ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି ଓ ପିରାହାଟ ଅଓଠଳର ୨ଟି ସ୍ଥାନରୁ ସୋମବାର ସକାଳେ ଗୋରୁ ବୋଝେଇ ୨ଟି ପିକଅପ ଭ୍ୟାନକୁ ପୋଲିସ ଜବତ କରିଛି । ଏହି ଘଟଣାରେ ତିହିଡି଼ ଓ ପୀରହାଟ ଥାନାରେ ୨ଟି ମକଦ୍ଦମା ରୁଜୁ ହୋଇଛି । ଚନ୍ଦବାଲିରୁ ୨ଟି ପିକଅପ ଭ୍ୟାନରେ ଗୋରୁ ବୋଝେଇ ହୋଇ ଭଦ୍ରକ ଅଭିମୁଖେ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା ସଦଳବଳେ ସିନ୍ଦୋଳ ପଣ୍ଡାପୋଖରୀ ଛକ ନିକଟରେ ପହଁଚି ଏକ ନମ୍ବରବିହୀନ ଭ୍ୟାନକୁ ଧରିବାକୁ ସକ୍ଷମ ହୋଇଥିଲା । ଭ୍ୟାନରୁ ୧୨ଟି ଗୋରୁକୁ ପୋଲିସ ଉଦ୍ଧାର କରିଥିବା ବେଳେ ଭ୍ୟାନ ଚାଳକ ଫେରାର ହୋଇଯାଇଥିବା ଜଣାଯାଇଛି । ସେହିପରି ଅନ୍ୟ ଏକ ଗୋରୁ ବୋଝେଇ ଭ୍ୟାନକୁ ( ନଂ ଓଡ଼ି ୦୫ବି ୧୪୧୧) ତିହିଡି଼ ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ପୋଲିସ ପିଛା କରୁଥିବା ବେଳେ ଭ୍ୟାନଟି ମିର୍ଜାପୁର ସଂଖ୍ୟାଲଘୁ ବସ୍ତି ଭିତରକୁ ପଶି ଯାଇଥିଲା । ପୋଲିସ ଭ୍ୟାନରୁ ୧୨ଟି ଗୋରୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଏକ ଗୋରୁ ମୃତ ବୋଲି ଜଣାଯାଇଥିଲା । ଭ୍ୟାନରେ ଚାଲାଣ ସମୟରେ ପରସ୍ପର ଭିତରେ ଧକ୍କା ହୋଇ ଗୋରୁଟିର ମୃତ୍ୟୁ ଘଟିଥିବା ଆଇଆଇସି ଶ୍ରୀ ଗ୍ରହାଚାର୍ଯ୍ୟଙ୍କ ଠାରୁ ଜଣାଯାଇଛି । ତେବେ ଉଦ୍ଧାର ହୋଇଥିବା ୨୪ଟି ଗୋରୁଙ୍କୁ ଭଦ୍ରକ ମଇତାପୁରସ୍ଥିତ ଗୋଶାଳାରେ ଛଡ଼ାଯାଇଛି ।ଏହି ଘଟଣାରେ ପୀରହାଟ ଥାନାରେ ମକଦ୍ଦମା (ନଂ ୩୨୫/୨୫) ଏବଂ ତିହିଡି଼ ଥାନାରେ ମକଦ୍ଦମା (ନଂ ୩୯୩/୨୫) ରୁଜୁ ହୋଇଥିବା ଜଣାଯାଇଛି ।