Odiapua.com

ତୈଳଦର ବୃଦ୍ଧି ପ୍ରତିବାଦରେ କଳାହାଣ୍ଡି ବିଜେଡି ପକ୍ଷରୁ ବିକ୍ଷୋଭ

କଳାହାଣ୍ଡି ୯-୯ – (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ତୈଳଦର ବୃଦ୍ଧି ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲା ସାରା ବିଭିନ୍ନ ପେଟ୍ରୋଳ ପମ୍ପ ସାମନାରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ବିଜେଡି ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତାମାନଙ୍କ ଦ୍ୱାରା ଘୋଡାଘାଟ ଛକ ପେଟ୍ରୋଲ ପମ୍ପ ସାମନାରେ ପ୍ରତିବାଦ ସଭା କରାଯାଇ କେନ୍ଦ୍ର ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ। କେନ୍ଦ୍ର ସରକାର ସଧାରଣ ଲୋକଙ୍କୁ ଗତ ୨୦୧୪ ନିର୍ବାଚନ ପୂର୍ବରୁ ଦେଇଥିବା ଆଚ୍ଛାଦିନ ଆସିବା ଏବଂ ଅନ୍ୟାନ୍ୟ ପ୍ରତିଶୃତି ଭୁଲି ଯାଇଥିବା ଅଭିଯୋଗ କରିଥିଲେ। ଏହା ବ୍ୟତୀତ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଉଥିବା ହେତୁ ସାଧାରଣ ଖାଉଟି ପ୍ରତ୍ୟହ ଶୋଷିତ ହେଉଥିବା ଅଭିଯୋଗ କରିଥିଲେ। ସେହିପରି ଜୁନାଗଡ ସହର ରେ ଜୁନାଗଡ ବ୍ଲକ ବିଜେଡି ପକ୍ଷରୁ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ଜୟପାଟଣା ବ୍ଲକ ବିଜେଡି ପକ୍ଷରୁ ଜୟପାଟଣା ଠାରେ କେସିଙ୍ଗା ବ୍ଲକ ଓ ଏନଏସି ବିଜେଡି ପକ୍ଷରୁ କେସିଙ୍ଗା ଠାରେ, ନର୍ଲା ବ୍ଲକ ବିଜେଡି ପକ୍ଷରୁ ନର୍ଲା ଠାରେ, ଲାଂଜିଗଡ ବ୍ଲକ ବିଜେଡି ପକ୍ଷରୁ ଲାଂଜିଗଡ ଠାରେ, ଧର୍ମଗଡ ବ୍ଲକ ବିଜେଡି ପକ୍ଷରୁ ଧର୍ମଗଡ ଠାରେ, ଗୋଲାମୁଣ୍ଡା ବ୍ଲକ ବିଜେଡି ପକ୍ଷରୁ ନକଟିକାନି ଠାରେ, କଲମପୁର ବ୍ଲକ ବିଜେଡି ପକ୍ଷରୁ କଲମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ତୈଳଦର ବୃଦ୍ଧି ବିରୋଧରେ ପ୍ରତିବାଦ କରାଯାଇଥିଲା।