Odiapua.com

ତାଳଚେର ଗଣେଶ ପୂଜାର ନୂତନ କମିଟି ଗଠିତ

ତାଳଚେର, ୨୪/୭ (ଓଡ଼ିଆ ପୁଅ/ଅଜିତ ବେହେରା) : ବହୁ ଆଡ଼ମ୍ବରରେ ପାଳିତ ହୋଇ ଆସୁଥିବା ତାଳଚେରର ଗଣପର୍ବ ପ୍ରସିଦ୍ଧ ଗଣେଶ ପୂଜା ବିଗତ ଦୁଇ ବର୍ଷ ହେବ କରୋନା ଜନିତ କଟକଣା ଯୋଗୁଁ କେବଳ ରୀତିନୀତିରେ ପାଳିତ ହୋଇଥିଲା। କିନ୍ତୁ ଚଳିତବର୍ଷ କଟକଣା ହଟିବାପରେ ପୁଣିଥରେ ତାଳଚେରରେ ଧୁମଧାମରେ ଗଣେଶ ପୂଜା କରାଯିବା ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପ୍ରଭୁ ଗଜାନନଙ୍କ ପୂଜା କିଭଳି ଭାବେ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରାଯିବ ତାହାକୁ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ମଙ୍ଗଳମ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ତାଳଚେର ଉପଜିଲ୍ଳାପାଳ ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ପୂଜା କମିଟିର ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ। ସର୍ବପ୍ରଥମେ ପୂର୍ବରୁ ଥିବା କେନ୍ଦ୍ରୀୟ ପୂଜା କମିଟିକୁ ଭଙ୍ଗାଯାଇ ଏକ ନୂତନ ପୂଜା କମିଟି ଗଠନ କରାଯାଇଥିଲା। ଏହି ନୂତନ କମିଟିର ସଭାପତି ଭାବେ କେଶବ ଭୂତିଆ, ଉପସଭାପତି, ଡକ୍ଟର ରଶ୍ମି ରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ଜୟନ୍ତ ଭୂତିଆ, ଯୁଗ୍ମ ସମ୍ପାଦକ ଭାବେ ରଞ୍ଜିତ ମହାପାତ୍ର, ମାନସ ରଞ୍ଜନ ବାଇ, ନିରୋଜ ଦାସ ଓ ଜ୍ଞାନେଶ୍ୱର ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ଅଶୋକ କୁମାର ଶତପଥୀଙ୍କୁ ଚୟନ କରାଯିବା ସହିତ ପୂର୍ବ ବର୍ଷ ଗୁଡିକରେ ଯେଉଁଭଳି ଭାବେ ପ୍ରଭୁ ଗଣପତିଙ୍କର ପୂଜାତ୍ସୋବ ତାଳଚେରରେ ଜାକ ଜକମର ସହ ପାଳନ ହେବ ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରହିବା ସହ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପୂଜାତ୍ସୋବ ଦେଖିବେ ତା’ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରକାଶ ଥାଉକି, ଆଗାମୀ ଅଗଷ୍ଟ ମାସ ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଗଜାନନଙ୍କ ପୂଜା। ଏହି ପୂଜା ୧୧ ଦିନ ଧରି ଅନୁଷ୍ଠିତ ହେବା ସହିତ ପ୍ରତିଦିନ ସନ୍ଧ୍ୟାରେ ଲୋକାରଣ୍ୟ ହୋଇ ଉଠିଥାଏ ତାଳଚେର ସହର। ତାଳଚେରର ଗଣେଶ ପୂଜାରେ ବିଭିନ୍ନ ଧରଣର ଉଠା ଦୋକାନ ସମେତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ। ତେବେ ଚଳିତ ବର୍ଷ କିଭଳି ଧୁମ୍ ଧାମରେ ପାଳନ କରାଯିବ ତାକୁ ନେଇ ବିଭିନ୍ନ ବଜାର କମିଟିର ସଦସ୍ୟମାନେ, ତାଳଚେରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ସୁଚିନ୍ତିତ ମତ ଦେଇଥିଲେ।