Odiapua.com

ଥାନାରୁ ମୁକୁଳିଲା ମାହାଁଗା ସାଂସ୍କୃତିକ ସଭାରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଯୁବକ

କଟକ -୧୩/୧୨ (ଓଡ଼ିଆ ପୁଅ / ଅଭୟ ଜେନା) କଟକ ଜିଲ୍ଲା ମାହାଙ୍ଗା ଭଞ୍ଜ ମଣ୍ଡପରେ ରବିବାର ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସାହିତ୍ୟ ଓ ସଂସ୍କୃତି ମହୋତ୍ସବରେ ବହୁ କଳାକାର, କବି, ଲେଖକ ଏବଂ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରଥିବା ଯୁବକ ଜଣକ କିଏ, ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି।

ସୂଚନା ମୁତାବକ ନାଗଭୁଷଣ ସ୍ୱାଇଁ ନାମକ ଏହି ଯୁବକର କାରନାମାରୁ ବିରୋଧି ଫାଇଦା ଉଠା ଇବାକୁ ଚାହୁଁଥିବା ବେଳେ ଶାସକ ଦଳ ଭିନ୍ନ କଥା କହୁଛି।

ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥିଭାବେ ଆୟୋଜିତ ରାଜ୍ୟ ସ୍ତରୀୟ ଶରତ ଉତ୍ସବରେ ଯୋଗଦେଇଥିଲେ। ନିର୍ଦ୍ଧାରିତ ସମୟରେ ମଧ୍ୟ ଉତ୍ସବ ଉଦଘାଟିତ ହେଲା।

ଏହା ପରେ ଓଡିଶା ସଂଗୀତ ଏକାଡେମୀ ସଚିବ ପ୍ରବୋଧ ରଥ ସ୍ୱାଗତ ଭାଷଣ ଆରମ୍ଭ କଲେ।

ମାତ୍ର ଜଣେ ଯୁବକ ପାଇଁ ସାରସ୍ୱତ ସଭାଟି କିଛି ସମୟ ପାଇଁ ବିଶୃଙ୍ଖଳିତ ହୋଇପଡିଲା। ଏହି ସମୟରେ ସ୍ଥାନୀୟ ହଳଦିଆ ପଞ୍ଚାୟତ ବାଏନପୁର ଗାଁ’ର ଯୁବକ ନାଗଭୁଷଣ ସ୍ୱାଇଁ ହଠାତ ମଞ୍ଚ ଉପରକୁ ଉଠିଯିବା ଦେଖିବାକୁ ମିଳିଥିଲା। ତେବେ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ନାଗଭୁଷଣକୁ ମଞ୍ଚରୁ ତଳକୁ ନେଇଯାଇଥିଲେ। ତେବେ ମାନସିକସ୍ଥିତି ବିଗିଡି ଯାଇଥିବା ଏହି ଯୁବକ ଜଣକ ସୁରକ୍ଷା କର୍ମୀଙ୍କ ଉପରେ ରାଗିଯାଇଥିଲା।

ଯୁବକଙ୍କ ଅଶୋଭନୀୟ ଆଚରଣ ତା’ଙ୍କୁ ହୁଏତ ମହଙ୍ଗା ପଡିବ ଏକଥା ଜାଣିବା ଅବସ୍ଥାରେ ନଥିଲେ ଉଦ୍ଭ୍ରାନ୍ତ ଯୁବକ ଜଣକ। ତାଙ୍କର କାରନାମା ଅନ୍ୟମାନଙ୍କୁ ହଜମ ହୋଇନଥିଲା ଓ ଉତକ୍ଷିପ୍ତ ଲୋକେ ସେହି ଯୁବକଟିକୁ ମାଡ ମାରିବାକୁ ପଛାଇ ନଥିଲେ। ପୋଲିସ ଘଟଣାସ୍ଥଳୀରୁ ଯୁବକ ନାଗଭୁଷଣକୁ ଥାନାକୁ ନେଇଯାଇଥିଲା। ନାଗଭୁଷଣ ଏକ ସଂଭ୍ରାନ୍ତ ପରିବାରର ଯୁବକ ହୋଇଥିବା ବେଳେ ତା’ର ବାପା ଜଣେ ସରକାରୀ କର୍ମଚାରୀ ଥିଲେ। ଭାଇ ବ୍ୟବସାୟ କରୁଥିଲେ।

କିନ୍ତୁ ନାଗଭୁଷଣ ବିଭିନ୍ନ ସମୟରେ ନିଶାସକ୍ତ ହୋଇ ଅଶୋଭନୀୟ ଆଚରଣ ଦେଖେଇଥିବା କୁହାଯାଏ। ଇନ୍ଦିରା ଆବାସ କିମ୍ବା ବିଜୁ ପକ୍କାଘର ତଥା ପ୍ରଧାନମନ୍ତ୍ରୀ ଆବାସ ପାଇବାକୁ ସେ ଯୋଗ୍ୟ ନୁହଁନ୍ତି ବୋଲି ତଦନ୍ତ ରିପୋର୍ଟରେ ପ୍ରଶାସନ ଦର୍ଶାଇଛି।

ସରକାରୀ ଚାକିରିଆ ପରିବାରରେ ଏକକ ଆଇଡିରେ ତାଙ୍କ ନାମ ଆସୁଥିବାରୁ ସ୍ଥାନୀୟ ପଂଚାୟତ ତାଙ୍କୁ ପକ୍କା ଘର ଯୋଗାଇବା ସମ୍ଭବ ହେଉନି ବୋଲି ଆଲୋଚନା ହେଉଛି।

ବିଶୃଙ୍ଖଳ ଆଚରଣ ପାଇଁ ଥାନାରେ ଅଟକ ଯୁବକ ପୂର୍ବରୁ ଏସସିବି ମେଡ଼ିକାଲର ମେଣ୍ଟାଲ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣାପଡିବା ପରେ ତା’ ବିରୁଦ୍ଧରେ କୌଣସି ମାମଲା ରୁଜୁ ନକରିବାକୁ ମନ୍ତ୍ରୀ ପ୍ରତାପ ଜେନା ପୋଲିସକୁ କୁଆଡେ ନିର୍ଦ୍ଦେଶ ଦେଇଥିଲେ।

ତେବେ ଏହି ଚର୍ଚ୍ଚିତ ଯୁବକ ନାଗଭୁଷଣ ସ୍ୱାଇଁ ମାନସିକ ରୋଗୀ ହୋଇଥିବାରୁ ଏବଂ ତାଙ୍କର ଚିକିତ୍ସା ସମ୍ପର୍କିତ ତଥ୍ୟ କାଗଜପତ୍ରରୁ ସୂଚନା ମିଳିବା ସହ ପୋଲିସକୁ ଏହି ତଥ୍ୟ ପ୍ରଦାନ କରାଯିବାରୁ ଯୁବକ ବିରୁଦ୍ଧରେ କୌଣସି ମାମଲା ହୋଇନଥିଲା।

ଶେଷରେ ପୋଲିସ ନାଗଭୁଷଣକୁ ଥାନାରୁ ଛାଡିଦେଇଥିବା ଖବର ମିଳିଛି।