Odiapua.com

ତାଳଚେର ବିଭିନ୍ନ ହୋଟେଲରେ ଖାଦ୍ୟ ନିରାପତା ବିଭାଗର ଚଢ଼ାଉ

ତାଳଚେର, ୭/୭ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଅଂଚଳରେ ରହିଥିବା ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଆଦିରେ ବାସି ଖାଦ୍ୟ ବିକ୍ରୀ ହେଉଥିବା ନେଇ ଖାଦ୍ୟ ନିରାପତା ବିଭାଗରେ ଅଭିଯୋଗ ବହୁବାର ହୋଇ ଆସୁଥିଲା। ଏହି ଅଭିଯୋଗକୁ ଭିତି କରି ତାଳଚେର ସହରରେ ପ୍ରାୟ ୧୩ଟି ହୋଟେଲରେ ଚଢ଼ାଉ କରାଯାଇ ଖାଦ୍ୟର ମାନ ଯାଂଚ କରାଯିବା ସହିତ ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ବୁଧବାର ଦିନ ଏଡିଏମଓ ଡାକ୍ତର ଧନଞ୍ଜୟ ବେହେରା, ଫୁଡ ଇନିସପେକ୍ଟର ହରପ୍ରିୟା ବେହେରା, ଏମଟିଏସ ନିଳାମ୍ବର ପ୍ରଧାନ, ଏବଂ ତାଳଚେର ପୌରନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାନ୍ତ ପ୍ରମୁଖ ତାଳଚେର ପୈାରଂଚଳର ବସଷ୍ଟାଣ୍ଡଠାରେ ରହିଥିବା ଶିବାନୀ ହୋଟେଲରେ ଚଢ଼ାଉ କରିଥିଲେ ସେଠାରେ ଖାଦ୍ୟର ମାନ ଯାଂଚ କରିବା ସହିତ ଫୁଡ଼ ଲାଇସେନ୍ସ ଏବଂ ଟ୍ରେଡ଼ ଲାଇସେନ୍ସ ଯାଂଚ କରିଥିଲେ ଏବଂ ତାଙ୍କର କୌଣସି କାଗଜପତ୍ର ନଥିବାରୁ ୨ ହଜାର ଟଙ୍କାର ଜରିମାନା କରିଥିଲେ। ପରେ ଉକ୍ତ ଟିମ୍ ବାଇପାସ ଛକରେ ଥିବା କରୁଣା ଢ଼ାବାରେ ଚଢ଼ାଉ କରି ସେଠାରେ ଅଧିକାଂଶ ଖାଦ୍ୟସାମଗ୍ରୀ ବାସି ଏବଂ ଫ୍ରିଜରେ ରହିଥିବାରୁ ଏଡିଏମଓ ବିରକ୍ତି ପ୍ରକାଶ କରିବା ସହିତ ତାଙ୍କୁ ୨ ହଜାର ଟଙ୍କା ଜରିମାନା କରିଥିଲେ। ସେହିଭଳି ହୋଟେଲ ଗ୍ରୀନ୍‌ପାର୍କ ଉପରେ ଚଢ଼ାଉ କରି ଦେଖିଥିଲେ ଯେ, ଉକ୍ତ ହୋଟେଲରେ ଅଧିକାଂଶ ଖାଦ୍ୟ ସାମଗ୍ରୀ ବାସି ଓ ରଙ୍ଗ ମିଶ୍ରିତ ରହିଥିଲା। ଯାହାକୁ ନେଇ ୨ ହଜାର ଟଙ୍କାର ଜରିମାନା କରାଯାଇ ଆସନ୍ତା ସପ୍ତାହେ ମଧ୍ୟରେ ଟ୍ରେଡ଼ ଲାଇସେନ୍ସ କରିବାକୁ ପୌର ନିର୍ବାହୀ ଅଧିକାରୀ ତାଗିଦ କରିଥିଲେ। ପରବର୍ତ୍ତୀ ସମୟରେ ହାଟତୋଟା ରୋଡ଼ରେ ଥିବା ସଲାମ ନମସ୍ତେ ରେଷ୍ଟୁରାଣ୍ଟ ରେ ପହଁଚିଥିଲେ। ସେଠାରେ ଯେଉଁଭଳି ଭାବେ ଖାଦ୍ୟ ପ୍ରସ୍ତୁତ କରାଯାଉଛି ତାହାର ମାନ ଅତି ନିମ୍ନସ୍ତରର, ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ କରାଯାଉଥିବା ବେଳେ ଗ୍ରାହକମାନଙ୍କୁ ବାସି ଖାଦ୍ୟ ଦେଉଥିବା ଖାଦ୍ୟ ନିରାପତା ଅଧିକାରୀ ଯାଂଚ ବେଳେ ଜାଣିବାକୁ ପାଇଥିଲେ। କେବଳ ସେତିକି ନୁହଁ ଦୁଇ ତିନି ଦିନର ଆମିଷ, ରଙ୍ଗ ଓ ରାସାୟନିକ ବୋଳା ଖାଦ୍ୟ ବାସି ରହିଥିବାରୁ ଖାଦ୍ୟ ନିରାପତା ଅଧିକାରୀ ଉକ୍ତ ବାସି ଖାଦ୍ୟକୁ ଫୋପାଡ଼ି ଦେବା ସହିତ ଖାଦ୍ୟ ନିରାପତା ପ୍ରମାଣପତ୍ର ଏବଂ ବାର ଲାଇସେନ୍ସ ଦେଖାଇ ନ ପାରିବାରୁ ତାଙ୍କୁ ୫ ହଜାର ଟଙ୍କାର ଜରିମାନା କରାଯାଇଥିବା ବେଳେ ମା ହିଙ୍ଗୁଳା ହୋଟେଲ ଏବଂ ହୋଟେଲ କାଳିଆରେ ଚଢ଼ାଉ କରି ସେମାନଙ୍କୁ ହଜାରେ ଲେଖାଏଁ ଜରିମାନା ଆଦାୟ କରାଯାଇଥିଲା। ପରବର୍ତ୍ତୀ ସମୟରେ ହାଣ୍ଡିଧୂଆ ଅଂଚଳରେ ରହିଥିବା ବିଶୁ ଢ଼ାବା ଉପରେ ଚଢ଼ାଉ କରାଯାଇ ତାହାର ଖାଦ୍ୟର ମାନ ଯାଂଚ କରାଯାଇ ତାଙ୍କୁ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସେହିଭଳି ସହରରେ ଥିବା ଗାଙ୍ଗୁରାମ ସ୍ନାକ୍ସବାର ଏବଂ ମା ହିଙ୍ଗୁଳା ଫଳ ଦୋକାନ ଏବଂ କିଛି ରାସନ ଦୋକାନ ଉପରେ ଚଢ଼ାଉ କରାଯାଇ ଶୁଖିଲା ଖାଦ୍ୟର ମାନ ଯାଂଚ କରାଯାଇ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିବା ଫୁଡ଼ ଇନିସପେକ୍ଟର ହରପ୍ରିୟା ବେହେରା ସୂଚନା ଦେଇଛନ୍ତି। ତେବେ ଅନେକ ଦୋକାନରେ ଚଢାଉ ସମ୍ଭବ ହୋଇ ପାରି ନଥିବାରୁ ଆଗାମୀ ଦିନରେ ଏହି ଟିମ୍ ଦ୍ୱାରା ବିଭିନ୍ନ ହୋଟେଲ, ଫଳ ରସ ଦୋକାନ, ଫାଷ୍ଟ ଫୁଡ଼ ଦୋକାନ ଏବଂ ରାସନ ଦୋକାନ ସହିତ ବୁଲା ବିକାଳିଙ୍କ ଖାଦ୍ୟର ମାନ ଯାଂଚ କରାଯିବ ବୋଲି ଏଡିଏମଓ ଡାକ୍ତର ଧନଞ୍ଜୟ ବେହେରା ପ୍ରକାଶ କରିଥିଲେ।