Odiapua.com

ତାଳପଦା ଗ୍ରାମର ରାସ୍ତା ଅବରୋଧ ମୁକ୍ତ ପ୍ରକ୍ରିୟା ଆରମ୍ଭ, ୧୫ଦିନ ପରେ ଉଚ୍ଛେଦ କାର୍ଯ୍ୟ ହେବ ଶେଷ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ତାଳପଦା ମୌଜାର ଥିବା ଏକ ସରକାରୀ ରାସ୍ତାକୁ ଅବରୋଧମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ୧୫ଦିନ ପରେ ଅବରୋଧମୁକ୍ତ କାର୍ଯ୍ୟ ଶେଷ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର ପ୍ରଶାସନ ପକ୍ଷରୁ ତାଳପଦା ଗ୍ରାମରେ ଜବର ଦଖଲରେ ଥିବା ରାସ୍ତାକୁ ପ୍ରଶାସନ ଉଚ୍ଛେଦ କରିବାକୁ ଯାଇଥିଲେ। ମାତ୍ର ଜବରଦଖଲକାରୀ ଚନ୍ଦ୍ରଶେଖର ବେହେରାଙ୍କର ବାସ ଗୃହ ସେହି ରାସ୍ତାରେ ଥିବାରୁ ସେ ଆଉ ୧୫ଦିନ ସମୟ ମାଗିଥିଲେ। ପ୍ରଶାସନ ସରକାରୀ ରାସ୍ତାରେ ଥିବା ନଡ଼ିଆ ଗଛ ଓ ରାସ୍ତାକୁ ଅବରୋଧ କରିଥିବା ଅନ୍ୟ କେତେକ ଗଛକୁ ଉପାଡ଼ି ଦେଇଥିଲେ। ପରେ ରାସ୍ତାକୁ ଅବରୋଧ କରୁଥିବା ବାସଗୃହକୁ ଭଙ୍ଗାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦୀର୍ଘଦନ ହେବ ସେହି ରାସ୍ତାଟି ଅବରୋଧ ହୋଇଥିଲା। ମାତ୍ର ଗ୍ରାମବାସୀ ଅବରୋଧମୁକ୍ତ ପାଇଁ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଜବରଦଖଲ ଉଚ୍ଛେଦ ପାଇଁ ତିହିଡ଼ି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ସରକାରୀ ଜାଗାର ମାପଚୁପ କରାଇ ଚିହ୍ନଟ କରିଥିଲେ। ଗୁରୁବାର ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ସୁପରଭାଇଜର ଗିରିଶ ଚନ୍ଦ୍ର ନାୟକ, ରାଜସ୍ୱ ନିରୀକ୍ଷ ମୀନକେତନ ଦାସ ଓ ବିକାଶ କୁମାର ଦାସ, ଅମିନ ଜାକିର୍ ହୁସେନ ଓ ଅମିତ୍ ପାଢ଼ୀ, ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ, ଏସଆଇ ଅରୁନ୍ଧତୀ ବେହେରା ଓ ପ୍ରବୀଣ କୁମାର ଗିରି, ଏଏସଆଇ କମଳାକାନ୍ତ ଶତପଥି, ହାବିଲଦାର ନକୁଳ ଚନ୍ଦ୍ର ସେନାପତିଙ୍କ ସମେତ ୧ପ୍ଲାଟୁନ ପୁଲିସ ଫୋର୍ସ ପହଂଚି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ। ମାତ୍ର ଜବରଦଖଲକାରୀ ଚନ୍ଦ୍ରଶେଖର ବେହେରାଙ୍କ ମା’ ମଇନା ବେହେରା ପକ୍ଷାଘାତ ରୋଗରେ ପିଡ଼ିତ ଥିବା ବେଳେ ପରିବାରର ଅନ୍ୟ ସଦସ୍ୟମାନେ ରୋଗଗ୍ରସ୍ଥ ଥିବା ଦର୍ଶାଇ ବାସଗୃହକୁ ଉଚ୍ଛେଦ ନକରିବାକୁ ଆପତି କରି ୧ମାସ ସମୟ ମାଗିଥିଲେ। ମାତ୍ର ୧୫ଦିନ ମଧ୍ୟରେ ଉଚ୍ଛେଦ କରାଯିବ ବୋଲି ଅବରୋଧକାରୀ ଲିଖିତ ଭାବେ ପ୍ରଶାସନକୁ ଦେବା ପରେ ଉଚ୍ଛେଦ ପ୍ରକ୍ରିୟା ସାମୟିକ ଭାବେ ବନ୍ଦ ରଖା ଯାଇଥିବା ଜଣାପଡ଼ିଛି। ତେବେ ଏହି ରାସ୍ତାଟି ତାଳପଦା ଗୋପୀନାଥ ଜୀୟୁ ଠାକୁରଙ୍କ ନାମରେ ରହିଛି। ଏଥିରେ ପ୍ରଶାସନ ଉଚ୍ଛେଦ କରିବାର ନିୟମ ନାହିଁ ବୋଲି ସରପଞ୍ଚ ଜୟଶ୍ରୀ ବେହେରା କହିଥିଲେ। ମାତ୍ର ରାସ୍ତାଟି ଦେବତ୍ୱର ବିଭାଗ ଅଧୀନକୁ ଯାଇ ସର୍ବସାଧାରଣଙ୍କ ଯାତାୟତ ରାସ୍ତା ହୋଇଥିବାରୁ ରାସ୍ତାକୁ ଅବରୋଧ ମୁକ୍ତ କରାଯିବ ବୋଲି ତହସିଲଦାର ଶ୍ରୀ ଆଚାର୍ଯ୍ୟ କହିଛନ୍ତି।