ଭୁବନେଶ୍ୱର ୨୮.୨ (ଓଡ଼ିଆ ପୁଅ) – ବିଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମର ପ୍ରଶ୍ନର ଉତର ରଖି କେନ୍ଦ୍ର ତୈଳ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ତୈଳ ଦର ଏବଂ ରନ୍ଧନ ଗ୍ୟାସ ଦର ବୃଦ୍ଧି ଶୀତଦିନ ଯୋଗୁଁ ଅଧିକ ହେଉଛି ଶୀତଦିନ ସରିଗଲେ ଦର ହ୍ରାସ ପାଇବ। ଦ୍ୱିତୀୟ ପ୍ରମୁଖ କାରଣଟି ଡିଜେଲ ଏବଂ ପେଟ୍ରୋଲ ତଥା ଗ୍ୟାସର ଚାହିଦା ବୃଦ୍ଧିଯୋଗୁଁ ଏବଂ ଅର୍ନ୍ତଦେଶୀୟ ବଜାରରେ କଂଚା ତୈଳ ବା ଗ୍ୟାସଲୋନିର ଦର ବୃଦ୍ଧି ଯୋଗୁଁ ଏ ବୃଦ୍ଧି ଘଟୁଛି। କିନ୍ତୁ ଏହି ତିନୋଟି ଯାକ କାରଣ ସଂପୂଣ୍ଣରୂପେ ଅସତ୍ୟ ଉପରେ ପର୍ଯ୍ୟବେସିତ ଏବଂ ଏହା ଏକ ମନଗଢ଼ା କାହାଣୀ ବୋଲି ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି। ୨୦୧୭ ମସିହା ଠାରୁ କ୍ରମାଗତ ଭାବରେ ଅର୍ନ୍ତଦେଶୀୟ ବଜାରରେ ଗ୍ୟାସୋଲେିନ ବା କଂଚା ତୈଳର ଦାମ ବହୁ ମାତ୍ରାରେ କମିଯାଇଛି। ଯଦି ଶୀତଦିନ ଯୋଗୁଁ ତୈଳ ଏବଂ ଜାଳେଣିଗ୍ୟାସର ଦର ବହୁମାତ୍ରାରେ ବୃଦ୍ଧି ଘଟିଛି ତାହେଲେ ୨୦୧୭, ୧୮ ଏବଂ ୧୯ ମସିହାର ଶୀତଦିନରେ ଯେତେବେଳେ ଅର୍ନ୍ତଦେଶୀୟ ବଜାର ଆଜିର ଦର ଠାରୁ କଂଚା ତୈଳ ବ୍ୟାରେଲ ବହୁ ଅଧିକ ଥିଲା, ସେତେବେଳେ କାହିଁକି ଓ କିପରି ପେଟ୍ରୋଲ, ଡିଜେଲ ଏବଂ ଜ୍ୟାଳେଣି ଗ୍ୟାସର ଦାମ ଆଜି ଦିନଠାରୁ କମ୍ରେ ମିଳୁଥିଲା ? ତେଣୁ ଶୀତଦିନର ବାହାନା ନକରି ସତ୍ୟକହିବା ଉଚିତ୍। ୨୦୧୩-୧୪ ମସିହାରେ ହାରାହାରି କଂଚା ତୈଳର ଦର ପାଖାପାଖି ଡଲାର ୧୦୭ ରୁ ୧୪୧ ଡଲାର ପର୍ଯ୍ୟନ୍ତ ପର ବ୍ୟାରେଲ ବୃଦ୍ଧି ପାଇଥିଲା। ଭାରତବର୍ଷ ସାଧାରଣତଃ ବ୍ରେଣ୍ଟ କ୍ରୁଡ (Brent Crued) କ୍ରୟ ମାଧ୍ୟମରେ ବିଦେଶରୁ ଆମଦାନି କରିଥାଏ। ଇରାକ, ଇରାନ ଓ ସାଉଦିଆରବରେ ଏବଂ ୟୁନାଟେଡ ଆରବ ଏମିରେଟସ୍ ଦେଶ ଗୁଡ଼ିକ ଭାରତକୁ କଂଚା ତୈଳ ବା