Odiapua.com

ତିହିଡି ଥାନା ପୁଲିସ୍ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛି କାହା ସ୍ୱାର୍ଥରେ!, ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ନାବାଳିକାଙ୍କ ପୁତ୍ର ସନ୍ତାନ ଜନ୍ମ

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ତିହିଡି ଥାନା ଅଧୀନସ୍ଥ ପୀରହାଟ ଫାଣ୍ଡି ଅଂଚଳର ଜଣେ ନାବାଳିକା ପୁଲିସ୍ ଦ୍ୱାରା ନ୍ୟାୟ ନପାଇ ଶେଷରେ ଦୁଇ ଅଭିଯୁକ୍ତ ଓ ନିଜ ସାବତ ମା’ଙ୍କ ଦ୍ୱାରା ନିର୍ଯ୍ୟାତିତା ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନ ଜନ୍ମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଘଟଣାର ପ୍ରେକ୍ଷାପଟ ଏହିଭଳି । ପୀରହାଟ ଅଂଚଳର ଜଣେ ବ୍ୟକ୍ତିଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲେ । ମାତ୍ର ପ୍ରଥମ ପତ୍ନୀଙ୍କ ନାବାଳିକା କନ୍ୟାକୁ ତାର ସାବତ ମା’ ନିର୍ଯ୍ୟାତନା ଦେଇଆସୁଥିଲେ । ପିତା ଦୀର୍ଘଦିନ ହେବ ବାହାରେ ରହି କାମ କରୁଥିବା ବେଳେ ଘରକୁ ଆସି ନାବାଳିକା କନ୍ୟାଟି ଗର୍ଭବତୀ ଥିବାର ଜାଣିବାକୁ ପାଇଥିଲେ । ଏ ସଂପର୍କରେ ପିତା ତିହିଡି ଥାନାରେ ଦେଇଥିବା ଅଭିଯୋଗ ମୂଳେ ତାଙ୍କ କନ୍ୟାର ଏଭଳି ଅବସ୍ଥା ପାଇଁ ତାଙ୍କ ଅନୁପସ୍ଥିତିରେ ଦ୍ୱିତୀୟ ପତ୍ନୀ ଓ ଗାଁର ଅନ୍ୟ ଦୁଇଜଣ ଯୁବକ ନିଧି ମଲ୍ଲିକ ଓ ଦିଲ୍ଲୀପ ମଲ୍ଲିକ ଦାୟୀ । ତେବେ ପୁଲିସ୍ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାବେଳେ ସାବତ ମା’ କନ୍ୟାଟିକୁ ଅନ୍ୟ କୌଣସି ଯୁବକ ସହ ସଂପର୍କ ରଖି ବିବାହ କରିବାକୁ ପ୍ରବର୍ତ୍ତାଇଥିଲା । ତେବେ ଏହି ଘଟଣାରେ ପିତା ନାବାଳିକା କନ୍ୟାଟିକୁ ଧରି ନ୍ୟାୟ ପାଇ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଆସିବା ସମୟରେ ଭଦ୍ରକ କଚେରୀ ବଜାରରେ ଗର୍ଭଯନ୍ତ୍ରଣା ହେବାରୁ ଅସହାୟ ହୋଇପଡିଥିଲେ । ଏହାଦେଖି ସ୍ଥାନୀୟ ଭଗତ ସେନାର ହେମନ୍ତ ମହାପାତ୍ର ଓ ସାମାଜିକ କର୍ମୀ ସ୍ୱାଧୀନ ସୁନ୍ଦର ଦାସ ସେମାନଙ୍କୁ ଆସିୟାନାର ସହାୟତାରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଆଜି ପୁତ୍ର ସନ୍ତାନଟିଏ ଜନ୍ମ ହୋଇଛି । ଏହି ଘଟଣାରେ ଭଗତସେନା ଅନୁଷ୍ଠାନ ପକ୍ଷରୁ ପୁତ୍ର ସନ୍ତାନଟିର ନାମ ଭଗତ ରଖାଯାଇ ତାକୁ ସମସ୍ତ ସହାୟତା ଯୋଗାଇ ଦିଆଯିବା ବୋଲି ଅଧ୍ୟକ୍ଷ ସୀତାଂଶୁ ମହାପାତ୍ର ଘୋଷଣା କରିଥିବାର ଜଣାପଡିଛି । ତେବେ ଏହି ଘଟଣାରେ ଜଡିତ ସଂପୃକ୍ତ ଦୁଇ ଯୁବକ ଓ ସାବତ ମା’ ପ୍ରତି ପୁଲିସ୍‌ର ଅହେତୁକ ଅନୁକମ୍ପା କେଉଁ ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।