Odiapua.com

ତୁରନ୍ତ ନିୟମିତ କର, ନହେଲେ ଡିସେମ୍ବର ୧୭ରୁ ଆନ୍ଦୋଳନକୁ ଓହ୍ଲାଇବେ ୮ ହଜାର ଶିକ୍ଷକ

ଭୁବନେଶ୍ୱର, ତା ୮ା୧୨ (ଓଡ଼ିଆ ପୁଅ) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୨୦୧୫ ମସିହାରୁ ଚୁକ୍ତି ଭିତ୍ତିରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନେ ଇତିମଧ୍ୟରେ ୭ବର୍ଷ କାର୍ଯ୍ୟ କରିସାରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉନାହିଁ। ରାଜ୍ୟ ସଂଘର ଏକ ଜରୁରୀ ବୈଠକ ଭୁବନେଶ୍ୱରସ୍ଥିତ ଶିକ୍ଷକ ଭବନଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ପ୍ରତିନିଧିମାନେ ସରକାରଙ୍କ ଏତାଦୃଶ କାର୍ଯ୍ୟର ଘୋର୍ ନିନ୍ଦା କରିଥିଲେ। ସରକାରୀ ସ୍ତରରେ ସ୍ଥାୟୀ ନିର୍ଦ୍ଦେଶନାମା ରହିଛି ଯେ, ଚୁକ୍ତିଭିତ୍ତିରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନେ ୬ ବର୍ଷ ଅବଧି ପୂରଣ କରିବାର ୬ ମାସ ପୂର୍ବରୁ ନିୟମିତ କାର୍ଯ୍ୟ ଆରମ୍ଭ ହୋଇ ୬ ବର୍ଷ ପୂର୍ତ୍ତି ଦିନ ସେମାନଙ୍କୁ ନିୟମିତ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। କିନ୍ତୁ ନିଜର ନିର୍ଦ୍ଦେଶନାମାକୁ ରାଜ୍ୟ ସରକାର ନିଜେ ଅନୁପାଳନ କରୁନାହାଁନ୍ତି। ଚୁକ୍ତିଭିତ୍ତିରେ ନିଯୁକ୍ତ କର୍ମଚାରୀମାନଙ୍କୁ ୬ ବର୍ଷ ପୁରିବା ମାତ୍ରେ ତୁରନ୍ତ ନିୟମିତ କରିବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ସରକାର ତାକୁ ବେଖାତିର କରିଚାଲିଛନ୍ତି। ଇତିମଧ୍ୟରେ ୭ ବର୍ଷ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ନିୟମିତ ପ୍ରକ୍ରିୟା ଆଗେଇ ପାରୁନାହିଁ। ସରକାର କନିଷ୍ଠ ଶିକ୍ଷକମାନଙ୍କୁ ବୈମାତୃକ ମନୋଭାବ ପୋଷଣ କରି ନିୟମିତ ପ୍ରକ୍ରିୟାକୁ ନାନା ପ୍ରକାର ଆଳ ଦେଖାଇ ଗଡାଇ ଚାଲିବା ସଙ୍ଗେସଙ୍ଗେ ଟାଳଟୁଳ ନୀତିି ଅବଲମ୍ବନ କରୁଥିବା ବିଷୟ ସଂଘ ଅଭିଯୋଗ କରିଛି। ୨୦୧୫ ମସିହାରେ ନିଯୁକ୍ତ ୮୧୦୨ ଜଣ କନିଷ୍ଠ ଶିକ୍ଷକ ନିୟମିତ ଅପେକ୍ଷାରେ ଥିବାବେଳେ ସେମାନେ ଚୁକ୍ତିଭିତ୍ତିରେ ମାତ୍ର ୮୦୯୬ ଟଙ୍କା ଦରମା ପାଉଛନ୍ତି। ୨୦୧୫ ମସିହାଠାରୁ ସରକାର ଦରମା ବୃଦ୍ଧି କଲେନାହିଁ। ୨୦୧୮ ମସିହାରେ ସମସ୍ତ ବର୍ଗର କର୍ମଚାରୀମାନଙ୍କ ଦରମା ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ବୃଦ୍ଧି କରିଥିଲେ ମଧ୍ୟ କନିଷ୍ଠ ଶିକ୍ଷକମାନଙ୍କ ଦରମାରେ ଗୋଟିଏ ଟଙ୍କା ମଧ୍ୟ ବୃଦ୍ଧି କଲେନାହିଁ। ତାକୁ ସହ୍ୟ କରି ୬ ବର୍ଷ ପୂରଣ କରିସାରିଥିବା କନିଷ୍ଠ ଶିକ୍ଷକମାନଙ୍କର ଧୈର୍ଯ୍ୟର ସୀମା ଲଙ୍ଘନ କରିସାରିଛି ଏବଂ ଏତେ ସ୍ୱଳ୍ପ ଦରମାରେ ଜୀବନ ବିତାଉଥିବା ଶିକ୍ଷକମାନଙ୍କ ଜୀବନ ଶୈଳୀ ଅତ୍ୟନ୍ତ ଦୁର୍ବିସହ ହୋଇ ନୈରାଶ୍ୟଭାବ ସୃଷ୍ଟି ହୋଇଛି। ନିୟମିତ ପ୍ରକ୍ରିୟାକୁ ଅପେକ୍ଷା କରି କରି ଇତିମଧ୍ୟରେ କିଛି କନିଷ୍ଠ ଶିକ୍ଷକଙ୍କର ଅକାଳରେ ମୃତ୍ୟୁ ମଧ୍ୟ ଘଟିସାରିଲାଣି। ସେମାନେ ସରକାରୀ ଚାକିରୀ କରି ପାଇଲେ କ’ଣ ବୋଲି ସଂଘ ସରକାରଙ୍କୁ ପ୍ରଶ୍ନ କରିଛି ? ଯଦି ସରକାର ୨୦୧୫ ମସିହା କନିଷ୍ଠ ଶିକ୍ଷକମାନଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ନିୟମିତ ନ କରନ୍ତି, ତେବେ ଆସନ୍ତା ଡିସେମ୍ବର ୧୭ ତାରିଖରୁ ୮ ହଜାରରୁ ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ଲୋୟର ପି.ଏମ୍‌.ଜି. ଠାରେ ଅହୋରାତ୍ର ଗଣଧାରଣା ଦେବେ। ତା’ପରେ ଯଦି ନିୟମିତ ନ ହୁଅନ୍ତି, ତେବେ ଆନ୍ଦୋଳନ ଚାଲୁ ରଖିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ବର୍ଜନ କରିବେ ବୋଲି ସଂଘର କର୍ମକର୍ତ୍ତା ସରୋଜ କୁମାର ପଣ୍ଡା, ସ୍ମାରକ ରଂଜନ ସାହୁ, ରୂପେଶ କୁମାର ସାହୁ, ମାନସ ରଂଜନ ପରିଡ଼ା, ରୂପମା ଗୁରୁ, ପ୍ରଶାନ୍ତ ମେହେର, ପରମେଶ୍ୱର ପୃଷ୍ଟି, ଗୋଲଖ ପରିଡ଼ା, ସୁନୀଲ କୁମାର ଦାସ, ପ୍ରଦୀପ କୁମାର ସେନଗୁପ୍ତା ଓ ପୁଷ୍ପିତା ରାଉତ ପ୍ରମୁଖ ସରକାରଙ୍କଠାରେ ଦାବି ଉପସ୍ଥାପନ କରି ଚରମ ଚେତାବନୀ ଦେଇଛନ୍ତି।