ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନେକ କ୍ଷେତ୍ରରେ ବିଭିନ୍ନ ଘଟଣାରେ ପୁଲିସ୍ ଅଧିକାରୀଙ୍କୁ ମନେ ପକାନ୍ତି ସାଧାରଣ ଲୋକେ । ଅନେକ ପୁଲିସ୍ କର୍ମୀ ଓ ଅଧିକାରୀ ମଧ୍ୟ ଉନ୍ନତ ସେବା ପାଇଁ ଉଦାହରଣ ପାଲଟିଛନ୍ତି । ତେବେ ଏମିତି ଏକ ଉଦାହରଣ ସାଜିଛନ୍ତି ବାଲେଶ୍ୱର ଜିଲା ଜଳେଶ୍ୱର ଥାନାର ଥାନାଧିକାରିଣୀ ପ୍ରଜ୍ଞା ମହାନ୍ତି । କିନ୍ତୁ ସଚ୍ଚୋଟତାରେ ନୁହେଁ । ଆକ୍ରୋଶ ଓ ନିଜ ପୁଲିସ୍ ପଣିଆ ଆତ୍ମରକ୍ଷା ପାଇଁ ସାମ୍ବାଦିକଙ୍କ ଉପରେ ମିଥ୍ୟା ମାମଲା ରୁଜୁ କରି ଜଳେଶ୍ୱରର ନ୍ୟୁଜ୍-୭ ସାମ୍ବାଦିକ ରାଜେଶ ପ୍ରଧାନଙ୍କୁ ଗିରଫ କରି ସେ ଏବେ ବିରୋଧାଭାଷାର ଶୀକାର ହୋଇଛନ୍ତି । ଏଣୁ ଏଭଳି ଏକ ବିବାଦୀୟ ଥାନାଧିକାରିଣୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟରେ ସାମ୍ବାଦିକଙ୍କ ମହଲରେ ବିଭିନ୍ନ ଶୋଭାଯାତ୍ରା ବାହାରୁଥିବାବେଳେ ଆଜି ଭଦ୍ରକରେ ତାର ପ୍ରତିଫଳନ ଦେଖାଯାଇଛି । ଏଠାରେ ସୂଚନାଯୋଗ୍ୟ ଏହି ଜିଲାରେ ପ୍ରଜ୍ଞା ମହାନ୍ତି ବିଭିନ୍ନ ଥାନାରେ ନିଯୁକ୍ତ ସମୟରେ ବହୁ ବିବାଦରେ ଥାଇ ବଦଳି ହୋଇଥିଲେ । ଜଳେଶ୍ୱର ଘଟଣାରେ ପ୍ରଜ୍ଞା ମହାନ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଜି ଭଦ୍ରକର ବହୁ ସାମ୍ବାଦିକ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।