Odiapua.com

ତ୍ୟାଗଭୂମି ମହୋତ୍ସବ ଉଦ୍‌ଘାଟିତ, ‘ଡିଜିଟାଲ ଶିକ୍ଷା ହିଁ ଆଗାମୀ କାଲିର ଭାଗ୍ୟ ନିର୍ମାତା’

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକୀୟ ଅସ୍ମିତାର ପ୍ରତୀକ ତଥା ଜିଲ୍ଲା ମହୋତ୍ସବର ଆଦ୍ୟସୌରଭ ତ୍ୟାଭଗୂମି – ୨୦୨୦ ଉଦ୍‌ଘାଟିତ ହୋଇ ଯାଇଛି । କରୋନା କଟକଣା ହେତୁ ତିନି ଦିନ ପାଳିତ ହେବାକୁ ଥିବା ଏହି ଉତ୍ସବର ଆଦ୍ୟ ଦିବସରେ ରକ୍ତତୀର୍ଥ ଇରମ୍ ଏବଂ ଶହୀଦ୍ ପୀଠ ଲୁଣିଆରୁ ଆସିଥିବା ଭଦ୍ରକୀୟ ସଂଗ୍ରାମର ଅମର ପ୍ରତୀକ ମଶାଲକୁ ଭଦ୍ରକ ସହରର ପ୍ରବେଶ ଦ୍ୱାର ମହତାବ ଗୋଲେଇରୁ ଶୋଭାଯାତ୍ରାରେ ଅଣାଯାଇ ତ୍ୟାଗଭୂମି ପୀଠରେ ସ୍ଥାପନ କରାଯାଇଛି । ମଶାଲ ଶୋଭାଯାତ୍ରାକୁ ସ୍ୱାଗତ ପୂର୍ବକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ପ୍ରଫେସର ରାଜକିଶୋର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ମହୋତ୍ସବର ସାନ୍ଧ୍ୟ ଅଧିବେଶନରେ ମୁଖ୍ୟଅତିଥି ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଓ ମୁଖ୍ୟବକ୍ତା ଅଧ୍ୟାପକ ବିଶ୍ୱରଂଜନ ଦାସ ଯୋଗଦେଇ ‘ଡିଜିଟାଲ ଶିକ୍ଷା ବ୍ୟବସ୍ଥା ଓ ଦେଶର ଭାଗ୍ୟ’ ଶୀର୍ଷକ ବିତର୍କରେ ବିଚାର ଉପସ୍ଥାପନ କରିଥିଲେ । ଶିକ୍ଷା ଯେପରି ହେଉ, ବିଦ୍ୟାର୍ଥୀର ଅଧ୍ୟୟନ, ନିଷ୍ଠା ଓ ସଂକଳ୍ପ ହିଁ ଉଜ୍ୱଳ ଭବିଷ୍ୟତ ନିର୍ମାଣ କରିପାରିବ । ବୈଷୟିକ ଯୁଗରେ ଡିଜିଟାଲ ଶିକ୍ଷା ହିଁ ଆଗାମୀ ପିଢି ପାଇଁ ଗୁରୁତ୍ୱ ବହନ କରିବ, ଏହା ନିଶ୍ଚିତ ବୋଲି ମତ ପ୍ରକାଶ ପାଇଥିଲା । ତ୍ୟାଗଭୂମିର ବରିଷ୍ଠ ସଦସ୍ୟ ପ୍ରଫେସର ଡ. ପ୍ରଫୁଲ୍ଲ ସାହୁଙ୍କ ରଚିତ ତ୍ୟାଗଭୂମି ସଂଗୀତ ସଭାମଞ୍ଚକୁ ବିଭୋର କରିଥିବା ବେଳେ କାନ୍ତକବିଙ୍କ ରଚିତ ମନମୋହନ ପରିଷଦ ଦ୍ୱାରା ପରିବେଷିତ ବନ୍ଦେ ଉତ୍କଳ ଜନନୀ ଗାନ ହେବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ତ୍ୟାଗଭୂମି ପତ୍ରିକାର ଅନ୍ୟତମ ସମ୍ପାଦକ ଡ. ଅଭୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଅଜୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ମହୋତ୍ସବର ଆଗାମୀ ଯୋଜନା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । କରୋନା ମହାମାରୀରେ ଦିବଂଗତ ହୋଇଥିବା ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଦସ୍ୟ ସୁଧାକର ରାଉତ ଅତିଥିମାନଙ୍କ ଉଦ୍ଦେଶ୍ୟରେ ମଞ୍ଚାୟନ ବକ୍ତବ୍ୟ ରଖିଥିବା ବେଳେ ଅଧିବକ୍ତା ଗଦାଧର ବଳ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ନାସିର ବକ୍ସ, ବୈଲୋଚନ ବେହୁରିଆ, ଶ୍ରୀହର୍ଷ ସ୍ୱାଇଁ, ପଙ୍କଜ ବଳ, ଅମରେଶ ବିଶ୍ୱାଳ, ଅଶୋକ ଦାସ, ବସନ୍ତ ମହାନ୍ତି ପ୍ରମୁଖ ମଞ୍ଚ ଓ ମଶାଲ ଶୋଭାଯାତ୍ରା ପରିଚାଳନା କରିଥିଲେ । ଏହି ଅବସରରେ ଗାଳ୍ପିକ ମଦନ ମୋହନ ମହାକୁଡଙ୍କ ଗ୍ରନ୍ଥ ‘ଅନାମ ସର୍ବନାମ’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।