Odiapua.com

ତ୍ୟାଗଭୂମି ମହୋତ୍ସବ ଉଦ୍‌ଯାପିତ, ‘ସାହିତ୍ୟରେ ଶାସ୍ତ୍ରୀୟ ଚେତନା ସ୍ରଷ୍ଟା ଓ ସୃଷ୍ଟିକୁ ଚିରନ୍ତନ ମର୍ଯ୍ୟାଦା ଦିଏ’

ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖ୍ରୀଷ୍ଟପୂର୍ବ ଶତାବ୍ଦୀରୁ ଓଡ଼ିଆ ଭାଷାର ପ୍ରାଚୀନତା ପ୍ରମାଣିତ । ଶିଳାଲେଖ, ତାମ୍ରଲିପି ଓ ଭୁର୍ଜପତ୍ରରୁ ଆରମ୍ଭକରି ତାଳପତ୍ର ପୋଥି ଯାଏ ରାଶିରାଶି ରଚନାବଳୀ ଆମ ଭାଷାରେ ଉପଲବ୍ଧ । ପୁରାଣ, ଇତିହାସ ଓ ଲୋକସାହିତ୍ୟର ସମୃଦ୍ଧ ପରମ୍ପରା ଆମ ଭାଷା ଓ ସାହିତ୍ୟକୁ ଶାସ୍ତ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଛି । ଆଧୁନିକ କାଳରେ ମଧ୍ୟ ଜୀବନଧର୍ମୀ ସାହିତ୍ୟ ସର୍ଜନା ସହିତ ମହାକାବ୍ୟିକ ମୂଲ୍ୟବୋଧକୁ ଯେଉଁ ସ୍ରଷ୍ଟାମାନେ ଅଗ୍ରାଧିକାର ଦେଇଛନ୍ତି, ସେମାନଙ୍କ ରଚନା କାଳଜୟିତା ହାସଲ କରିଛି । ରାଧାନାଥଙ୍କ ମହାଯାତ୍ରାଠାରୁ ରମାକାନ୍ତଙ୍କ ଶ୍ରୀରାଧା ଓ ଫକୀରମୋହନଙ୍କ ଛ’ମାଣ ଆଠଗୁଣ୍ଠରୁ ଶାନ୍ତନୁ ଆଚାର୍ଯ୍ୟଙ୍କ ଶକୁନ୍ତଳା ଯାଏ ଅନେକ ସ୍ରଷ୍ଟା ଆଧୁନିକ ସାହିତ୍ୟରେ ଶାସ୍ତ୍ରୀୟ ଚେତନାର ବାର୍ତ୍ତାବହନ କରିବାକୁ ସମର୍ଥ ହୋଇଛନ୍ତି । ଉତ୍ତର ଆଧୁନିକ କାଳର ସ୍ରଷ୍ଟାମାନେ ମା’ ଓ ମାଟିମନସ୍କ ହୋଇ ଗୃହାୟନରୁ ବିଶ୍ୱାୟନର ଯାତ୍ରା କରିବା ଅବସରରରେ ଚିରନ୍ତନ ମୂଲ୍ୟବୋଧଭିତ୍ତିକ ସାହିତ୍ୟ ସୃଷ୍ଟି ପ୍ରତି ଧ୍ୟାନଦେବା ବିଧେୟ ବୋଲି ତ୍ୟାଗଭୂମି ମହୋତ୍ସବର ଆଜି ଉଦ୍‌ଯାପନୀ ସନ୍ଧ୍ୟାରେ ମତପ୍ରକାଶ ପାଇଛି । କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଆଜିର ମଞ୍ଚଟି ଉତ୍ସର୍ଗ ହୋଇଥିଲା । ‘ଆଧୁନିକ ସାହିତ୍ୟରେ ଶାସ୍ତ୍ରୀୟ ଚେତନା’ ଶୀର୍ଷକ ଆଲୋଚନାଚକ୍ରରେ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ ପୌରୋହିତ୍ୟ କରିଥିଲେ । ଅବସରପ୍ରାପ୍ତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ କଥାକାର ବିଜୟ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାସ୍ତ୍ରୀୟତା ହିଁ ସାହିତ୍ୟକୁ କାଳଜୟୀ କରେ ଓ ଆଧୁନିକ କବି ଓ ଲେଖକମାନେ ଶାସ୍ତ୍ରୀୟତାର ମାନରକ୍ଷା ପୂର୍ବକ ଲେଖନୀ ଚାଳନା କରିବା ଉଚିତ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ନେତାଜୀ ଅଭିନନ୍ଦନ ଯୋଗଦେଇ ଭଦ୍ରକର ମାଟି ହେଉଛି ଶାସ୍ତ୍ରୀୟତାର ମାଟି । ଭଦ୍ରକାଳୀ ପୀଠରୁ ସର୍ବପ୍ରଥମେ ଓଡ଼ିଆ ଲିପିର ସନ୍ଧାନ ମିଳିଥିଲା ଓ ଏ ମାଟିର କବି କାଳଜୟୀ ରଚନାବଳୀ ଉ୨ପରେ ପ୍ରାଧାନ୍ୟ ଦେଇ ଆସିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସମ୍ମେଳନ ପକ୍ଷରୁ ପ୍ରକାଶ ପାଇଥିବା ‘ତ୍ୟାଗଭୂମିର କବି ଓ କାବ୍ୟଦିଗନ୍ତ’ ବିଶେଷାଙ୍କ ଲୋକାର୍ପିତ ହୋଇଥିଲା । ପତ୍ରିକା ସମ୍ପାଦକ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ସମୀକ୍ଷା କରିଥିଲେ । ଭଦ୍ରକ କୁସୁମ ଟି.ଭି. ପକ୍ଷରୁ ପ୍ରାରମ୍ଭିକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରାଯାଇଥିଲା ।

ଅଧ୍ୟାପକ ନାସିର ବକ୍ସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ସମ୍ପାଦକ ଡକ୍ଟର ଅଭୟ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ତ୍ୟାଗଭୂମି ସଭାପତି ଅଜୟ ନାୟକ କୋଭିଡ଼ କଟକଣା ଭିତରେ ୩ ଦିନିଆ ମହୋତ୍ସବରେ ପାଳନରେ ସହାୟତା ପ୍ରଦାନ କରିଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସୁଧାକର ରାଉତ, ଶ୍ରୀହର୍ଷ ସ୍ୱାଇଁ, ଇଂ ଅମ୍ବିକାବଲ୍ଲଭ ସ୍ୱାଇଁ, ଅଜିତ କୁମାର ଦାସ, ଗଦାଧର ବଳ, ବୈଲୋଚନ ବେହୁରିଆ, ଚାରୁଲତା ମହାପାତ୍ର, ବସନ୍ତ ମହାନ୍ତି, ଅମରେନ୍ଦ୍ର ବିଶ୍ୱାଳ, ରୂପକ ରାୟ, ବସୁମିତ୍ରା ସାହୁ, ସୀତାକାନ୍ତ ଦାସ, ଅଧିବକ୍ତା ପବନ ଶର୍ମା, ପରମାନନ୍ଦ ଦାସ, ଗିରିଧାରୀ ନାଥ, ଅଭିଜିତ୍ ନାୟକ, ଅଶୋକ ଦାସ, ହୃଷୀକେଶ ନାୟକ, ଅମର ମହାନ୍ତି, ପଙ୍କଜ ବଳ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।