ଗ୍ୟାସୋଲିନ୍ ଯୋଗାଇଥାନ୍ତି। ୨୦୨୦ ମସିହା କୋଭିଡ-୧୯ ଲକ୍ ଡାଉନ୍ ସମୟରେ କଂଚା ତୈଳ ଦର ବିଶ୍ୱବଜାରରେ ସବୁଠାରୁ ନ୍ୟୁନତମ ସ୍ତର ଡଲାର-୨୦ ପର ବ୍ୟାରେଲକୁ ଖସିଗଲା। ଏହା ପାଖାପାଖି ଦୀର୍ଘ ସମୟ ଧରି ଏହି ଦାମ ରହିଲା। ୨୦୨୦ ମସିହା ମାର୍ଚ୍ଚମାସ ସାରା ବିଶ୍ୱରେ ଲକଡାଉନ ହେବା ଯୋଗୁଁ ପାଖାପାଖି ୯ ମାସରୁ ଅଧିକ ହାରାହାରୀ ଡଲାର ୩୫ ର କମ ପର ବ୍ୟାରେଲ ରହିଲା। କିନ୍ତୁ ଏହି ସମୟ ଭିତରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରିବର୍ତେ କେନ୍ଦ୍ର ସରକାର ଅଧିକରୁ ଅଧିକ କର ବୃଦ୍ଧିକଲେ। ଏପରିକି ମହାମାରୀ ସମୟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ୧୬ଟଙ୍କା ଓ ତେର ଟଙ୍କା ଅଧିକ କର ବୃଦ୍ଧିକଲେ। ଲୋକ ରୋଜଗାର ଶୂନ୍ୟ, ବେରୋଜଗାରୀ ୪୫ ବର୍ଷର ରେକଡ଼ ଭାଙ୍ଗି ସାରିଛି ସେହି ସମୟରେ ଗୋଟିଏ ଲିଟର ପେଟ୍ରୋଲର ମୂଳ ମୂଲ୍ୟ ପାଖାପାଖି ୩୪ ଟଙ୍କା ଥିଲା ବେଳେ କେବଳ କର ବୋଝ ୫୩.୫୧ ଟଙ୍କା ଦେବାକୁ ପଡ଼ୁଛି। ଏହି ୫୩.୫୧ ପଇସା ଭିତରୁ କେନ୍ଦ୍ର ସରକାର ୩୨ଟଙ୍କା ୯୮ ପଇସା ରାଜ୍ୟ ସରକାର ପାଖାପାଖି ୧୬ଟଙ୍କା ୬୦ ପଇସା ପର ଲିଟର ଠିକ୍୍ ସେହିଭଳି ଭାବରେ କେନ୍ଦ୍ର ସରକାର ଗୋଟେ ଲିଟର ଡିଜେଲରୁ ୩୧ଟଙ୍କା ୮୩ ପାଇସା ଏକ୍ସାଇଜ ଡ୍ୟୁଟି ଆଦାୟ କରୁଥିବା ବେଳେ ରାଜ୍ୟ ସରକାର ୧୪ ଟଙ୍କା ୩୪ ପଇସା ଭାଟ ବାବଦରେ ଆଦାୟ କରୁଛନ୍ତି। ଏହାର ମୁଳ କାରଣ କ୍ରମାଗତ ଭାବରେ ୨୦୧୬ ମସିହା ପରଠାରୁ କେନ୍ଦ୍ର ସରକାରଙ୍କର ରାଜସ୍ୱ ଆୟ କମିଚାଲିଛି ଏବଂ ସବୁଠାରୁ ବଡ଼କଥା ହେଲା ୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କର ଜିଏଷ୍ଟିରୁ ଆୟ, ପୁଞ୍ଜିପ୍ରତ୍ୟାହାର କରି ନପାରିବା, କର୍ପୋରେଟ ଟ୍ୟାକ୍ସର ଦ୍ରୁତ ହ୍ରାସ ଯୋଗୁଁ ରାଜସ୍ୱ ବୃଦ୍ଧି କରିବା ପାଇଁ ପେଟ୍ରୋଲ, ଡିଜେଲ ଓ ଜାଳେଣି