Odiapua.com

ତିନି ସନ୍ତାନର ମା’ ପ୍ରେମିକ ସହ ଫେରାର, ପୁତ୍ର ସହ ସ୍ୱାମୀ ଏସ୍‌ପିଙ୍କ ଦ୍ୱାରସ୍ତ

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିନୋଟି ସନ୍ତାନର ମାଆ ନିଜର ପ୍ରେମିକ ସହ ଫେରାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଯିବା ସମୟରେ ସ୍ଥାନୀୟ ବ୍ୟାଙ୍କରୁ ମହିଳା ଗ୍ରୁପ୍‌ର ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଓ ସୁନାଗହଣା ନେଇ ଚମ୍ପଟ ମାରିଛି। ଏଣୁ ଗ୍ରୁପ୍ ମହିଳାଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିବା ବିଚରା ନିରୀହ ସ୍ୱାମୀଟି ପତ୍ନୀର ସନ୍ଧାନ ପାଇଁ ଦୁଇମାସ ପୂର୍ବେ ସ୍ଥାନୀୟ ପୀରାହାଟ ଥାନାର ଦ୍ୱାରସ୍ତ ହୋଇଥିଲେ ମଧ୍ୟ କୌଣସି ସହଯୋଗ ନମିଳିବାରୁ ଆଜି ବାଧ୍ୟହୋଇ ପୁତ୍ର ସହ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଶରଣାପନ୍ନ ହୋଇଛି। ତେବେ ଏହି ଘଟଣା ସଂପର୍କରେ ସ୍ୱାମୀର ଲିଖିତ ଅଭିଯୋଗ ମୂଳେ ଏହି ଜିଲାର ପୀରାହାଟ ଥାନା ଅଧୀନସ୍ଥ ଶ୍ୟାମସୁନ୍ଦରପୁର ନିବାସୀ କରୁଣାକର ଓଝାଙ୍କ ପତ୍ନୀ ସାବିତ୍ରୀ (୩୬) ଗତ ମାର୍ଚ୍ଚ ୨ ତାରିଖ ଦିନ ତିହିଡି ସ୍ଥିତ କୋଅପରେଟିଭ୍ ବ୍ୟାଙ୍କକୁ ଗ୍ରୁପ୍ ଟଙ୍କା ଡିପୋଜିଟ୍ କରିବାକୁ ଦିନ ୧୦ଟାରେ ଘରୁ ବାହାରି ଯାଇ ଦିନ ୩ଟା ସୁଦ୍ଧା ନଫେରିବାରୁ କରୁଣାକର ବନ୍ଧୁବାନ୍ଧବ ଓ ସବୁଆଡେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଫଳରେ ସେ ବାଧ୍ୟହୋଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ଗଣମାଧ୍ୟମରେ ସ୍ୱାମୀ କରୁଣାକର କରିଥିବା ଅଭିଯୋଗ ମୂଳେ ତାଙ୍କ ପତ୍ନୀ ସାବିତ୍ରୀଙ୍କ ଔରସରୁ ଦୁଇ ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଥିଲେ ମଧ୍ୟ ସେ ସ୍ଥାନୀୟ ଅଂଚଳର ଜଣେ ଯୁବକ ସହ ଅନୈତିକ ସଂପର୍କ ରଖିଥିଲା। ତେବେ ସେଦିନ ସେ ମହିଳା ଗ୍ରୁପ୍‌ର ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସହ ସୁନାଗହଣା ନେଇ ସଂପୃକ୍ତ ଯୁବକ ସହ ଫେରାର ହୋଇଯାଇଥିଲା। ଦୀର୍ଘ ଦୁଇମାସ ଧରି ପୁଲିସ୍ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସେ ପୁତ୍ର ସହ ଆଜି ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ଦ୍ୱାରସ୍ଥ ହୋଇଛନ୍ତି।