Odiapua.com

ତୁଳସୀ ମହିଳା ମହାବିଦ୍ୟାଳୟରେ ପୋକ୍‌ସୋ ଆଇନ ଉପରେ ରାଜ୍ୟସ୍ତରୀୟ ଆଲୋଚନା

କେନ୍ଦ୍ରାପଡ଼ା ୧୭ ଜୁଲାଇ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଆନ୍ତର୍ଜାତୀୟ ନ୍ୟାୟ ଦିନସ ଉପଲକ୍ଷେ ତୁଳସୀ ମହିଳା ମହାବିଦ୍ୟାଳୟରେ ଆଜି ଆଇ.କ୍ୟୁ.ଏ.ସି. ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ଏକ ରାଜ୍ୟସ୍ତରୀୟ ଆଭାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। “ଲିଙ୍ଗଗତ ନ୍ୟାୟ ସମ୍ପର୍କୀତ ପୋକ୍‌ସୋ ଆଇନ” ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ରଞ୍ଜନ ସାହୁ ପୌରହିତ୍ୟ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରି କେବଳ ଝିଅମାନେ ନୁହଁନ୍ତି ପୁଅମାନେ ମଧ୍ୟ ଯୈାନ ଉତ୍ପୀଡନର ଶିକାର ହେଉଥିବା ବିଷୟରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଡଃ ମଥୁରୀ ଚରଣ ନାୟକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଶିଶୁମାନେ କିପରି ନିଜର ସମ୍ପର୍କୀୟମାନଙ୍କ ଦ୍ୱାରା ଯୈାନ ଶୋଷଣର ଶିକାର ହେଉଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉଚ୍ଚ ଶିକ୍ଷା ବିଭାଗର ଉପ ସଚିବ ଡଃ ରମେଶ ଚନ୍ଦ୍ର ବେହେରା ମହିଳା ସଶକ୍ତିକରଣ ଓ ନାରୀବାଦ ତଥା ପୋକ୍‌ସୋ ଆଇନ ବିଷୟରେ ଆଲୋଚନା କରିବା ସହିତ ଗ୍ରାମାଞ୍ଚଳରେ ପୋକ୍‌ସୋ ଆଇନର ବାର୍ତ୍ତା ଓ ଆଇନ ବିଷୟରେ ଅନଭିଜ୍ଞ ବ୍ୟକ୍ତିମାନଙ୍କ ପାଖରେ ପହଁଞ୍ଚାଇବାରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଓଡିଶା ହାଇକୋର୍ଟର ଅଭିଜ୍ଞ ଆଇନଜିବୀ ଆଶୁତୋଷ ମିଶ୍ର ପୋକ୍‌ସୋ ଆଇନର ବିଭିନ୍ନ ବିଧି ବ୍ୟବସ୍ଥାକୁ ସରଳ ଓ ପ୍ରାଞ୍ଜଳଭାବରେ ଉପସ୍ଥାପନ କରିଥିଲେ। ଲିଙ୍ଗଗତ ଭେଦରେ ସମସ୍ତଙ୍କୁ ସମାନ ସୁଯୋଗ ସୁବିଧା ଦିଆଯିବା ଓ ମହିଳାମାନଙ୍କର ସୁରକ୍ଷାର ସାମୂହିକ ଦାୟିତ୍ୱ ସମାଜ ଗ୍ରହଣ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। +୩ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଜିଲା ଯୋଜନା ଅଧିକାରୀ ଡଃ ପଦ୍ମଜା କବି ଶତପଥୀ ଅତିଥି ପରିଚୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ଜାତୀୟ ସେବାଯୋଜନା ଅଧିକାରୀ, ଅଧ୍ୟାପକ, ଅଧ୍ୟାପିକା ତଥା ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ +୨ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଜୟଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।