ଗ୍ୟାସ ଛଡ଼ା ଅନ୍ୟକିଛି ବିକଳ୍ପ ତାଙ୍କ ପାଖରେ ନାହିଁ। ଆରବିଆଇର ଗଭର୍ଣ୍ଣର ସରକାରଙ୍କୁ ମଧ୍ୟ ଏହି ଦର ବୃଦ୍ଧିର କୁ ପ୍ରଭାବ ଅର୍ଥୀନତି ଉପରେ କିଭଳି ପଡ଼ୁଛି ତାହା ମଧ୍ୟ ସ୍ପଷ୍ଟ ଭାବରେ କହିସାରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର କର୍ପୋରେଟ ଟ୍ୟାକ୍ସକୁ ୩୫%ରୁ ୨୫%କୁ ହ୍ରାସ କଲେ, ଅର୍ଥାତ କମ୍ପାନୀ ବା କର୍ପୋରେଟ ଟ୍ୟାକ୍ସକୁ ଭାରତବର୍ଷର ପୁଞ୍ଜିପତିମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ୧୦% କମାଇଲେ। ଏହାଦ୍ୱାରା ପାଖାପାଖି ୧ଲକ୍ଷ ୩୪ ହଜାର କୋଟି ଟଙ୍କା ରାଜସ୍ୱ ହରାଇଲେ। କିନ୍ତୁ ସେହି ରାଜସ୍ୱକୁ ଭରଣା କରିବାପାଇଁ ଭାରତବର୍ଷର କୃଷକ, ଶ୍ରମିକ, ସ୍ୱଳ୍ପଆୟକାରୀ, ମଧ୍ୟମ ଆୟକାରୀ ଓ ବେରୋଜଗାରୀଙ୍କ ଉପରେ ଟ୍ୟାକ୍ସ ବୋଝ ଲଦି ଦିଆଗଲା। ଗରିବ ଲୋକଙ୍କ ପକେଟରୁ ପଇସା ଟାଣି ନେଇ ପୁଞ୍ଜିପତି ମାନଙ୍କୁ ସହାୟତା ପ୍ରଦାନ କରିବା କ’ଣ ଏହି ସରକାରର ନୀତିକି? ଏହା ଅର୍ଥଶାସ୍ତ୍ରର କେଉଁ ନିୟମ ତାହା ମୁଁ ବୁଝି ପାରୁନାହିଁ। ବିଶିଷ୍ଟ ଅର୍ଥ ନୀତିଜ୍ଞ ଲର୍ଡ କେନସ (Lord Keynes) ମତରେ କରର ବୋଝ ସେହି ଅନୁପାତରେ ହେବା ଦରକାର ଯାହା କରଦାତାଙ୍କ ପକେଟକୁ ସୁହାଉଥିବ। ଦ୍ୱିତୀୟ ପ୍ରମୁଖ କାରଣଟି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଚାହିଦାର ବୃଦ୍ଧି ଘଟିଛି। କିନ୍ତୁ ବାସ୍ତବ ସ୍ଥିତି ହେଉଛି ୨୦୨୦ ମସିହା ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ଭରତ ବର୍ଷରେ ପେଟ୍ରୋଲର ଡିମାଣ୍ଡ ପାଖାପାଖି ୯.୩ % କମ ପୂର୍ବବର୍ଷ ତୁଳନାରେ ଥିଲା। ଏହି ସମୟରେ ଭାରତ ବର୍ଷ ୩୨.୩ ମିଲିୟମ ଟନର ପେଟ୍ରୋଲ ଆବଶ୍ୟକ କରିଥିଲା। ସେହିଭଳି ଭାବରେ ଡିଜେଲର ଚାହିଦା ୧୪.୫% କମ୍ ପୂର୍ବବର୍ଷ ତୁଳନାରେ ଥିଲା ଏବଂ ଏହି ସମୟରେ ପାଖାପାଖି ୭୧.