Odiapua.com

ତିହିଡ଼ି ବ୍ଲକର ୪ ପଞ୍ଚାୟତକୁ ନେଇ କୃଷକ ସୁରକ୍ଷା କମିଟି ଗଠିତ

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନରେ ଥିବା ୪ପଞ୍ଚାୟତର କୃଷକମାନଙ୍କୁ ନେଇ କୃଷକ ସୁରକ୍ଷା କମିଟି ଗଠିତ ହୋଇଛି । ଏହି ଅବସରରେ ବୁଧବାର ସନ୍ଧ୍ୟାରେ କମାରିଆ ବଜାରରେ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ସରପଞ୍ଚ ମୀନକେତନ ସେନାପତି ପୌରୋହିତ୍ୟ କରିଥିଲେ । ଏହି ସମାବେଶରେ କୋହ୍ଲ, ଫତେପୁର, ମଙ୍ଗଳପୁର ଓ ସିନ୍ଦୋଳ ପଞ୍ଚାୟତର ଶତାଧିକ କୃଷକମାନେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ରବିଫସଲ ପାଇଁ ଦଶମୌଜା କେନାଲର ସଂସ୍କାର କରାଯାଇ ଜଳ ଯୋଗାଇ ଦିଆଯିବା, ନାଗରାପିଟା ଓ ଖାଡ଼ଙ୍ଗା ନାଳ ସଂସ୍କାର କରିବା, ମାଙ୍କଡ଼ ଓ ଷଣ୍ଢଙ୍କ ଦାଉରୁ ପନିପରିବା ଫସଲର ସୁରକ୍ଷା ଉପରେ ଚାଷୀମାନେ ବକ୍ତବ୍ୟରେ ଗୁରୁତ୍ୱ ଦେଇଥିଲେ । ଶେଷରେ ସୁରେଶ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ । ପରେ କୃଷକମାନଙ୍କୁ ନେଇ କୃଷକ ସୁରକ୍ଷା କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ପୂର୍ବତନ ସରପଞ୍ଚ ମିନକେତନ ସେନାପତି, ଉପସଭାପତି କରୁଣାକର ମହାରଣା, ସାଧାରଣ ସମ୍ପାଦକ ରମାକାନ୍ତ ଯେନା, ସହସମ୍ପାଦକ ବିଚିତ୍ର ବାରିକ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଗୋଛାୟତ ମନୋନୀତ ହୋଇଥିବା ବେଳେ ସଦସ୍ୟ ଭାବେ ଶ୍ରୀଧର ବାରିକ, ସୁବାସ ଚନ୍ଦ୍ର ଦାସ, ପ୍ରକାଶ ଚନ୍ଦ୍ର ଜେନା, ଚିତ୍ତରଞ୍ଜନ ଗୋଥ, ରଙ୍ଗାଧର ସେଠୀ, ନିରଂଜନ ମହଳିକ, ଅଭିମନ୍ୟୁ ଗୋଚ୍ଛାୟତ, ଗୋଦାବରୀଶ ପାଣିଗ୍ରାହୀ, ବିଜୟ ପଣ୍ଡା, ଧନେଶ୍ୱର ମହାଳିକ, ମୋହନ ଚରଣ ଗୋଚ୍ଛାୟତ ପ୍ରମୁଖଙ୍କୁ ମନୋନୀତ କରାଯାଇଥିବା ଜଣାପଡ଼ିଛି ।