Odiapua.com

ତ୍ୟାଗଭୂମି ମହୋତ୍ସବର ୮ମ ସନ୍ଧ୍ୟା, ‘ମୌଳିକ ଜ୍ଞାନ ପାଇଁ ଇ-ମିଡିଆ ଅପେକ୍ଷା ପୁସ୍ତକ ପାଠନ ଜରୁରୀ’

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇ-ମିଡିଆ ଅଧୁନା ଆମ ସମାଜରେ ଅଭିନବ ପାଠକୀୟତା ସୃଷ୍ଟି କରିଛି । ଏବେ ଅଧିକାଂଶ ଲୋକେ ଯେକୌଣସି ବିଷୟରେ ଜ୍ଞାନ ଅର୍ଜନ ପାଇଁ ଇ-ମିଡିଆ ଉପର ନିର୍ଭର କରୁଛନ୍ତି । ବୈଷୟିକ ବିଦ୍ୟାର ଏହା ଏକ ଅଦ୍ଭୁତପୂର୍ବ ସଫଳତା ବୋଲି କୁହାଯାଉଛି । ଆମ ଯୁବପିଢି ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ଉପରେ ଅଧିକ ନିର୍ଭରଶୀଳ ହୋଇପଡିଛନ୍ତି । ମାତ୍ର ପୁସ୍ତକଟିଏ ପାଠକ ଅନ୍ତରରେ ଯେପରି ସବିଶେଷ ଜ୍ଞାନ, ଧାରଣା ଜଗାଏ ଓ ଏକ ପରିବ୍ୟାପ୍ତ ମୌଳିକ ସର୍ଜନଶୀଳତା ବିକଶିତ କରାଏ, ଇ-ମିଡିଆ ଆମ ପଠନ ଅଭ୍ୟାସକୁ ସଂକୁଚିତ କରିବା ସହିତ ଆମର ଜ୍ଞାନକୁ କେବଳ ସୂଚନାଭିତ୍ତିକ ଧାରଣାରେ ସୀମିତ ରଖୁଛି ବୋଲି ତ୍ୟାଗଭୂମି ମହୋତ୍ସବର ୮ମ ସନ୍ଧ୍ୟାରେ ‘ଇ-ମିଡିଆ ଓ ସାଂପ୍ରତିକ ପାଠକ ସମାଜ’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ତମ୍ଭକାର ଡକ୍ଟର ପ୍ରଫୁଲ୍ଲ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ମହମ୍ମଦ ହନିଫ ମଂଚରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଯୋଗଦେଇ ଇ-ମାଧ୍ୟମ ଆଜି ନୂଆପିଢିଙ୍କୁ ନୂତନ ପୃଥିବୀର ରସାସ୍ୱାଦନ ପାଇଁ ସନ୍ଧାନ ଦେଇଛି ସତ, ମାତ୍ର ପାଠକୀୟତା କ୍ଷେତ୍ରରେ ଗଭୀର ଅନ୍ତଃରାୟ ପହଞ୍ଚାଇଛି ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ ପାଳିଆବିନ୍ଧା କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ବିଶ୍ୱରଂଜନ ଦାସ ଯୋଗଦେଇ ନୂତନ ଡିଜିଟାଲ ଜ୍ଞାନର ମାଧ୍ୟମ ପୁସ୍ତକ ପଠନର ଜାତୀୟ ଓ ସାଂସ୍କୃତିକ ପରିସୀମାଠାରୁ ଉର୍ଦ୍ଧ୍ୱକୁ ଚାଲିଗଲାଣି । ଛାତ୍ରଛାତ୍ରୀ ମୌଳିକ ପୁସ୍ତକ ପଢୁନଥିବାରୁ ସେମାନଙ୍କ ସର୍ଜନଶୀଳତାରେ ବାଧା ଆସୁଛି ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ ବିଶିଷ୍ଟ କବି ଅଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀ ଓ ଅଧ୍ୟାପକ ନାସିର ବକ୍ସ ଯୋଗଦେଇ ବିଷୟବସ୍ତୁ ଉପରେ ନିଜସ୍ୱ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ । ତ୍ୟାଗଭୂମିର ଯୁଗ୍ମ ସଂପାଦକ ଅମରେନ୍ଦ୍ର ବିଶ୍ୱାଳ ମଂଚ ଆହ୍ୱାନ କରିଥିବାବେଳେ ସଂଗଠନ ସଂପାଦକ ସୁଧାକର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆସାମ ସାଂସ୍କୃତିକ ପରିଷଦ, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଓ ଭଦ୍ରକ ଶ୍ୱେତପଦ୍ମା ଏଣ୍ଡ ଗ୍ରୁପ୍ ପକ୍ଷରୁ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ତ୍ୟାଗଭୂମି ସଭାପତି ଅଜୟ ନାୟକ, ସଂପାଦକ ଅଦଫିବକ୍ତା ଗଧାଧର ବଳ, ସଦସ୍ୟ ବିଚିତ୍ରାନନ୍ଦ ମହାନ୍ତି, ସାଂସ୍କୃତିକ ସଂପାଦକ ବସନ୍ତ କୁମାର ମହାନ୍ତି, ବୈଲୋଚନ ଦାସ, ସହସଂପାଦକ ଗୌରାଙ୍ଗ ବାରିକ, ସଦସ୍ୟ ଲକ୍ଷ୍ମୀକାନ୍ତ ବାରିକ, ଦୁର୍ଗା ଦାସ, ସଦସ୍ୟ ବାବୁଲାଲ ଦାସ, ଅଶୋକ କୁମାର ଦ୍ୱିବେଦୀ, ଅଶୋକ ମହାନ୍ତି, ଅମରେନ୍ଦ୍ର ବିଶ୍ୱାଳ, ରୂପକ ବିହାରୀ ରାୟ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ସଦସ୍ୟ ଶିକ୍ଷକ ରବିନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।