୯୧ ମିଲିୟମ ଟନର ଡିଜେଲ ବ୍ୟବହାର ହୋଇଛି। ସାରା ଏସିଆ ମହାଦେଶରେ ତୈଳର ଚାହିଦା ପୂର୍ବବର୍ଷ ତୁଳନାରେ ୧୩% କମିଯାଇଛି। ମୁଁ ମୁକେଶ କୁମାର ସୁରାନା ଯେକି ହୁିନ୍ଦୁସ୍ଥାନ ପେଟ୍ରୋ କ୍ୟାମିକାଲ୍ସର ଚେୟାରମ୍ୟାନଙ୍କର ଉକ୍ତିକୁ ଦୋହାରାଇବାପାଇଁ ଚାହୁଁଛି। ସେ କହିଲେ ଭାରତରେ ପୂର୍ବବର୍ଷ ତୁଳନାରେ ଶତପ୍ରତିଶତ ତୈଳର ଚାହିଦା ଫେରିନାହିଁ। କାରଣ ଏବେବେି ବିଭିନ୍ନ ରାଜ୍ୟରେ କୋଭିଡର ସ୍ଥିତି ପରିଲକ୍ଷିତ ହେଉଛି। ଯଦି ଚାହିଦା କମ ଅଛି ଏବଂ କଂଚା ଅଣବିଷୋଧିତ ତୈଳ ର ଦାମ ପାଖାପାଖି ୭୦ରୁ ୭୨% ୨୦୧୪ ମସିହାର ଦାମ ତୁଳନରେ କମିଛି ତାହାଲେ କାହିଁକି ଆଜି ପେଟ୍ରୋଲର ଓଡ଼ିଶାରେ ୧୦୦ଟଙ୍କାରେ ପଂହଚିଗଲାଣି ଏବଂ ଡିଜେଲ ୯୬ଟଙ୍କା ପାଖାପାଖି ହୋଇଗଲାଣି। ସେ କହିଛନ୍ତି ନେପାଲ, ଶ୍ରୀଲଙ୍କା, ପାକିସ୍ଥାନ, ବାଙ୍ଗଲାଦେଶ, ଆଫିଗାନସ୍ଥାନ ଆଦି ଦେଶମାନେ ବିଦେଶରୁ ତୈଳ ଆମଦାନି କରି ନିଜ ଦେଶରେ ଜନତାଙ୍କୁ ଯୋଗାଇଥାନ୍ତି। ଯଦି ସେ ସବୁ ଦେଶଗୁଡ଼ିକରେ ତେଲର ଦାମ ପାଖାପାଖି ୫୬ରୁ ୬୦ଟଙ୍କା ଭିତରେ ରହୁଛି ତାହାହେଲ ଆମର ଏତେ ଅଧିକ? କ’ଣ ଖାଲି ଶୀତଦିନ କଥା? ଜାଳେଣୀ ଗ୍ୟାସର ହୁ ହୁ ଦର ବୃଦ୍ଧି ଯୋଗୁଁ ଏବେ ଗୃହିଣୀମାନଙ୍କ ଆଖିରୁ ସବୁଦିନ ଲୁହ ଝରୁଛି କିନ୍ତୁ ୨୦୧୬ ମସିହାରେ ଉଜ୍ଜଳା ଗ୍ୟାସର ଶୁଭାରମ୍ଭ କଲାବେଳେ ପ୍ରଧାନମନ୍ତ୍ରୀ କହିଥିଲେ ୮କୋଟି ମା ମାନଙ୍କ ଆଖିରୁ ଲୁହ ନ ଗଡାଇବା ପାଇଁ ତାଙ୍କର ଏହି ଉଦ୍ୟମ। ସାରା ଭାରତବର୍ଷରେ ୨୮.୧୩ କୋଟି ମହିଳା ପ୍ରତିଦିନ ତାଙ୍କ ଆଖିରୁ ଲୁହ ଗଡ଼ାଉଛନ୍ତି। ୨୦୧୫ ମସିହାରେ ଗ୍ୟାସର ଦାମ ଯେତେବେଳେ ପାଖାପାଖି ୯୦୦ ଟଙ୍କା ଥିଲା ସେତେବେଳେ ସବସିଡ୍ ଆକାରରେ ୫୬୩ଟଙ୍କା ଗ୍ରାହକଙ୍କ ଖାତାକୁ ସିଧାସଳଖ ଦିଆଯାଉଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ୨୦୨୦ ମସିହା