Odiapua.com

ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ଓ ଗାନ୍ଧି ଓଡ଼ିଶା ବାଳାଶ୍ରମ ପକ୍ଷରୁ ଅମର ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶ ମାତୃକାର ମୁକ୍ତି ପାଇଁ ଅନେକ ସଂଘର୍ଷ ଓ ସଂଘାତ ଦେଖିବାକୁ ମିଳିଥିଲା ବେଳେ ଏଥିମଧ୍ୟରୁ ଭଦ୍ରକ ଜିଲ୍ଲାର ଲୁଣିଆ ଠାରେ ଆଜକୁ ୮୧ ବର୍ଷ ତଳେ ଘଟିଥିବା ଗୁଳି କାଣ୍ଡର ସ୍ମୃତି ଏବେବି ତାଜା ହୋଇ ରହିଛି। ସ୍ୱାଧୀନତା ସଂଗ୍ରାମରେ ଗ୍ରାମରେ ସଂଗଠିତ ଲୋମ ଟାଙ୍କୁରା ଲୁଣିଆ ଗୁଳିକାଣ୍ଡର ପୃଷ୍ଠ ଭୂମି ଆଜି ବି ଜୀବିତ ହୋଇ ରହିଛି। ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନର ସ୍ୱର କ୍ରମଶଃ ବୃଦ୍ଧି ପାଇ ଥାଏ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ ଭଦ୍ରକ ଅଂଚଳରେ ବିରୋଧୀ ଅସନ୍ତୋଷ କୁହୁଳୁ ଥିବା ବେଳେ ଧୂଷୁରୀ ଅଂଚଳ ସ୍ୱାଧୀନ ଘୋଷଣା ହୋଇ ସାରିଥିଲା । ସ୍ୱାଧୀନ ହେବା ସ୍ୱପ୍ନରେ ବିଭୋର ଜନତା ସବୁଠି ଏକକୁଟ ହେଉଥାନ୍ତି । ତତ୍କାଳୀନ ଧାମନଗର ଥାନା ଅଧୀନ କଟସାହି, ଖପରପଦା, ଲୁଣିଆ, ଶ୍ରୀଗଙ୍ଗା ପାଟଣା ଆଦି ଅଞ୍ଚଳରେ ମୁରଲୀଧର ପଣ୍ଡାଙ୍କ ନେତୃତ୍ୱରେ ବୈଠକ ହୋଇ ଆନ୍ଦୋଳନକୁ ତୀବ୍ରତର କରା ଯାଇଥିଲା। କୌଣସି ସୂତ୍ରରୁ ପୋଲିସ ଏହି ଖବର ପାଇ ସାରିଥାଏ। ଇଂରେଜ ବିରୋଧୀ ଆନ୍ଦୋଳନର ନେତା ମୁରଲୀଙ୍କୁ ଗିରଫ କରିବା ପାଇଁ ଯୋଜନା କରି ଥିବା ଧାମନଗର ଥାନାର ତତ୍କାଳୀନ ଅଧିକାରୀ ବଳରାମ ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ ଆସୁଥିବା ଖବର ପ୍ରଚାର ହୋଇ ଯାଇଥିଲା। ମୁରଲୀଙ୍କର ଗିରଫଦାରୀ ବିରୋଧରେ ଅଳ୍ପ ସମୟ ମଧ୍ୟରେ ହଜାର ହଜାର ମୁକ୍ତିକାମୀ ଜନତା ଲୁଣିଆ ଗ୍ରାମର ଚାନ୍ଦିଆପଶି (ଶହୀଦନଗର) ପଡିଆରେ ଏକାଠି ହୋଇଥିଲେ । ସେଦିନ ଥିଲା ୧୯୪୨ ମସିହା ସେପ୍େଟମ୍ବର ୨୨ ତାରିଖ ମଙ୍ଗଳବାର । ଇନିସପେକ୍ଟର ବେହେରାଙ୍କ ସମେତ ପୋଲିସ ସଦଳବଳେ ଶହୀଦ ନଗରରେ ପହଂଚି ସାରିଥିଲେ। ଜନତା ବ୍ରିଟିଶ ବିରୋଧରେ ପ୍ରତିବାଦ ପାଇଁ ଏକକୁଟ ହୋଇ ସାରି ଥିଲେ। ବ୍ରିଟିଶ ବିରୋଧୀ ସ୍ଲୋଗାନ ସହ ପୋଲିସ ଠାରୁ ସେମାନଙ୍କ ବନ୍ଧୁଳ ଛଡାଇ ନେଇଥିଲେ। ଚତୁର ପୋଲିସ ନେହୁରା ହୋଇ ବନ୍ଧୁକ ଫେରିପାଇବା ପାଇଁ ନିବେଦନ କରିଥିଲା। ସରଳ ଲୋକମାନେ କ୍ରୋଧ ସମ୍ବରଣ କରି ବନ୍ଧୁକ ଫେରେଇ ଦେବା ପରେ କେଇ ହାଡ ଆଗକୁ ଯାଇ ପୋଲିସ ହଠାତ ଆଖିବୁଜା ଗୁଳି ଚଳାଇଥିଲା। ପୋଲିସ ଗୁଳିରେ ଚାହୁଁ ଚାହୁଁ ୯ ଜଣ ସଂଗ୍ରାମୀ ସେହି ଠାରେ ଟଳି ପଡ଼ିଥିଲେ। ଅନେକ କ୍ଷତାକ୍ତ ହୋଇଥିଲେ। ସର୍ଦ୍ଦାର ମୁରଲୀ ପଣ୍ଡାଙ୍କୁ ଗିରଫ କରାଯାଇଥିଲା। ରାଜୁଆଳିର ନିଧି ମହାଳିକ (୫୫), କୃଷ୍ଠ ମହାଳିକ (୨୮), ଶ୍ୟାମ ମହାଳିକ (୩୫), ଲୁଣିଆର ଅଗଣି ସାହୁ (୫୨), କଟସାହିର ଗୋପୀନାଥ ଯେନା (୨୫), କାଶିପୁରର ନବ କିଶୋର ନାୟକ (୩୨), ସୁଶୁଆର ଗୌରୀ ଯେନା (୫୦), ପଥରଡ଼ିହର ଚିନ୍ତାମଣି ବାସ (୫୫) ଏବଂ ଖପରପଦାର ଶଙ୍କର ବେହେରା (୫୦)ଙ୍କ ରକ୍ତରେ ଲେଖା ହେଲା ସ୍ୱାଧୀନତା ଆନ୍ଦୋଳନ । ଇତି ମଧ୍ୟରେ ଅନେକ ଦିନ ଅତିକ୍ରାନ୍ତ ହୋଇଛି ୯ ଜଣ ବୀରଙ୍କ ଆତ୍ମବଳିଦାନର ମୁକସାକ୍ଷୀ ହୋଇ ରହିଛି ସେଦିନର ଲୁଣିଆ ଚାନ୍ଦିଆପଶି ଏବେର ଶହୀଦନଗର। ଆଜି ବିଭିନ୍ନ ସଂଗଠନ ଦ୍ୱାରା ସେଠାରେ ଥିବା ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରାଯାଇଥିଲା। ତ୍ୟାଗଭୂମି ସଂସ୍କୃତିନ ସମ୍ମେଳନ ତରଫରୁ ସଭାପତି ଅଜୟ ନାୟକ ଓ ସମ୍ପାଦକ ଗଦାଧର ବଳ ଓ ଗାନ୍ଧୀ ଓଡିଶା ବାଳାଶ୍ରମର ଅନ୍ତେବାସୀମାନଙ୍କ ସହ ସମ୍ପାଦକ ଅଶୋକ ଦାସ ଓ ହୃଷିକେଶ ମହାନ୍ତି ଓ ଅନ୍ୟ ସଦସ୍ୟମାନେ ଏକ ଶୋଭାଯାତ୍ରା ଯାଇ ସହିଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ।