Odiapua.com

ତୁଳସୀ ମହିଳା ମହାବିଦ୍ୟାଳୟରେ ପୋଷଣମାସ ପାଳିତ

କେନ୍ଦ୍ରାପଡ଼ା ୨୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଭାରତ ସରକାରଙ୍କ ନିର୍ଦେଶ କ୍ରମେ ତୁଳସୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଆଜି ପୋଷଣମାସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଏକମାସ ଧରି ଚାଲିବ। ଆଜିର କାର୍ଯ୍ୟକ୍ରମରେ “ଶିଶୁର ଶାରୀରିକ ଓ ମାନସିକ ବିକାଶରେ ପୋଷଣର ଭୂମିକା” ଶୀର୍ଷକ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ସାହୁ ସ୍ୱାଗତ ଭାଷଣ ଦେବା ସହିତ ମନୁଷ୍ୟ ଶରୀର ପାଇଁ ପୋଷଣର ଗୁରୁତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। +୩ ଜାତୀୟ ସେବା ଯୋଜନା ଅଧିକାରୀ ଡଃ ମଥୁରୀ ଚରଣ ନାୟକ ବର୍ତ୍ତମାନ ସମୟରେ ସୁସ୍ଥ ଶରୀର ପାଇଁ କେଉଁ କେଉଁ ପ୍ରକାରର ପୋଷଣର ଆବଶ୍ୟକତା ରହିଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଡଃ କଳ୍ପନା ବିଶ୍ୱାଳ ପୋଷଣର ଅର୍ଥ ଓ କିଭଳି ମନୁଷ୍ୟର ସୁସ୍ଥ ସଠିକ୍ ଓ ସନ୍ତୁଳିତ ପୋଷଣର ଆବଶ୍ୟକତା ରହିଛି ଏବଂ ସଠିକ ପୋଷଣର ଅଭାବରେ ଆମ୍ଭେମାନେ କେଉଁ କେଉଁ ରୋଗର ଶିକାର ହୋଇଥାଉ ସେ ସମ୍ପର୍କରେ ଆଲୋଚନା କରିଥିଲେ। +୩ ଜାତୀୟ ସେବା ଯୋଜନା ଅଧିକାରୀ ଡଃ ପଦ୍ମଜା କବି ଶତପଥୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। +୨ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଜୟଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା/ଅଧ୍ୟାପକ ଛାତ୍ରୀ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ।