Odiapua.com

ତୁରନ୍ତ ଶ୍ରୀମନ୍ଦିରର ଚାରି ଦୁଆର ଖୋଲ – ଜଗନ୍ନାଥ ସେନା

ପୁରୀ, ୨୨।୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାକୁ ନେଇ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି କୁ ଶ୍ରୀଜଗନ୍ନାଥ ସେନା ବିରୋଧ। ଶ୍ରୀମନ୍ଦିର ଯେଭଳି ଢଙ୍ଗରେ ବନ୍ଦ କରାଯାଇଛି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି। ଶ୍ରୀମନ୍ଦିର ପରିଚାଳନା କମିଟି ବିନା ଅନୁମୋଦନରେ କେବଳ ଛତିସା ନିଯୋଗ ର ମତାମତ ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ସମ୍ପୂର୍ଣ୍ଣ ବେଆଇନ ନିଷ୍ପତ୍ତି। ଛତିସା ନିଯୋଗ କେଵଳ ଶ୍ରୀମନ୍ଦିର ରେ ଶୃଙ୍ଖଳିତ ନୀତିକାନ୍ତି ସମ୍ପର୍କ ରେ ମତାମତ ଦେବାର ନୀୟମ ରହିଛି। ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ତଥା ଶ୍ରୀମନ୍ଦିର ପରିଚାଳନା ନେଇ କୌଣସି ନିଷ୍ପତ୍ତି ନେବାର କ୍ଷମତା ଛତିସା ନିଯୋଗର ନାହିଁ। ଏପରିକି ଶ୍ରୀମନ୍ଦିର ବନ୍ଦକୁ ନେଇ ପୂର୍ବରୁ ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟଙ୍କ ମତାମତ ନ ନିଆଯାଇ ପ୍ରଶାସନିକ ଅଧିକାରୀମାନେ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବି ଶ୍ରୀମନ୍ଦିରକୁ ବନ୍ଦ କରିଛନ୍ତି। ଯାହା ଫଳରେ କୋଟି କୋଟି ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଏବେ ବଞ୍ଚିତ। ଭାରତ କୌଣସି ସ୍ଥାନରେ ଏ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ହୋଇ ନ ଥିବା ବେଳେ କୋଭିଡ ସଂକ୍ରମଣ ଆଳରେ ଶ୍ରୀମନ୍ଦିରକୁ ଭକ୍ତ ଙ୍କ ପାଇଁ ବନ୍ଦ କାହିଁକି କରାଗଲା ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି। ସେହିପରି ଶ୍ରୀମନ୍ଦିର ଖୋଲିଲେ ଭକ୍ତଙ୍କ ଆଗମନ ହେତୁ ପୁରୀରେ ସେବାୟତଙ୍କ ଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ, ଉଠା ଦୋକାନୀ, ରିକ୍ସା, ଅଟୋ, ଆଦି ବିଭିନ୍ନ ବ୍ୟବସାୟୀ ରୋଜଗାର କରି ନିଜ ଘର ପ୍ରତିପୋଷଣ କରୁଛନ୍ତି। ରାଜ୍ୟ ସରକାର କୋଭିଡର ତୃତୀୟ ଲହର ସଂକ୍ରମଣ ଏତେ କ୍ଷତିକାରକ ନୁହେଁ ବୋଲି ମତ ଦେଉଥିବା ବେଳେ ପଂଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟ ସମେତ ବଜାର ଘାଟ ଖୁଲମ ଖୁଲା ଚାଲୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ପରିଚାଳନା କମିଟି ବିନା ଅନୁମୋଦନ ରେ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀ ଙ୍କୁ ଆଘାତ ଦେଇଛି। ତୁରନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସର୍ବସାଧାରଣ ରେ କ୍ଷମା ପ୍ରାର୍ଥନା କରି ଶ୍ରୀମନ୍ଦିର ନ ଖୋଲିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି।