ତାଳଚେର, ୧୮/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ସହରର ବିଶିଷ୍ଟ ନିମନ୍ତ୍ରଣ କାର୍ଡ଼ ତଥା ପୂଜା ସାମଗ୍ରୀ ବ୍ୟବସାୟୀ ନାଲୁ ମହାରଣାଙ୍କର ଆଜି ହୃଦ୍ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ସ୍ୱର୍ଗତ ମହାରଣା ଏକ ଫଳ ଦୋକାନକୁ ଯାଇ ପଇଡ଼ ପାଣି ପିଇବାପରେ ନିଜ ଘରକୁ ଫେରିବାବେଳେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ତେବେ ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବାର ଅନୁମାନ କରାଯାଇଛି। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବାପରେ ସ୍ୱର୍ଗତ ମହାରଣାଙ୍କର ଶେଷଦର୍ଶନ କରିବାପାଇଁ ତାଙ୍କ ବାସଭବନକୁ ବହୁ ଲୋକଙ୍କ ଭିଡ଼ ଜମିଥିଲା। ଢେଙ୍କାନାଳ ସାଂସଦ ମହେଶ ସାହୁ ତାଙ୍କ ସହପାଠୀ ସ୍ୱର୍ଗତ ମହାରଣାଙ୍କର ଶେଷ ଦର୍ଶନ ନିମନ୍ତେ ଶାନ୍ତିଧାମ ଶ୍ମଶାନରେ ପହଁଚି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ। ସ୍ୱର୍ଗତ ମହାରଣା ତାଳଚେର ଅଂଚଳରେ ନାଲୁ ଭାଇ ନିମନ୍ତ୍ରଣ କାର୍ଡ, ପୂଜା ସାମଗ୍ରୀ ଓ ସିଜିନ୍ ସେଣ୍ଟର ମାଲିକ ଭାବେ ବେଶ ଜଣାଶୁଣା ଥିଲେ। ସେ ଜଣେ ପରୋପକାରୀ, ଧାର୍ମିକ, ମେଳାପୀ ବ୍ୟକ୍ତି ଭାବେ ସ୍ଥାନୀୟ ଅଂଚଳରେ ବେଶ ଜଣାଶୁଣା ଥିଲେ। ତେବେ ତାଙ୍କ ମୃତ୍ୟୁ ଘଟଣାରେ ବହୁ ବ୍ୟବସାୟୀ ତଥା ସହରବାସୀ ଗଭୀର ଶୋକବ୍ୟକ୍ତ କରିବାସହ ସମ୍ମାନାର୍ଥେ ଦୋକାନ ବଜାର ବନ୍ଦ ରହିଥିଲା। ତାଙ୍କ ମରଶରୀରକୁ ଏକ ପଟୁଆରରେ ବଜାର ପରିକ୍ରମା ପରେ ଶାନ୍ତିଧାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।