ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତ ଛାତ୍ରସଂଘ(ଏ ଆଇ ଏସ ଏଫ )ଭଦ୍ରକ ଜିଲ୍ଲା ପରିଷଦ ପକ୍ଷରୁ ଆଜି ଚାନ୍ଦବାଲିରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିରୋଧରେ ଏକ ପ୍ରତିବାଦ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ନେତା ଶୁଭେନ୍ଦୁ ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ରାଲି ଚାନ୍ଦବାଲିର ମଧୁବାବୁ ଛକଠାରୁ ଆରମ୍ଭ ହୋଇ କାଳୀ ପଡିଆ ପର୍ଯ୍ୟନ୍ତ ପହଂଚି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କୁଶପୁତଳିକା ଦାହ କରାଯାଇଥିଲା। ଏହି ଅବସରରେ ଛାତ୍ର ସଂଘର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ଓ ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ପରିଡ଼ା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କୌଣସି ପ୍ରକାରର ଅନ୍ୟାୟକୁ ସହ୍ୟ କରାଯିବ ନାହିଁ। ପାଠ୍ୟପୁସ୍ତକରେ ଥିବା ତ୍ରୁଟିଗୁଡ଼ିକ ଶିକ୍ଷାର ମାନକୁ ହ୍ରାସ କରୁଥିବା ସହ ଛାତ୍ରମାନଙ୍କ ମନୋବୃତି ଓ ଜ୍ଞାନର ଉନ୍ନତିରେ ବାଧା ସୃଷ୍ଟି କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଏହି ତ୍ରୁଟି ଅଜାଣତରେ ନୁହେଁ, ବରଂ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି ବୋଲି ଅଭିଯୋଗ କରିଥିଲେ।ପ୍ରତିବାଦ ସଭାରେ ଛାତ୍ରଛାତ୍ରୀଙ୍କୁ ନିର୍ଭୁଲ ଓ ବିଜ୍ଞାନ ସମ୍ମତ ପାଠ୍ୟପୁସ୍ତକ ପ୍ରଦାନ କରାଯାଉ, ତ୍ରୁଟିପୂର୍ଣ୍ଣ ପୁସ୍ତକ ପାଇଁ ବ୍ୟୟ ହୋଇଥିବା ଅର୍ଥ ସଂପୃକ୍ତ ମନ୍ତ୍ରୀ ଓ ଅଧିକାରୀଙ୍କ ଠାରୁ ଆଦାୟ କରାଯାଉ, ଏହି ଅପରାଧରେ ସଂପୃକ୍ତ ବିଶେଷଜ୍ଞ, ସମୀକ୍ଷକ ଓ ସମ୍ପାଦକଙ୍କୁ କଳାତାଲିକାଭୁକ୍ତ କରାଯାଉ, ସଂଶୋଧନ ପୁସ୍ତିକା ପରିବର୍ତେ ପୂର୍ବରୁ ପ୍ରଚଳିତ ପାଠ୍ୟପୁସ୍ତକ ଆଧାରରେ ଚଳିତ ବର୍ଷରେ ପାଠଦାନ ଜାରି ରହୁ, ଜାତୀୟ ଶିକ୍ଷା ନୀତି–୨୦୨୦ କୁ ପ୍ରତ୍ୟାହାର କରାଯାଉ ବୋଲି ଦାବି କରାଯାଇଥିଲା। ଦାବିଗୁଡ଼ିକ ତୁରନ୍ତ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଏଆଇଏସ୍ଏଫ୍ ପକ୍ଷରୁ ଚେତାବନୀ ଦିଆଯାଇଛି।ଏହି ଆନ୍ଦୋଳନକୁ ସଫଳ କରିବାରେ ବିକ୍ରମ କେଶରୀ ମହାନ୍ତି, ମନୋରଞ୍ଜନ ରାଉତ, ଅଭିଷେକ ପଣ୍ଡା, କଳ୍ପତରୁ ଦାସ, ବିଭୁଦତ ରାଉତ, ଅଜୟ ବେହେରା, ପ୍ରଶାନ୍ତ ବେହେରା, ସିପୁନ ନାଥ ଓ ଅନ୍ୟାନ୍ୟ ଛାତ୍ର ନେତାମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।