Odiapua.com

ତୁଣ୍ଡୁରା ପୋଲ ଭୁଶୁଡ଼ିବା ଯୋଗୁଁ ସମସ୍ୟାରେ ଲୋକେ – ନୂତନ ପୋଲ ନିର୍ମାଣ ପାଇଁ ଜିଲ୍ଳାପାଳଙ୍କୁ ଗୁହାରୀ

ବାଲେଶ୍ୱର, ୨୦-୬ (ଓଡ଼ିଆ ପୁଅ/ଅଭୟ ଦାସ) : ଭୁଶୁଡ଼ି ପଡ଼ିଥିବା ୪୦ ବର୍ଷର ପୁରୁଣା ତୁଣ୍ଡୁରା ପୋଲର ପୁନଃ ନିର୍ମାଣ ଦାବିରେ ୧୦ ଖଣ୍ଡ ମୌଜାର ଗ୍ରାମବାସୀ ଶୁକ୍ରବାର ଦିନ ବାଲେଶ୍ୱର ଜିଲ୍ଲାପାଳଙ୍କଠାରେ ଗୁହାରୀ କରିଛନ୍ତି। କୋଷ୍ଟ କେନାଲ ଉପରେ ନିର୍ମାଣ ହୋଇଥିବା ଏହି ପୋଲ ଦେଇ ତୁଣ୍ଡୁରା ପାହିଁ, ଖଡ଼ୁପାହି, କଣ୍ଟର୍ଦ୍ଦାପାହି, ଦେଉଳବାଡ଼, କୁସୁମୁଳି ପ୍ରଭୃତି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଜନସାଧାରଣ ପ୍ରତିଦିନ ଯା’ଆସ କରିଥାନ୍ତି। ଏଥି ସହିତ ତୁଣ୍ଡୁରା, କୁଅଁରପୁର, ଶାଳପାଢ଼ୀ ପ୍ରଭୃତି ଗାଁ’ର ଲୋକେ ଦୈନନ୍ଦିନ କୋଷ୍ଟ କେନାଲର ପୂର୍ବପାଶ୍ୱର୍ରେ ଥିବା ନିଜର ବିଲବାଡ଼ି ଓ ଜମିକୁ ଯାଇଥା’ନ୍ତି। ୪୦ ବର୍ଷ ପୂର୍ବର ସଦର ବିଧାୟକ ଗୋପନାରାୟଣ ଦାସଙ୍କ ପ୍ରଚେଷ୍ଟାରେ ହୋଇଥିବା ଏହି ପୋଲ କ୍ରମଶଃ ନଷ୍ଟ ହୋଇ ଚାଲିଥିବା ବେଳେ ଏଠାରେ ଅନ୍ୟଏକ ନୂତନ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରି ଆସୁଥିଲେ। ଏନେଇ ବିଭାଗୀୟ ଅଧିକାରୀଙ୍କ ସମେତ ଲୋକ ପ୍ରତିନିଧି ଓ ରାଜନେତାଙ୍କଠାରେ ଗ୍ରାମବାସୀମାନେ ବହୁବାର ନିବେଦନ କରିଛନ୍ତି। କେବଳ ପ୍ରତିଶ୍ରୁତି ମିଳିଥିଲା। ମାତ୍ର ନୂତନ ପୋଲ ନିର୍ମାଣ ନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ ଜିବନ ଜୀବିକାର ଅଂଶବିଶେଷ ପାଲଟିଥିବା ଏହି ପୋଲଟି ଗତ ୪ ଦିନ ପୂର୍ବରୁ ଭୁଶୁଡ଼ି ପଡ଼ିବା ଯୋଗୁଁ ୧୦ ଖଣ୍ଡ ମୌଜାର ଲୋକଙ୍କ ଯିବା ଆସିବାରେ ନାନାଦି ସମସ୍ୟା ସୃଷ୍ଟି ହୋଇଥିବା ସେମାନେ କହିଛନ୍ତି। ଏନେଇ ଉଚିତ ପଦକ୍ଷେପ ନେବା ସହ ଖୁବଶୀଘ୍ର ଅନ୍ୟଏକ ପକ୍କା ପୋଲ ନିର୍ମାଣ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ତେବେ ଚଳିତ ବର୍ଷାଋତୁ ସମୟରେ ଲୋକଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ଆପାତତଃ ଆଶୁ ପ୍ରତିକାର ସ୍ୱରୁପ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ ପାଇଁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରାମବାସୀମାନେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ସ୍ମାରକପତ୍ର ପ୍ରଦାନ ବେଳେ ତୁଣ୍ଡୁରା ସରପଞ୍ଚ ଅଜୟ ବାରିକଙ୍କ ସମେତ ଚନ୍ଦନ ଦାସ, କାର୍ତ୍ତିକ ଚନ୍ଦ୍ର ବେହେରା, ସଂଯୁକ୍ତା ବିଶ୍ୱାଳ, ଦୀପିକା ନାୟକ, ମନସ୍ୱିନୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।