Odiapua.com

ତିହିଡ଼ି ପୁଲିସର ସଫଳତା, ଚୋରି ୮୦ହଜାର ଟଙ୍କା ଜବତ, ୨ଗିରଫ

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଥାନା ଦୋଳସାହି ପଞ୍ଚାୟତ ଅଧୀନ ରାଣୀପୁର ଗ୍ରାମର ମାଧବଚନ୍ଦ୍ର ମହାରାଜ ନାମକ ଜଣେ ବ୍ୟକ୍ତିଙ୍କ ସାଇକେଲରେ ଟଙ୍ଗା ଯାଇଥିବା ଝୁଲାରୁ ୮୦ ହଜାର ଟଙ୍କା କେହି ଦୁର୍ବୁତ୍ତ ଚୋରି କରି ନେଇଥିଲେ । ତିହିଡ଼ି ଥାନା ଅଧିକାରୀ ଏମ.ଡି. ହାପିଜ୍ ଖବର ପାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ଚୋରି ୮୦ ହଜାର ଟଙ୍କାକୁ ଅଭିଯୁକ୍ତମାନଙ୍କ ଠାରୁ ଜବତ କରି ଅଭିଯୋଗକାରୀ ମଧବଙ୍କୁ ଫେରସ୍ତ କରିଥିବା ଜଣାପଡ଼ିଛି । ଏହି ଘଟଣା ପରେ ପୁଲିସକୁ ନିଶ୍ଚିତ ଏକ ବଡ଼ ସଫଳତା ମିଳିଛି ବୋଲି କୁହାଯାଉଛି । ପ୍ରକାଶ ଯେ, ୨୦.୫.୨୦୨୩ ତାରିଖରେ ମାଧବ ଚନ୍ଦ୍ର ମହାରାଜ ସ୍ଥାନୀୟ ଦୋଳସାହି ୟୁକୋ ବ୍ୟାଙ୍କରୁ ୮୦ ହଜାର ଟଙ୍କା ଉଠାଇଥିଲେ । ପରେ ସେ ଟଙ୍କାକୁ ଝୁଲାରେ ରଖି ସାଇକେଲରେ ଟଙ୍ଗାଇ ଦୋଳସାହି ଗୋରୁହାଟ ନିକଟରେ ସାଇକେଲ ରଖି ପାଣି ପିଇବାକୁ ଯାଇଥିଲେ । ଏହି ସମୟରେ ଗାଜିପୁର ଗ୍ରାମର ମନୋରଂଜନ ନାଥ ଓ ଧନେଶ୍ୱର ଜେନା ଟଙ୍କା ବ୍ୟାଗକୁ ଚୋରି କରି ନେଇଥିଲେ । ଏ ସମ୍ପର୍କରେ ମାଧବ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨୨୩/୨୩ରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତତ୍‌କ୍ଷଣାତ୍ ଥାନା ଅଧିକାରୀ ଏମ.ଡି. ହାପିଜ ନିଜର କୌଶଳକ୍ର୍ରମେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସୋମବାର ସେମାନଙ୍କ ଠାରୁ ଚୋରି ୮୦ ହଜାର ଟଙ୍କା ଜବତ କରିଥିଲେ । ଥାନା ଅଧିକାରୀ ଏମ.ଡି ହାପିଜ୍‌ଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଅରୁନ୍ଧତୀ ବେହେରା ଘଟଣାର ତଦନ୍ତ ଚଳାଇଥିବା ବେଳେ ଜବତ ୮୦ ହଜାର ଟଙ୍କାକୁ ଅଭିଯୋଗକାରୀ ମାଧବଙ୍କୁ ଫେରସ୍ତ କରିଥିବା ଜଣାପଡ଼ିଛି ।