ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଂଚାୟତର ଅସୁରା ଗ୍ରାମର ତ୍ରିଶଳପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସୁନାମଧନ୍ୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଝୁରନବାଳା ଖୁଂଟିଆଙ୍କ ଅବସର ଗ୍ରହଣ ଉପଲକ୍ଷେ ଏକ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ନିଷ୍ଠା, କର୍ତବ୍ୟପରାୟଣତା ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ତାଙ୍କର ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାର ଲୋକପ୍ରିୟ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଯୋଗଦେଇ ଶ୍ରୀମତୀ ଖୁଂଟିଆଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଜଣେ ଆଦର୍ଶ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନୁହେଁ, ବରଂ ସମାଜ ଗଠନରେ ମଧ୍ୟ ମୁଖ୍ୟ ଭୂମିକା ଲିଭାଇ ନିଜକୁ ତଥା ନିଜ ବିଦ୍ୟାଳୟ ସୁନାମ ଆଣିବାରେ ସହାୟକ ହୋଇଥାନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଶ୍ରୀମତୀ ଖୁଂଟିଆ। ଶିକ୍ଷାଦାନ ହେଉ କି ପ୍ରଶାସନିକ ଦକ୍ଷତା ସବୁଥିରେ ବିଦ୍ୟାଳୟର ସୁନାମ ବୃଦ୍ଧିରେ ଶ୍ରୀମତି ଖୁଂଟିଆଙ୍କ ଅବଦାନକୁ ଏ ଅଂଚଳ ସବୁଦିନେ ମନେ ରଖିଥିବ। ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସମାଜସେବୀ ଭାଗିରଥି ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ସହ ଶିକ୍ଷା ଧିକାରୀ ଗୟାଧର ବେହେରା,ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ଅବସରପ୍ରାପ୍ତ ପ୍ରାଧ୍ୟାପକ ବ୍ରଜମୋହନ ମିଶ୍ର ଉପସ୍ଥିତ ରହି ଶ୍ରୀମତୀ ଖୁଂଟିଆଙ୍କ କର୍ମମୟ ଜୀବନ, ତାଙ୍କର ଶିକ୍ଷାପ୍ରତି ନିଷ୍ଠା ଏବଂ ମାନବିକ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଗ୍ରାମବାସୀମାନଙ୍କ ତରଫରୁ ଶ୍ରୀମତୀ ଖୁଂଟିଆଙ୍କୁ ଏକ ସୁସୋଜିତ ରଥରେ ବସାଇ ବିଭିନ୍ନ ପ୍ରକାର ବାଜା ଓ ନାଚର ତଳେ ତଳେ ଗ୍ରାମ ପରିକ୍ରମା କରାଇଥିଲେ। ଛୋଟ ଠାରୁ ବଡ଼ ସମସ୍ତଙ୍କ ଆଖିରେ ଥିଲା ଲୁହ। ଜଣେ ଶିକ୍ଷୟିତ୍ରୀଙ୍କୁ ଏଭଳି ଭାବ ଅବସର ବିଦାୟ ଏ ଅଂଚଳ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି।