Odiapua.com

ତାଳଚେର ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ତାଳଚେର,୨୫/୬(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେର ପୈାର ପରିଷଦ ରାଜ୍ୟର ଏକ ପୁରାତନ ପୈାର ପରିଷଦ ଏବଂ ଏହା ନିଜର ସୁପରିଚାଳନା ତଥା ସ୍ୱଚ୍ଛ ପରିମଳ ବ୍ୟବସ୍ଥା ନିମନ୍ତେ ପୂର୍ବରୁ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କାର ମଧ୍ୟ ଲାଭ କରିଛି । ତେବେ ବର୍ତମାନ ଏହା ପୂର୍ବ କାର୍ଯ୍ୟଧାରାରୁ ସମ୍ପୂର୍ଣ୍ଣ ବିଚ୍ୟୁତ ହୋଇ ଯାଇଥିବା ପରି ପ୍ରତୀୟମାନ ହେଉଛି । ରାସ୍ତାଘାଟଠାରୁ ଆରମ୍ଭ କରି ନାଳ ନର୍ଦ୍ଦମା ଏବଂ ସୈାନ୍ଦର୍ଯ୍ୟକରଣ ଏଠାରେ ବିପର୍ଯ୍ୟସ୍ତ ହୋଇଯାଇଥିବାର ଲକ୍ଷ୍ୟ କରାଯାଇଛି । ବିଶେଷ କରି ଚଳିତ ବର୍ଷା ଋତୁରେ ଏହାର ଦୟନୀୟ ଅବସ୍ଥା ବେଶ ଦେଖିବାକୁ ମିଳୁଛି । ଶର୍ମା ଛକଠାରୁ ଆରମ୍ଭ କରି ତାଳଚେର ଟାଉନର ବିଭିନ୍ନ ୱାର୍ଡ଼ରେ ରହିଥିବା ନାଳ ନର୍ଦ୍ଦମାଗୁଡ଼ିକ ପ୍ରକୃତରେ ସଫାସୁତୁରା କିମ୍ବା ମରାମତି ହୋଇ ନଥିବାରୁ ଏଗୁଡ଼ିକ ଜାମ୍ ହୋଇ ରହିଛି ଏବଂ ବର୍ଷା ହେଲେ ବର୍ଷା ଜଳ ନିଷ୍କାସନ ହୋଇ ନପାରି ରାସ୍ତାଘାଟ ଜଳାର୍ଣ୍ଣବ ହୋଇ ଆଣ୍ଠୁଏ ପାଣି ଜମି ରହୁଛି । ଏଭଳି ଅବସ୍ଥା ଚଳିତ ବର୍ଷ ଋତୁରେ ନିୟମିତ ଭାବେ ଦେଖିବାକୁ ମିଳୁଛି । ଯାହାକି ତାଳଚେରବାସୀଙ୍କ ଯାତାୟତରେ ମୂଖ୍ୟ ପ୍ରତିବନ୍ଧକ ସାଜିଛି । ତେବେ ନାଳନର୍ଦ୍ଦମା କିମ୍ବା ରାସ୍ତାଘାଟ ମରାମତି ଅବା ସଫାସୁତୁରା କାଗଜକଲମରେ ବେଶ ପ୍ରଭାବଶାଳୀ ଭାବେ ଜାରି ରହିଛି । କିନ୍ତୁ ପ୍ରକୃତପକ୍ଷେ କୈାଣସି କାର୍ଯ୍ୟ ସେପରି ହେଉନାହିଁ । ତାଳଚେର ପୈାର ପରିଷଦରେ କୈାଣସି ଉନ୍ନତିମୂଳକ କାର୍ଯ୍ୟ ହେଉନାହିଁ । କିନ୍ତୁ ଟିକସ ବାବଦରେ ଦୋକାନୀ ଏବଂ ସହରବାସୀଙ୍କ ଠାରୁ ତଂଟି ଚିପି ବିଭିନ୍ନ କର ଆଦାୟ କରାଯାଉଛି । ସହରବାସୀ ବିଭିନ୍ନ ସମସ୍ୟା ଏବଂ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୈାର ପରିଷଦ କେବଳ ରାଜସ୍ୱ ବୃଦ୍ଧି କରିବା ଲକ୍ଷ୍ୟରେ ରହିଛି । ଅପରପକ୍ଷେ ତାଳଚେର ପୈାର ପରିଷଦର ସମ୍ପୃକ୍ତ ଅଧିକାରୀ ଏବଂ ବର୍ଷ ବର୍ଷ ଧରି କାର୍ଯ୍ୟାଳୟରେ ଅବସ୍ଥାପିତ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ସହରର ଉନ୍ନତିକରଣର ବାଟକୁ ବନ୍ଦ କରି ଦେଇଥିବା ତଥା ଏହାର ବିକାଶରେ ମୂଖ୍ୟ ପ୍ରତିବନ୍ଧକ ସାଜିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ପୈାର ପରିଷଦର ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଚାଲିଥିବା ନେଇ ମଧ୍ୟ ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏଣୁ ନଗର ଓ ଉନ୍ନୟନ ବିଭାଗ ତାଳଚେର ପୈାର ପରିଷଦର କାର୍ଯ୍ୟଧାରା ଉପରେ ସ୍ୱତନ୍ତ୍ର ନଜର ରଖି ଭିତିରିଆ ତଦନ୍ତ କରିବା ତଥା ତାଳଚେର ସହରର ବିଭିନ୍ନ ସମସ୍ୟା ପ୍ରତି ଦୃଷ୍ଟି ଦେବା ନିମନ୍ତେ ସହରବାସୀ ଦାବୀ କରିଛନ୍ତି ।