Odiapua.com

ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ଉପଯୁକ୍ତ ଚିକିତ୍ସା ସେବା

ତାଳଚେର, ୨୫/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। କେତେବେଳେ ଡ଼ାକ୍ତରଙ୍କ ଅଭାବ ତ କେତେବେଳେ ଆବଶ୍ୟକ ଯନ୍ତ୍ରପାତି ଓ ଟେକ୍ନିସିଆନ୍ ଅଭାବରୁ ଗରିବ ଶ୍ରେଣୀର ରୋଗୀମାନେ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି। ଆଉ କେତେକ ଦଲାଲଙ୍କ ସହାୟତାରେ ଅନ୍ୟାନ୍ୟ ଘରୋଇ କ୍ଲିନିକ, ନର୍ସିଂହୋମ ଆଦିକୁ ଯାଇ ସର୍ବସ୍ୱାନ୍ତ ହେଉଥିବା ଘଟଣା ତାଳଚେର ଅଂଚଳରେ ଦେଖିବାକୁ ମିଳୁଛି। ସୂଚନା ଅନୁସାରେ, ତାଳଚେର ଉପଖଣ୍ଡ ସରକାରୀ ଚିକିତ୍ସାଳୟକୁ ଏକ ଅଲଟ୍ରାସାଉଣ୍ଡ ମେସିନ୍ ପାଇଁ ୧୪ଲକ୍ଷଟଙ୍କା ଅନୁଦାନ ଆସି ପଡ଼ି ରହିଛି। ମାତ୍ର ଡ଼ାକ୍ତରଖାନା ଓ ପ୍ରଶାସନ କର୍ତ୍ତୃପକ୍ଷଙ୍କ ଇଚ୍ଛାଶକ୍ତି ଅଭାବରୁ ଏହି ଟଙ୍କା ଫେରିଯିବ ବୋଲି କୁହାଯାଉଛି। ଏଠାରେ ସ୍ଥାନୀୟ ପ୍ରଶାସନ ଓ ଚିକିତ୍ସାଳୟର ଉଚ୍ଚ କର୍ତ୍ତୃପକ୍ଷଙ୍କ ପାରିବା ପଣିଆକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦିନକୁ ଦିନ ଡ଼ାକ୍ତରଖାନା ପରିସର ମଧ୍ୟରେ ବହୁ ଅର୍ଥବ୍ୟୟରେ ବଡ଼ବଡ଼ ଅଟ୍ଟାଳିକାମାନ ମୁଣ୍ଡ ଟେକିଛି। ତେବେ ସେହି ତୁଳନାରେ ଅଂଚଳବାସୀ ଚିକିତ୍ସା ସେବା ପାଉନଥିବା ଅଭିଯୋଗ ହୋଇଛି। ଏହି ଅଲଟ୍ରା ସାଉଣ୍ଡ ଯନ୍ତ୍ରଟିି ଏଠାରେ ନଥିବାରୁ ଗର୍ଭବତୀ ମହିଳା ଓ ପେଟ ଜନିତ ଯନ୍ତ୍ରଣା ଜର୍ଜରିତ ରୋଗୀମାନେ ବହୁ ଅର୍ଥ ଖର୍ଚ୍ଚ ବିନିମୟରେ ଘରୋଇ ଚିକିତ୍ସାଳୟକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ପ୍ରକାଶ ଥାଉକି, ତାଳଚେର ସମେତ କଣିହାଁ, ସମଲ, ଖମାର, ପର୍ଜଙ୍ଗ, ପିତିରି, କୁଲେଇ, ବସୁଲେଇ, ମାଣିକମରା ଅଂଚଳର ଲୋକେ ଚିକିତ୍ସା ନିମନ୍ତେ ଉକ୍ତ ପୂରାତନ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରି ଆସୁଛନ୍ତି। କିନ୍ତୁ ପ୍ରକୃତ ପକ୍ଷେ ଏଠାକୁ ଆସୁଥିବା ରୋଗୀ ବହୁ ସମୟରେ ସ୍ୱାସ୍ଥ୍ୟ ଉପଚାର ନପାଇ ଘରୋଇ ନର୍ସିଂ ହୋମକୁ ଯିବାକୁ ବାଧ୍ୟ ହେଉଛନ୍ତି। ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ଅଧିକାଂଶ ସମୟରେ ସର୍ପାଘାତ, ଦୁର୍ଘଟଣା ଜନିତ ରୋଗୀ ଏଠାରୁ ସ୍ଥାନାନ୍ତର ହେଉଥିବା ବେଳେ ବାଟରେ ହିଁ ମୃତ୍ୟୁବରଣ କରୁଛନ୍ତି। ରାଜ୍ୟ ସରକାର ଗରିବ ଶ୍ରେଣୀର ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରଚାର ପ୍ରସାର ମାଧ୍ୟମରେ ଢ଼ିଡ଼ିମ ପିଟୁଥିଲେ ମଧ୍ୟ ବାସ୍ତବରେ ଏହି ସରକାରୀ ଚିକିତ୍ସାଳୟ ରୋଗୀ ସେବାରେ ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଥିବାର ସାଧାରଣରେ ଚର୍ଚ୍ଚା ହେଉଛି। ଏଣୁ ଉକ୍ତ ଚିକିତ୍ସାଳୟର ପୂର୍ବ ଗୈାରବ ଫେରାଇ ଆଣିବା ପାଇଁ ଏହାର ବିପର୍ଯ୍ୟସ୍ତ ରୋଗୀ ସେବା କ୍ଷେତ୍ରରେ ସୁଧାର ଆଣିବାପାଇଁ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି କରାଯାଇଛି।