ଅପ୍ରେଲ ମାସ ରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ କେନ୍ଦ୍ର ସରକାର କୌଣସି ଗ୍ରାହକଙ୍କ ଖାତାକୁ ଗ୍ୟାସର ସବସିଡ ଟଙ୍କା ପଠାଇ ନାହାନ୍ତି ଏବଂ ଏବେ ଗ୍ରାହକଙ୍କ ଖାତାକୁ ୧୩ଟଙ୍କା ୮୨ ପଇସା ଖାତାକୁ ପଠାଯାଉଛି ଏକ ୧୪.୨ କେଜି ଜାଳେଣୀ ଗ୍ୟାସ ସିଲିଣ୍ଡର ଉପରେ। ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଜାଳେଣୀଗ୍ୟାସ ଏବଂ କିରୋସିନି ଉପରେ ସବସିଡି ପାଖାପାଖି ଶୁନ କରିସାରିଛନ୍ତି। ଏ ସବୁବର ମୁଖ୍ୟ କାରଣ ହେଲା କେନ୍ଦ୍ର ସରକାରଙ୍କର ଅର୍ଥନୀତିକୁ ପରିଚାଳନା କରିବାର ଦକ୍ଷତାର ଅଭାବ। ସେଥିପାଇଁ କୌଣସି ଦିନ ବା ଋତୁ ଦାୟି ନୁହେଁ। ୫ ଟ୍ରିଲିୟର ଅର୍ଥନୀତିର ସ୍ୱପ୍ନ ଦେଖାଉଥିବା କେନ୍ଦ୍ର ସରକାର ୨୦୧୯-୨୦ର ଆର୍ଥିକ ବର୍ଷର ପାଖାପାଖି ୧୩ ହଜାର କୋଟି ଟଙ୍କାର ସବସିଡି (କିରୋସିନି ଏବଂ ଜାଳେଣିଗ୍ୟାସ) ଟଙ୍କା ଭରଣା କରିନାହାନ୍ତି। ପ୍ରଧାନ ମନ୍ତ୍ରୀ ଶ୍ରୀ ମୋଦିଜୀ କହୁଛନ୍ତି ତୈଳ ବୃଦ୍ଧିର ପ୍ରମୁଖ କାରଣ ପୂର୍ବ କଂଗ୍ରେସ ସରକାରର ଭୁଲ ନିଷ୍ପତି ଏବଂ ତୈଳ କମ୍ପାନୀମାନଙ୍କ ଋଣ ବୋଝ ଯୋଗୁଁ ଆମେ ତାକୁ ସୁଝୁଛୁ। ପ୍ରକୃତ କଥା ହେଲା ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ମାତ୍ର ଦୁଇଟି ତୈଳ ବନ୍ଦ ଯାହାର ମୂଲ୍ୟ ଯାହାର ମୂଲ୍ୟ ୩୫୦୦ କୋଟି (୧୭୫୦ x ୨ କୋଟି) ପରିଶୋଧ କରିଛନ୍ତି। ଅଟଲ ବିହାରୀ ବାଜପେୟୀଙ୍କ ସରକାର ସମୟରେ ୨୦୦୨ ମସିହା ଅପ୍ରେଲ ମାସ ୨ ତାରିଖ ଏକ ନୂଆ ନିୟମ ଆଣିଲେ। ଏହି ସମୟରେ ପୂର୍ବରୁ ଥିବା ଅଏଲପୁଲ ଡେଫିସିଟ୍ ଏକାଉଂଟକୁ (ତୈଳ ନିଅଂଟ ଏକାଉଂଟ) ବନ୍ଦ କରିଦିଆଗଲା ଏବଂ ସେତେବେଳ ଯେଉଁ APM (Administred Pricing Mechanism) ଥିଲା ତାହା ବନ୍ଦ କରିଦିଆଗଲା। ଅର୍ଥାତ ସରକାର ସେତେବେଳେ ତୈଳ ଦାମକୁ ନିର୍ଦ୍ଧାରଣ କରିବା