Odiapua.com

ତୃତୀୟ ଲିଙ୍ଗଙ୍କୁ ମିଳିଲା ଭତ୍ତା

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ରହିଥିବା ତୃତୀୟ ଲିଙ୍ଗଙ୍କୁ ପ୍ରଥମ ଥର ଲାଗି ଭତ୍ତା ପ୍ରଦାନ କରାଯାଇଛି । ଭଦ୍ରକ ଜିଲ୍ଲାର ଅର୍ଦ୍ଧନାରୀଶ୍ୱର କିନ୍ନର ମହାସଂଘ ପକ୍ଷରୁ ବହୁଦିନ ଧରି ହୋଇ ଆସୁଥିବା ଦାବୀ ଏବେ ପୂରଣ ହୋଇଛି । ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ଭତ୍ତା ବଣ୍ଟନ କରିଥିଲେ । ଏହି ପ୍ରକ୍ରିୟାରେ ଆଜି ମାଧବୀ ପତି, ସୀମା ଟାଙ୍ଗୁର, ସୁନିତା ମହାନ୍ତ, ସଞ୍ଜନା ସାସ୍‌ମଲ, ଶ୍ରାବଣୀ କିନ୍ନର, ଚମ୍ପା ନାୟକ, ପାୟଲ କିନ୍ନର ପ୍ରମୁଖଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ୨୦୨୦ ନଭେମ୍ବର ଓ ଡିସେମ୍ବର ୨ ମାସର ଭତ୍ତା ବାବଦକୁ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଡ. ଜ୍ଞାନ ଦାସଙ୍କ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।