Odiapua.com

ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ସ୍ମୃତି ସମାରୋହ, “ପ୍ରଫେସର ଶତ୍ରୁଘ୍ନ ନାଥ ଥିଲେ ସ୍ୱାଧୀନୋତ୍ତର ଶିକ୍ଷାଜଗତର ଉଜ୍ଜ୍ୱଳ ମସ୍ତିଷ୍କ’

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନୋତ୍ତର ଓଡିଶାର ଶିକ୍ଷାଜଗତର ଅମୂଲ୍ୟରତ୍ନ ପ୍ରଫେସର ଡ. ଶତ୍ରୁଘ୍ନ ନାଥଙ୍କ ୧୫ ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସାଂସ୍କୃତିକ ସମ୍ପାଦକ ସମାଜସେବୀ ସୁଧାକର ରାଉତଙ୍କ ସଞ୍ଚାଳନାରେ ଓ ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ହୃଦାନନ୍ଦ ପାଣିଗ୍ରାହୀ, ପ୍ରାବନ୍ଧିକ ଡାକ୍ତର ଦୁର୍ଯ୍ୟୋଧନ ଦାସ, ଶିକ୍ଷାବିତ୍ ଗଗନବିହାରୀ ରାଉତ ଓ ପ୍ରାଧ୍ୟାପିକା ଡକ୍ଟର ରାଧାରାଣୀ ମହାପାତ୍ର ପ୍ରମୁଖ ଅତିଥିଭାବେ ଆସନ ଅଳଙ୍କୃତ କରିଥିଲେ । ବୃତ୍ତି ଓ ପ୍ରବୃତ୍ତି ଉଭୟ କ୍ଷେତ୍ରରେ ଜଣେ ପ୍ରତିବଦ୍ଧ ଗୁରୁ ଭାବରେ ବିଦ୍ୟାର୍ଥୀମାନଙ୍କ ଜୀବନ ଗଢିବା ସହିତ ସେମାନଙ୍କ ପାର୍ôଥବ ଓ ପରାମର୍ଶ ଉନ୍ନତି ନିମନ୍ତେ ଶତ୍ରୁଘ୍ନ ନାଥ ପୂର୍ଣ୍ଣ ସମର୍ପିତ ଥିଲେ । ଜଣେ ନମନୀୟ, ଉଚ୍ଚାଙ୍ଗ ଓ ସ୍ଥିତପ୍ରଜ୍ଞ ବ୍ୟକ୍ତି ଭାବେ ତାଙ୍କ ପରିଚୟର ଅନନ୍ୟତା ସମଗ୍ର ଓଡ଼ିଶାରେ ପରିବ୍ୟାପ୍ତ ବୋଲି ବକ୍ତବ୍ୟ ପ୍ରକାଶ କରିଥିଲେ । ତ୍ୟାଗଭୂମି ଦସ୍ତାବିଜ ସମ୍ପାଦକ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରଫେସର ଡ. ନାଥଙ୍କ ଗୁଣସ୍ମରଣ ପୂର୍ବକ ଶ୍ରଦ୍ଧାବକ୍ତବ୍ୟ ପ୍ରଦାନ କରିଥିଲେ ଅଧ୍ୟାପକ ଡକ୍ଟର ଅଭୟ କୁମାର ଦାସ, ଗାଳ୍ପିକ ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ସମାଜସେବୀ ଏସ.ଏମ. ଫାରୁକ, ଡାକ୍ତର ହରେକୃଷ୍ଣ ନାୟକ, ପରମାନନ୍ଦ ଦାସ, ଶାନ୍ତିଲତା ନାଗ, ଭାଗବତ ତ୍ରିପାଠୀ, ଗୋବର୍ଦ୍ଧନ ସାମଲ, ଶାନ୍ତନୁ ରାଉତ, ଅଧିବକ୍ତା ଗଦାଧର ବଳ, ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ, ଅଧ୍ୟାପକ ସୁଦର୍ଶନ ବାରିକ୍‌, ଶିକ୍ଷାବିତ୍ ଗୟାଧର ପଣ୍ଡା, ହରମୋହନ ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ତ୍ୟାଗଭୂମିର କୋଷାଧ୍ୟକ୍ଷ ବୈଲୋଚନ ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ସଭାସଦ୍‌ବର୍ଗ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକଙ୍କ ସୁସ୍ଥତା କାମନା କରିଥିଲେ ।