଟ୍ରିକ ପରୀକ୍ଷା ଭଲ ମାର୍କ ରଖି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନେ ନିଜ ପରିବାର ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଗହଣରେ ମିଠା ବାଂଟି ଖୁସିର ପରିପ୍ରକାଶ କରିଥିଲେ। ଅପରପକ୍ଷରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସହାର ଗତବର୍ଷ ଠାରୁ କମ୍ ରହିଥିବାରୁ କିଛି ଛାତ୍ରଛାତ୍ରୀ ମହଲରେ ନିରାଶର ବାତାବରଣ ଦେଖିବାକୁ ମିଳିଥିଲା।

ସାରନଗରୀର କିଛି ସ୍କୁଲରେ ପରୀକ୍ଷା ଫଳ ଆଶାଜନକ ହୋଇଥିବା ବେଳେ, ଆଉ କିଛି ବିଦ୍ୟାଳୟରେ ଆଶାଜନକ ପରୀକ୍ଷା ଫଳ ହୋଇପାରିନଥିବା ବିଦ୍ୟାଳୟ ସୂତ୍ରରୁ ପ୍ରକାଶ। ସୋନାପର୍ବତ ହାଇସ୍କୁଲର ସୁବ୍ରତ ସାମଲ ୫୬୧ ନମ୍ବର ରଖି ସ୍କୁଲରେ ଟପ୍ପର ହୋଇଛନ୍ତି। ସୋନାପର୍ବତ ସ୍କୁଲରେ ଏ-୧ରେ ଜଣେ, ଏ-୨ରେ ୨ ଜଣ, ବି-୧ରେ ୮ ଜଣ, ବି-୨ରେ ୧୦ ଜଣ, ସି ଗ୍ରେଡ଼ରେ ୧୪ ଜଣ, ଡି ଗ୍ରେଡ଼ରେ ୩୮ ଜଣ ଓ ଇ ଗ୍ରେଡ଼ରେ ୫୦ ଜଣ ମାଟ୍ରିକ ପାସ କରିଛନ୍ତି। ଉକ୍ତ ବିଦ୍ୟାଳୟରୁ ୧୮୫ ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେହିପରି ସାରନଗରୀ ସ୍ଥିତ ଆଦର୍ଶ ବିଦ୍ୟା ମନ୍ଦିରର ଛାତ୍ର ରୁଦ୍ର ନାରାୟଣ ସାହୁ ୫୪୦ ନମ୍ବର ରଖି ସ୍କୁଲରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ଆଦର୍ଶ ବିଦ୍ୟା ମନ୍ଦିରରେ ଏ-୧ରେ ଜଣେ, ଏ-୨ରେ ୬ ଜଣ, ବି-୧ରେ ୪ ଜଣ, ବି-୨ରେ ୨୫ ଜଣ, ସି ଗ୍ରେଡ଼ରେ ୨୭ ଜଣ, ଡି ଗ୍ରେଡ଼ରେ ୨୬ ଜଣ ଓ ଇ ଗ୍ରେଡ଼ରେ.. ୮ ଜଣ କୃତିତ୍ୱ ଅର୍ଜନ କରିଥିବା ଜଣାପଡ଼ିଛି। ଉକ୍ତ ବିଦ୍ୟାଳୟରୁ ୧୦୨ ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ। ଜ୍ଞାନୋଦୟ ଉଚ୍ଚବିଦ୍ୟାଳୟରେ ଛାତ୍ର କିଶୋର ରଂଜନ ମହାନ୍ତ ୫୦୮ ନମ୍ବର ରଖି ବିଦ୍ୟାଳୟରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ଏହି ସ୍କୁଲରେ ଏ-୨ରେ ଜଣେ, ବି-୧ରେ ୭ ଜଣ, ବି-୨ରେ ୬ ଜଣ, ସି ଗ୍ରେଡ଼ରେ ୧୯ ଜଣ, ଡି ଗ୍ରେଡ଼ରେ ୨୧ ଜଣ ଓ ଇ ଗ୍ରେଡ଼ରେ ୫ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ସଫଳ ହୋଇଥିବା ବେଳେ କୌଣସି ବିଦ୍ୟାର୍ଥୀ ଏହି ସ୍କୁଲର ଏ-୧ ଗ୍ରେଡ଼ରେ ଆସିପାରି ନାହାନ୍ତି। ଜ୍ଞାନୋଦୟ ଉଚ୍ଚବିଦ୍ୟାଳୟରେ ମୋଟ ୫୯ ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେହିପରି ଜଲଦା ହାଇସ୍କୁଲରେ ବି-୧ରେ ଜଣେ, ସି ଗ୍ରେଡ଼ରେ ୪ ଜଣ, ଡି ଗ୍ରେଡ଼ରେ ୩୨ ଜଣ ଓ ଇ ଗ୍ରେଡ଼ରେ ୫୭ ଜଣ ମାଟ୍ରିକ ପରୀକ୍ଷା ପାସ କରିଥିବା ବେଳେ, ଏହି ବିଦ୍ୟାଳୟରେ ମୋଟ ୧୪୮ ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ। ଫକୀର ମୋହନ ବିଦ୍ୟାପୀଠର ୪୨ ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫ ଜଣ ମାଟ୍ରିକ ପରୀକ୍ଷା ପାସ କରିଥିବା ଜଣାପଡ଼ିଛି। ଦେଓଗାଁ ସ୍ଥିତ ଉତ୍କଳମଣି ସରକାରୀ ଉଚ୍ଚବିଦ୍ୟାଳୟରେ ୮୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୯ ଜଣ ମାଟ୍ରିକ ପରୀକ୍ଷା ପାସ କରିଥିବା ଖବର ମିଳିଛି। ସାରନଗରୀ ସ୍ଥିତ ବିର୍ସାମୁଣ୍ଡା ଆଦର୍ଶ ବାଳିକା ବିଦ୍ୟାଳୟରେ ୪୭ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦ଜଣ ପାସ କରିଥିବା ଜଣାପଡ଼ିଛି। ଜଲଦା ବାଳିକା ଉଚ୍ଚ ବିଦ୍ୟାଳୟରେ ୩୯ ଜଣ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୬ ଜଣ ମାଟ୍ରିକ ପାସ କରିଥିବା ଖବର ହସ୍ତଗତ ହୋଇଛି।