Odiapua.com

ତିହିଡି଼ ବଜାରରେ ମନ୍ଥର ଗତିରେ ଚାଲିଛି ଡ୍ରେନ ନିର୍ମାଣ, ସବୁଦିନିଆ ଖାଙ୍କିହାଟ ସାମ୍ନା ବିପଦସଙ୍କୁଳ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବଜାରରେ ଡ୍ରେନ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଠିକାଦାର ମନଇଚ୍ଛା କାର୍ଯ୍ୟଚଳାଇଛନ୍ତି।ଗୋଟିଏ ପାର୍ଶ୍ୱର କାର୍ଯ୍ୟ ଶେଷ ନ ହେଉଣୁ ଆଉ ଗୋଟିଏ ପାର୍ଶ୍ୱର ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ନାଳ ଖୋଳି ପକେଇ ଦେଇଛନ୍ତି। ଯାହାଫଳରେ ଡ୍ରେନ ନିର୍ମାଣ ସ୍ଥଳ ବିପଦସଙ୍କୁଳ ହୋଇ ରହୁଥିବାରୁ ଲୋକମାନେ ଦୁର୍ଦ୍ଦଶା ଭୋଗି ଚାଲିଛନ୍ତି । ଏପରିକି ସବୁଦିନିଆ ଖାଙ୍କି ହାଟକୁ ଲୋକମାନେ ଯାତାୟାତ କରିପାରୁ ନାହାଁନ୍ତି।ଏନେଇ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ସୁପରଭାଇଜରଙ୍କ ନିକଟରେ ଲୋକମାନେ ଅଭିଯୋଗ କରୁଥିଲେ ମଧ୍ୟ ସେ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତିହିଡି଼ ବଜାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ପାଇଁ ୬କୋଟି ଟଙ୍କା ଅନୁଦାନ ମିଳିଥିଲା । ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯିବା ପରେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତିହିଡି଼ କଲେଜ ଛକ ଠାରୁ ବଜାରର କିଛି ବାଟ ଯାଏଁ ଡ୍ରେନ ନିର୍ମାଣ କରାଯାଇ କାର୍ଯ୍ୟ ବନ୍ଦ କରି ପୁଣି ଥାନା ସାମ୍ନାରେ ନିର୍ମାଣ କରାଯାଇଥିଲା । ସେଠାରେ କାର୍ଯ୍ୟ ଅଧାପନ୍ତରିଆ ରଖି ପୁଣି ଖାଙ୍କି ହାଟ ସାମ୍ନାରେ ଡ୍ରେନ ନିର୍ମାଣ କରାଯାଉଛି । ତେବେ ଡ୍ରେନ ନିର୍ମାଣ ସମୟରେ ଲୋକଙ୍କ ନିରାପତା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ତିହିଡି଼ ହାଟରେ ପରିବା ସହ ବିଭିନ୍ନ ଦୋକାନ ଏବେ ପ୍ରତିଦିନ ଖୋଲୁ ଥିବାରୁ ସହସ୍ରାଧିକ ବିଜାରକୁ ସାମଗ୍ରୀ କିଣିବାକୁ ଯାଉଛନ୍ତି । ରାତି ପର୍ଯ୍ୟନ୍ତ ବଜାର ଖୋଲା ରହୁଥିବାରୁ ବିଭିନ୍ନ ଅଂଚଳର ଲୋକମାନେ ବଜାରକୁ ଯାଉଛନ୍ତି । ତେବେ ଡ୍ରେନ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଲୋକମାନେ ଦୁର୍ଦ୍ଦଶା ଭୋଗୁଥିବା ଜଣାଯାଇଛି । ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସହ ନିର୍ମାଣ ସମୟରେ ଲୋକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବାକୁ ଦାବି ହୋଇଛି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ପାଣିଙ୍କୁ ପଚାରିବାରୁ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କୁ ଏଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯିବ ବୋଲି କହିଛନ୍ତି ।