ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକଫକୀର ମୋହନ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତନ ଉତ୍ସବରେ ଛାତ୍ରୀ ଲିପିପୁଷ୍ପା ଗୁଇଁ ବିଜ୍ଞାନ ଓ ଗଣିତ ବିଭଗରେ ଶ୍ରେଷ୍ଠତା ହାସଲ କରିବ ସହ ବେଷ୍ଟ ଗ୍ରାଜୁଏଟ ଓ ଶ୍ରେଷ୍ଠ ମହିଳା ସ୍ନାତକ ଭାବେ ସଫଳତା ଅର୍ଜନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ୪ଟି ସ୍ୱର୍ଣ୍ଣ ପଦକ ପାଇ ତିହିଡି ଅଂଚଳ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ଲିପିପୁଷ୍ପା ନିଜ ପରିବାରକୁ ସମସ୍ତ ସଦସ୍ୟଙ୍କୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ବାପା ମନୋଜ କୁମାର ଗୁଇଁ, ମା’ ତନୁଜା ଗୁଇଁ ଓ କକା ସୁଶାନ୍ତ କୁମାର ଗୁଇଁ, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ ପରିବାରବର୍ଗଙ୍କ ଅକୁଣ୍ଠ ସହଯୋଗ ଓ ନିରନ୍ତର ପ୍ରେରଣା ଯୋଗୁଁ ଆଜି ସେ ଏହି ସୋପାନରେ ପହଞ୍ଚି ପାରିଛନ୍ତି। ପରିବାରର ଆଶୀର୍ବାଦ ଓ ଶିକ୍ଷକମାନଙ୍କ ମାର୍ଗଦର୍ଶନ ତାଙ୍କୁ ସଫଳ ହେବାରେ ସହାୟକ ହୋଇଛି।ସମାବର୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଭରିଥିଲା। ଲିପିପୁଷ୍ପାଙ୍କ ଭଳି ଜଣେ ପ୍ରତିଭାବାନ ଛାତ୍ରୀଙ୍କୁ ମହାମହିମ ରାଷ୍ଟ୍ରପତି ସମ୍ମାନିତ କରିବା ସମଗ୍ର ତିହିଡି଼ ଅଂଚଳ ପାଇଁ ଗର୍ବ ଓ ଗୌରବର ବିଷୟ। ସେ ଏହି ଗୌରବ ଆଣି ଅନ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କଠିନ ପରିଶ୍ରମ ଓ ଏକାଗ୍ରତା ଛାତ୍ରଛାତ୍ରୀ ମାନଙ୍କୁ ନିଜର ଲକ୍ଷ୍ୟ ସ୍ଥଳରେ ପହେଂଚଇ ପାରିବ ବୋଲି ଲିପିପୁଷ୍ପା କହିଛନ୍ତି।