Odiapua.com

ତିନି ଦିନିଆ ଭଦ୍ରକ କଲେକ୍ଟୋରେଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଜିଲ୍ଲା ପୋଲିସ୍ ଟିମ୍ ବିଜେତା, ଜିଲ୍ଲା ରେଜିଷ୍ଟର ଟିମ୍ ରନର୍ସ ଅପ୍

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୨ ରୁ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ତିନି ଦିନିଆ ଭଦ୍ରକ କଲକ୍ଟରେଟ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ରାତ୍ରିରେ ଉଦ୍‌ଯାପିତ ହୋଇଯାଇଛି । ଏହି ଶେଷ ଦିବସରେ ୨ଟି ସେମି ଫାଇନାଲ ସହିତ ଫାଇନାଲ ମ୍ୟାଚ୍ ଖେଳାଳୀ, ଦର୍ଶକ ସମସ୍ତଙ୍କ ପାଇଁ ଖୁବ୍ ଆକର୍ଷଣୀୟ ଓ ଉତ୍ସାହପ୍ରଦ ଥିଲା । ଫାଇନାଲ ମ୍ୟାଚ୍‌ରେ ସିଟି ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀଙ୍କ ଅଧିନାୟକତ୍ୱରେ ଜିଲ୍ଲା ପୋଲିସ୍ ଦଳ ଦମ୍‌ଦାର ଖେଳ ପ୍ରଦର୍ଶନ କରି ପ୍ରତିପକ୍ଷ ଦଳ ଜିଲ୍ଲା ନିବନ୍ଧକ କର୍ମଚାରୀ ଟିମ୍‌କୁ ୧୬ ରନ୍‌ରେ ପରାସ୍ତ କରି କପ୍ ହାସଲ କରିଥିଲା । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଓ ତିନିଦିନ ଧରି ସମସ୍ତ ମ୍ୟାଚରେ ଓମ୍ପାୟାର ଦାୟିତ୍ୱ ତୁଲାଇଥିବା ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ବିଜେତା ଓ ରନର୍ସ ଅପ୍ ଦଳକୁ ଟ୍ରଫି ଓ କପ୍ ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚରେ ଡ଼ି.ଆର.ଏସ.ଟିମ୍ ଟସ୍ ଜିଣି ପ୍ରତିପକ୍ଷ ଦଳକୁ ବ୍ୟାଟିଂ କରିବା ପାଇଁ ସୁୂଯୋଗ ଦେଇଥିଲେ । ଜିତିବା ପାଇଁ ୬୦ ପିଛା କରି ୦.୪ ଓଭରରେ ୧୬ ରନ୍ ପଛରେ ଥାଇ ଅଲ ଆଉଟ୍ ହୋଇ ପୋଲିସ୍ ଟିମ୍ ଠାରୁ ହାରି ଯାଇଥିଲେ ।

ପୋଲିସ୍ ଟିମ୍‌ର ସୁଦାମ ମଲ୍ଲିକ୍ ମ୍ୟାନ ଅଫ ଦି ଫାଇନାଲ ମ୍ୟାଚ୍‌ର କପ୍ ଗ୍ରହଣ କରିଥିଲେ । ଶ୍ରୀଯୁକ୍ତ ମଣ୍ଡଳ ଏବଂ ସୁବ୍ରତ ସ୍ୱାଇଁ ଫାଇନାଲ ମ୍ୟାଚ୍‌ରେ ଓମ୍ପାୟାର କରିଥିଲେ । ପୂର୍ବ ଦୁଇଦିନରେ ୬ଟି ଲିଗ୍ ମ୍ୟାଚ୍ ୮ ଓଭର ବିଶିଷ୍ଟ ଥିବା ବେଳେ ଶେଷ ଦିନରେ ୨ଟି ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ୧୦ ଓଭର ବିଶିଷ୍ଟ ଖେଳାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିବନ୍ଧକ ମଧ୍ୟରେ ଏବଂ ପୋଲିସ ଟିମ ଓ ରାଜସ୍ୱକ୍ଷେତ୍ର କର୍ମଚାରୀ ଟିମ୍ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ବ୍ୟାଙ୍କ କର୍ମଚାରୀ ଶ୍ରୀକାନ୍ତ ରାୟ ୩ ଦିନରେ ଅନୁଷ୍ଠିତ ସମସ୍ତ ମ୍ୟାଚର ଧାରା ବିବରଣୀ ସୁନ୍ଦର ଢଙ୍ଗରେ ପରିବେଷଣ କରିଥିଲେ । ନିର୍ନେକ ଘୋଷ ସ୍କୋଇର୍ ଦାୟିତ୍ୱ ତୁଲାଇଥିଲେ । କଲେକ୍ଟରେଟ୍ କର୍ମଚାରୀ କମିଟିର ସଭାପତି ଅମୂଲ୍ୟ କୁମାର ସାହୁ, ସମ୍ପାଦକ ସରୋଜ କୁମାର ମଲ୍ଲିକ୍ ଓ ଅନ୍ୟତମ ସଦସ୍ୟ ଭାବେ ଶ୍ୟାମ ସୁନ୍ଦର ଜେନା, ଆବୁ ଫେଜ, ଦିଲ୍ଲୀପ ସାମଲ, ମାନସ ଦାସ, ଇତୁଲ ଘୋଷ, ମହେଶ୍ୱର ରାଉତ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୮ଟି ମ୍ୟାଚ୍ ଖେଳାଯାଇ ସମୁଦାୟ ୮୨୯ ରନ୍‌, ୮୧ ଉଇକେଟ୍‌, ୮୦୭ ବଲ, ୧୧୮ଟି ଚୌକା ସଂଗ୍ରହ କରାଯାଇଥିବା ଜଣା ଯାଇଛି ।