ଭଦ୍ରକ, ୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବୟାବନାପୁର ଅନ୍ତର୍ଗତ ତାଳପଦା ଗ୍ରାମରେ ଗତ ମଙ୍ଗଳବାର ରାତ୍ରରେ ନିର୍ବାଚନୀ ହିଂସାକାଣ୍ଡ ଯୋଗୁଁ ୭ଜଣ ଆହତ ହୋଇଥିବା ବେଳେ ବିରୋଳି ଗ୍ରାମରେ ମଧ୍ୟ ନିର୍ବାଚନୀ ହିଂସା ଯୋଗୁଁ ୩ ଜଣ ଆହତ ହୋଇଥିବା ଜଣାଯାଇଛି। ନିଶାଶକ୍ତ ଅବସ୍ଥାରେ ନିର୍ବାଚନ ଜୟ ଓ ପରାଜୟ ଆକ୍ଷେପ ଯୋଗୁଁ ଏହି ହିଂସା ହୋଇଥିବା ଜଣାଯାଇଛି। ଏଥିରେ ଗ୍ରାମର ମାଧବ ଜେନା, ଦିଲ୍ଲିପ ଜେନା, ବିକାଶ ଜେନା, ପ୍ରଶାନ୍ତ ଜେନା, ଧନେଶ୍ୱର ଜେନା, ନୃସିଂହ ଜେନା ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ମାତ୍ର ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଥାନାରେ ମାମଲା ଋଜୁ ହୋଇନାହିଁ। ସେହିପରି ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ବିରୋଳି ଗ୍ରାମରେ ମଙ୍ଗଳବାର ରାତ୍ରରେ ହିଂସାକାଣ୍ଡ ହୋଇ ୩ ଜଣ ଆହତ ହୋଇଥିବା ଜଣାଯାଇଛି। ନିର୍ବାଚନ ବିଜୟ ପରେ ବାଣଫୁଟାକୁ କେନ୍ଦ୍ର କରି ଆକ୍ଷେପ ଓ ପ୍ରତିଆକ୍ଷେପ ଯୋଗୁଁ ମାଡପିଟ ହୋଇଥିଲା। ଏଥିରେ ଗ୍ରାମର ପ୍ରିୟବ୍ରତ ଜେନା, ଗଦାଧର ଜେନା ଓ ଶଙ୍କର୍ଷଣ ଯେନା ପ୍ରମୁଖ ଆହତ ହୋଇଥିଲେ। ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥିଲେ। ହେଲେ ମାମଲା ଋଜୁ ହୋଇ ନାହିଁ। ପୁଲିସ ପରିସ୍ଥିତି ଉପରେ ନଜର ରଖିଛି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଅମିତାଭ ଦାଶ ସୂଚନା ଦେଇଛନ୍ତି।