Odiapua.com

ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମିଶି ଅନେକ ଐତିହାସିକ ମାଇଲଖୁଂଟକୁ ପୂରଣ କରିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ୟୁଏଇର ପ୍ରମୁଖ ତୈଳ, ଗ୍ୟାସ ଓ ପେଟ୍ରୋଲିୟମ ଏବଂ ଇସ୍ପାତ୍ କମ୍ପାନୀଙ୍କ ସହ ବୈଠକ

– ଉର୍ଜା କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗ ଏବଂ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ
– ଭାରତ ଓ ୟୁଏଇ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ସଫଳ କରିବା ଦିଗରେ ଆଲୋଚନା
– ଭାରତରେ ଇସ୍ପାତ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ୟୁଏଇର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ

ଦୁବାଇ/ଭୁବନେଶ୍ୱର, ସେପ୍ଟେମ୍ବର ୦୯ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁଏଇର ରାଷ୍ଟ୍ରପତି ଏଚ୍ଇ ଶିଖ୍ ଖଲିଫା ବିନ୍ ଜାୟଦ୍ ଅଲ୍ ନାହ୍ୟାନଙ୍କ ନେତୃତ୍ୱରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଭାରତ ଏବଂ ୟୁଏଇ ମିଶି ଅନେକ ଐତିହାସିକ ମାଇଲଖୁଂଟକୁ ପୂରଣ କରିଛନ୍ତି। ଉଭୟେ ଏହି ବନ୍ଧୁତ୍ୱକୁ ଆଗକୁ ନେବା ସହ ପରସ୍ପର ସହଯୋଗୀ ହୋଇ ଉକ୍ତ କାର୍ଯ୍ୟକୁ ପ୍ରାଥମିକତା ଦେଇ କାମ କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପାଂଚ ଦିନିଆ ବିଦେଶ ଗସ୍ତରେ ଥିବା ଶ୍ରୀ ପ୍ରଧାନ ସୋମବାର ୟୁଏଇର ପ୍ରମୁଖ ତୈଳ ଓ ଗ୍ୟାସ ଏବଂ ପେଟ୍ରୋଲିୟମ କମ୍ପାନୀର ମୁଖ୍ୟଙ୍କୁ ସାକ୍ଷାତ କରିବା ସହ ସେଠାକାର ଇସ୍ପାତ ଶିଳ୍ପର ଅଧିକାରୀମାନଙ୍କ ସହ ବୈଠକ କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ୟୁଏଇର ପ୍ରମୁଖ ତୈଳ ଓ ଗ୍ୟାସ ଏବଂ ପେଟ୍ରୋଲିୟମ କମ୍ପାନୀର ମୁଖ୍ୟଙ୍କୁ ସାକ୍ଷାତ୍ କରିବା ଅବସରରେ ଉଭୟଙ୍କ ମଧ୍ୟରେ ଉର୍ଜା କ୍ଷେତ୍ରରେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟିକ ସହଯୋଗ ଏବଂ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାବ୍ୟତୀତ ଦୁଇ ଦେଶ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ସହ ୟୁଏଇରେ ଭାରତ ନିଜର ଉପସ୍ଥିତିକୁ ଆହୁରି ଅଧିକ ଦୃଢ କରିବା ପାଇଁ ଆଲୋଚନା ହୋଇଥିଲା।

ଏହି ଅବସରରେ ଦୁବାଇ ଠାରେ ୟୁଏଇର ଇସ୍ପାତ ଶିଳ୍ପର ପ୍ରତିନିଧିମାନଙ୍କ ସହ ମଧ୍ୟ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ବୈଠକରେ ଇସ୍ପାତ କ୍ଷେତ୍ରରେ ଭାରତ ଓ ୟୁଏଇ ମଧ୍ୟରେ ବ୍ୟବସାୟିକ କ୍ଷମତାକୁ ସଫଳ କରିବା ଦିଗରେ ଚର୍ଚ୍ଚା ହୋଇଥିଲା। ଶ୍ରୀ ପ୍ରଧାନ ଭାରତରେ ଇସ୍ପାତ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ୟୁଏଇର ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରିଥିଲେ।