Odiapua.com

ତିନି ତଲାକ ବିଲ ପାସ ହେବା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା

ଭୁବନେଶ୍ୱର, ୩୧/୦୭ (ଓଡ଼ିଆ ପୁଅ) : ଦେଶରେ ତିନି ତଲାକ ବିଲ ଆଣିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଐତିହାସିକ ନିଷ୍ପତି। ଏହା ଦ୍ୱାରା ସମସ୍ତ ମୁସଲିମ ମହିଳା ଇଜ୍ଜତର ସହ ବଂଚିପାରିବେ। ତିନି ତଲାକର ନିୟମ ମୁସଲିମ ଧର୍ମଗ୍ରନ୍ଥ କୋରାନ ବି ନାହିଁ। ଶାହାବାନୁ ମାମଲାରୁ ମୁସଲିମ ମହିଳା ସଶକ୍ତିକରଣ ପାଇଁ ଆରମ୍ଭ ହୋଇଥିବା ମହା ଅଭିଯାନକୁ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ତିମ ପର୍ଯ୍ୟାୟରେ ପହଂଚାଇଛନ୍ତି। ମୁସଲିମ ମହିଳାଙ୍କ ପାଇଁ ଏଭଳି ଏକ ଯୁଗାନ୍ତକାରି ପଦକ୍ଷେପ ନେଇଥିବାରୁ ଆଜି ମାଷ୍ଟରକ୍ୟାଂଟିନ ଛକଠାରେ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚାର ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

ମୋଦି ସରକାରଙ୍କ ଏଭଳି ନିଷ୍ପତି ଆମ ମୁସଲିମ ମହିଳାଙ୍କ ପ୍ରତି ଏକ ବରଦାନ। ଏହା ଦ୍ୱାରା ଆମେ ମାନେ ସମ୍ମାନର ସହ ସମାଜରେ ବଂଚି ପାରିବୁ। ମୁସଲିମ ମହିଳାମାନଙ୍କ ସମ୍ମାନ ରକ୍ଷା କରିବା ଏବଂ ଏହାକୁ ବଜାୟ ରଖିବା ଦିଗରେ ଏହି ବିଲ ଏକ ଐତିହାସିକ ପଦକ୍ଷେପ। ଏଥିପାଇଁ ମୁସଲିମ ମହିଳା ମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ବୋଲି ୱାଇଦା ଅନସାରୀ କହିଛନ୍ତି।

ତିନି ତଲାକର ଉଚ୍ଛେଦ ମହିଳା ସଶକ୍ତିକରଣରେ ସହାୟକ ହେବ ଓ ସେମାନଙ୍କୁ ଆମ ସମାଜରେ ସମ୍ମାନର ସହ ବଂଚିବାର ସୁଯୋଗ ଦେବ। ସଂସଦ ତିନି ତଲାକକୁ ଉଚ୍ଛେଦ କରି ମୁସଲିମ ମହିଳାଙ୍କ ପ୍ରତି ହୋଇଥିବା ଐତିହାସିକ ଭୁଲର ସଂଶୋଧନ ହୋଇଛି। ମୋଦୀ ସରକାର ମହିଳାମାନଙ୍କ ଅଧିକାର, ସୁରକ୍ଷା ଏବଂ ସେମାନଙ୍କ ସଶକ୍ତିକରଣ ସୁନିଶ୍ଚିତ କରିବା ପ୍ରତି ସମର୍ପିତ। ମୁସଲିମ ମହିଳାମାନଙ୍କ ଜୀବନରେ ଏହା ଆଶା ଏବଂ ସମ୍ମାନର ଏକ ନୂତନ ଯୁଗର ଆରମ୍ଭ କରିବ, ଏବେଠାରୁ ମୁସଲିମ ମହିଳାମାନଙ୍କ ପାଇଁ ଅସୀମିତ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହେବ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ କହିଛନ୍ତି।

ଏହି ଧନ୍ୟବାଦ କାର୍ଯ୍ୟକ୍ରମରେ ମୁସଲିମ ମହିଳାମାନେ ମିଠା ବାଂଟି ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚାର ସୋନାଲି ସାହୁ, ଉର୍ମିଳା ମହାପାତ୍ର, କସ୍ତୁରୀ ମିଶ୍ର, ଐଶ୍ୱର୍ଯ୍ୟା ଦାସ, ଚିତ୍ରଲେଖା ମହାନ୍ତି, ରଶ୍ମିରେଖା ଦାସଙ୍କ ସମେତ ସଂଖ୍ୟାଲଘୁ ମୋର୍ଚ୍ଚାର ଖରୁନ ନିଶା, ସାବନା ବେଗମ, ରୁଖସ୍ପନା ବେଗମ, ନୁରଜାନ ବିବି, ଅଖତାର ବେଗମ, ସାଇଦା ବିବି, ରୁକସାନା ବିବି, ଏସ. ପରବିନ, ଫିରୁଜା ବିବି, ଜାମିଲା ବିବିଙ୍କ ସମେତ ଶତାଧିକ ମହିଳା ପ୍ରମୁଖ ଉପସ୍ଥିତ ଥିଲେ।