ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୀ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ତଥା ଲୋକାର୍ପଣ ଉତ୍ସବ ପରିପ୍ରେକ୍ଷୀରେ ଚାଉଳ ଓ ଗୁଆ ଅର୍ପଣ ପାଇଁ ଆୟୋଜିତ ଅର୍ପଣ ରଥକୁ ଭଦ୍ରକ ଜିଲା ତିହିଡି ବ୍ଲକ୍ ଅଧୀନ ତାଳପଦା ପଞ୍ଚାୟତରେ ପ୍ରତ୍ୟେକ ୱାର୍ଡରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ଚାଉଳ ଓ ଗୁଆ ଅର୍ପଣ କରାଯାଇଛି । ଶେଷଦିନରେ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା । ମହାପ୍ରଭୁଙ୍କ ପାଇଁ ଉଦ୍ଦିଷ୍ଟ ଅର୍ପଣ ରଥ ପ୍ରଥମ ଦିନରେ ଗୋପ ଗଦାଧରପୁର ଚବିଶ ପ୍ରହାରି କୀର୍ତ୍ତନ ମଣ୍ଡପରୁ ବାହାରି ଗୋପ ଗଦାଧରପୁର ଗୋପ ମହାଳିକ ସାହି ଦେଇ ଦୂତେଇବିନ୍ଧା, ଆଗିରିଆ ପରିକ୍ରମା କରି ଶେଷଦିନରେ ବୈକୁଣ୍ଠସାହି ତାଳପଦାର ସମସ୍ତ ୱାର୍ଡ ପରିଭ୍ରମଣ କରିଥିଲା । ଏହି ରଥକୁ ପ୍ରତ୍ୟେକ ୱାର୍ଡରେ ମହିଳାମାନେ ବନ୍ଦାପନା କରିବା ସହ ସମସ୍ତ ଗ୍ରାମବାସୀ ହରିବୋଲ ହୁଳହୁଳି ଦେଇ ସ୍ୱାଗତ କରିଥିଲେ । ପଞ୍ଚାୟତର ସରପଞ୍ଚ ଜୟଶ୍ରୀ ବେହେରା ଓ ସମିତି ସଭ୍ୟ ଆଇନ୍ଜୀବୀ ଚିନ୍ତାମଣି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହିଳା ମହାସଂଘର ସଭାନେତ୍ରୀ ବାସନ୍ତୀଲତା ଜେନା, ୱାର୍ଡ ସଭ୍ୟ ଚୈତନ୍ୟ ବେହେରା, ଗ୍ରାମବାସୀ ବାଣୀକଲ୍ୟାଣ ମହାପାତ୍ର, କରୁଣାକର ତ୍ରିପାଠୀ, ପୀତବାସ ପୁହାଣ, ପ୍ରକାଶ ଦାସ, ଆନନ୍ଦ ମହାଳିକ, ସନ୍ତୋଷ ଜେନା, ପୂର୍ଣ୍ଣଚନ୍ଦ୍ର ଦାସ, କେଶବ ବେହେରା, ନିରାକାର ବେହେରା, କ୍ଷୀରୋଦ ମହାପାତ୍ର, ସୁନିତା ପାଣିଗ୍ରାହୀ, ଘନଶ୍ୟାମ ଦାସ, ନୀଳକଣ୍ଠ ବେହେରା, ନିତ୍ୟାନନ୍ଦ ନାୟକ, ଦୀନବନ୍ଧୁ ମିଶ୍ର, ଜଗବନ୍ଧୁ ମାଝୀ, ଜଗବନ୍ଧୁ ବେହେରା, ପିତାମ୍ବର ସେନାପତି ପ୍ରମୁଖଙ୍କ ସମେତ ବହୁ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଯୋଗଦେଇଥିଲେ । ମା’ ତାରିଣୀ କୀର୍ତ୍ତନ ମଣ୍ଡଳୀର ସଦସ୍ୟମାନେ ସଂକୀର୍ତ୍ତନ କରି ରଥ ପରିକ୍ରମା କରାଇଥିଲେ ।