ପାଇଁ କିଛି ଶାସନଗତ ବ୍ୟବସ୍ଥା ରଖିଥିଲେ। ସେହି ସରକାର ସମୟରେ ତୈଳ କମ୍ପାନୀମାନଙ୍କର ସବସିଡ ଏମାଉଂଟକୁ ଟଙ୍କା ଆକାରରେ ଦେବା ପରିବର୍ତେ ଅଏଲ ବଣ୍ଡ ଇସୁ କରିବା ପାଇଁ ନିଷ୍ପତି ନିଆଗଲା। ଏହି ବଣ୍ଡଗୁଡ଼ିକ ଦୀର୍ଘ ମିଆଦି ବଣ୍ଡ ଯଥା ୧୦ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ ଏହା ଇସୁ କରାଯାଇଥାଏ। ବାଜପେୟୀଙ୍କ ସରକାରଠାରୁ ଆରମ୍ଭ କରି କଂଗ୍ରେସ ମେଂଟ-୧ ଓ ୨ ସରକାର ମଧ୍ୟରେ ଯେଉଁ ସବୁ ଅଏଲ ବଣ୍ଡ ଇସୁ କରାଯାଇଥିଲା ତନ୍ମ ମଧ୍ୟରୁ ୧୦ ହଜାର କୋଟି ଟଙ୍କାର ଅଏଲ ବଣ୍ଡ ପରିଷୋଧ କରାସରିଛି। ୨୦୨୪-୨୬ ଭିତରେ ବାକିତକ ୧ଲକ୍ଷ ୩୦ ହଜାର କୋଟି ଟଙ୍କା ବଣ୍ଡ ପରିଷୋଧ କରାଯିବ। କିନ୍ତୁ ବାରମ୍ବାର ତୈଳଦର ବୃଦ୍ଧି ଯୋଗୁଁ ପାଖାପାଖି ୨୧ଲକ୍ଷ ୫୦ ହଜାର କୋଟି ଟଙ୍କା ଆୟ ତୈଳ କମ୍ପାନୀମାନେ ଆୟ କରିସାରିଛନ୍ତି। ତାହାହେଲ କାହା ସ୍ୱାର୍ଥରେ ଏହି ଅପ୍ରତ୍ୟାଶିତ ଦର ବୃଦ୍ଧି? ଡିଜେଲର ଦାମ ହୁ ହୁ ହୋଇ ବଢ଼ିବା ଯୋଗୁଁ ପାଇକାରୀ ମୁଦ୍ରାସ୍ପିତି (Retail Inflation) ଆଜି ୭.୫%ରେ ପହଂଚିଲାଣି ଖାଦ୍ୟଦ୍ରବ୍ୟର ମୁଦ୍ରାସ୍ପିତି (Food Inflation) ୩୫%ରୁ ଅଧିକ ଘଟିଲାଣି। ଏହାର ପ୍ରଭାବ ଆଜି ହାଣ୍ଡିଶାଳ ଠାରୁ ଆରମ୍ଭ କରି ଭାତଥାଳି ପର୍ଯ୍ୟନ୍ତ ପଡ଼ିସାରିଲାଣି। ତେଣୁ ଅହଙ୍କାରକୁ ବର୍ଜନ କରି ଶୀଘ୍ର ଭାରତ ବର୍ଷର କୋଟି କୋଟି ଜନତାଙ୍କ ସ୍ୱାର୍ଥ ରକ୍ଷା କରିବା ଦିଗରେ ଅତି ଶୀଘ୍ର ତୈଳ, ପେଟ୍ରୋଲ, ଡିଜେଲ ଏଂ ଜାଲେଣୀ ଗ୍ୟାସର ଦାମ କମାନ୍ତୁ। ତଂଟିଚିପି କର ଆଦାୟ କରିବା କ’ଣ ଆପଣଙ୍କର ନୂଆ ଭାରତର ସ୍ୱପ୍ନ କି? ମିଛ କହିବା ଏବଂ ମିଛକୁ ବାରମ୍ବାର କହିବା ଏବଂ ଆପଣଙ୍କ ଦ୍ୱାରା ପୋଷାଯାଉଥିବା ଗଣମାଧ୍ୟମରେ କୁହାଇବା ଏହା ଆପଣଙ୍କର ବୃତିଗତ ପେଷା। କିନ୍ତୁ ଶାସନ କରିବାର ଦକ୍ଷତା ସର୍ବୋପରି ଅପରିହାର୍ଯ୍ୟ।