Odiapua.com

ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ : ସେପ୍ଟେମ୍ବର ୧୦ରେ ଲଡ଼ୁ ନିଲାମ ଓ ଭସାଣୀ ଉତ୍ସବ

ତାଳଚେର, ୧୨/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ବିଗତ ବର୍ଷରେ କରୋନା ମହାମାରୀ ଜନିତ କଟକଣା ଯୋଗୁଁ ଫିକା ପଡ଼ିଥିବା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାକୁ ଚଳିତ ବର୍ଷ ଧୁମ୍ଧାମରେ ପାଳନ ନିମନ୍ତେ ନିଷ୍ପତି ନେଇଛନ୍ତି କେନ୍ଦ୍ରୀୟ ଗଣେଶ ପୂଜା କମିଟି। ଚଳିତ ମାସ ୩୧ ତାରିଖ ଠାରୁ ଗଜାନନଙ୍କ ପୂଜା ଆରମ୍ଭ ହେଉଥିବା ବେଳେ ଏହାର ପ୍ରସ୍ତୁତି ନେଇ ତତ୍ପର ହୋଇ ପଡ଼ିଛନ୍ତି ସମସ୍ତ ପୂଜା କମିଟି। ଏହି ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ତାଳଚେର ଟାଉନସ୍ଥିତ ମାରୱାଡ଼ି ଧର୍ମଶାଳା ଠାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି କେଶବ ଭୂତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଗଣେଶ ପୂଜାକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ ପୂଜା କମିଟିର କର୍ମକର୍ତାମାନେ ମତପ୍ରକାଶ କରିଥିଲେ। ଲଡ଼ୁ ନିଲାମ ଓ ଭସାଣୀ ଉତ୍ସବ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ଇନ୍ଦୁପୂର୍ଣ୍ଣିମା ଦିନ ଅନୁଷ୍ଠିତ ହେବା ସହ ପୂଜା ଓ ଭସାଣୀ ବେଳେ ଅତ୍ୟଧିକ ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଡିଜେ ମ୍ୟୁଜିକ୍ ସାଉଣ୍ଡ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି। ଏହି ବୈଠକରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗ ଦେଇ ଚଳିତ ବର୍ଷ ଘୋଡ଼ାଶାଳ ଠାରୁ ହାଣ୍ଡିଧୂଆ ପର୍ଯ୍ୟନ୍ତ ପୂଜାମଣ୍ଡପ ଗୁଡ଼ିକୁ ଅଧିକ ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ ସମସ୍ତ ପୂଜା କମିଟିର କର୍ମକର୍ତାମାନଙ୍କୁ ଅନୁରୋଧ କରିଥିଲେ। ପୂଜାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ‘କ’ ଶ୍ରେଣୀ ମେଢ଼ ପାଇଁ ୩ ହଜାର ଟଙ୍କା ଓ ‘ଖ’ ଶ୍ରେଣୀ ପାଇଁ ୨ ହଜାର ଟଙ୍କା ପ୍ରବେଶିକା ଦେୟ ଦେବାକୁ ନିଷ୍ପତି ହୋଇଥିଲା। ପ୍ରତିଯୋଗିତା ଓ ଭସାଣୀରେ ସାମିଲ ହେବାକୁ ଚାହୁଁଥିବା ମେଢ଼ଗୁଡ଼ିକ ଏକ ସପ୍ତାହ ମଧ୍ୟରେ ଏହି ଦେୟ ଜମା କରିବେ ଓ ଦେୟ ଠିକ୍ ସମୟରେ ନଦେଲେ ଲଟେରୀ ଉଠାଣରେ ଭାଗ ନେଇପାରିବେ ନାହିଁ। ଭସାଣୀ ଦିନ ସକାଳ ୯ଟା ସୁଦ୍ଧା ସମସ୍ତ ମେଢ଼ ବଡ଼ଦାଣ୍ଡସାହି ମେଲଣ ପଡ଼ିଆରେ ପହଁଚିବେ। ପୂର୍ବାହ୍ନ ସାଢ଼େ ୯ଟା ମଧ୍ୟରେ ଗଣେଶଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ ହେବା ପରେ ଭସାଣୀ ଶୋଭାଯାତ୍ରା ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଛି। ଯେଉଁମାନେ ଲଡୁ ନିଲାମ ନେବାପାଇଁ ଆଗ୍ରହୀ ଥିବେ ସେମାନେ ସମ୍ପୂର୍ଣ୍ଣ ଅର୍ଥ ପଇଠ କରି ଏଥିରେ ସାମିଲ ହେବେ। କୌଣସି ପୂଜା ପ୍ରତିଷ୍ଠାନ ଟେଣ୍ଟ ବା ତୋରଣ ନିର୍ମାଣ ସମୟରେ ପିଚୁ ଓ କଂକ୍ରିଟ୍ ରାସ୍ତା ଖୋଳିବେ ନାହିଁ। ତୋରଣଗୁଡ଼ିକ ରାସ୍ତା ଉପରୁ ୧୫ ଫୁଟ ଉଚ୍ଚରେ ବନ୍ଧାଯିବ ଯେପରିକି ବଡ଼ଗାଡ଼ି, ଅଗ୍ନିଶମ ବିଭାଗ ଗାଡ଼ି ଚଳାଚଳରେ ବ୍ୟାଘାତ ନହୁଏ। ସେହିପରି ପୂଜାଠାରୁ ଭସାଣୀ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ନାଳନର୍ଦ୍ଦମା ପରିଷ୍କାର ପରିଚ୍ଛନ୍ନ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଆଶୁ ଚିକିତ୍ସାକେନ୍ଦ୍ର ବ୍ୟବସ୍ଥା, ଆଇନ୍ ଶୃଙ୍ଖଳା ରକ୍ଷା, ଆବଶ୍ୟକତାକୁ ଦେଖି ଏକ ପାଖିଆ ରାସ୍ତା ବ୍ୟବସ୍ଥା ଇତ୍ୟାଦିକୁ ସୁବ୍ୟବସ୍ଥିତ କରିବା ତଥା ଶାନ୍ତିଶୃଙ୍ଖଳା ଓ ପ୍ରଶାସନ ସ୍ତରରେ ବିଭିନ୍ନ ବିଭାଗକୁ ନେଇ ଖୁବ୍ଶୀଘ୍ର ବିଧାୟକଙ୍କ ଉପସ୍ଥିତିରେ ପ୍ରଶାସନ, ପୁଲିସ ଓ ପୂଜା କମିଟି କର୍ମକର୍ତାଙ୍କୁ ନେଇ ଆଉ ଏକ ବୈଠକ ଅନୁଷ୍ଠିତ ହୋଇ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ବୈଠକରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଚଳିତ ବର୍ଷ ଏକ ସ୍ମରଣିକା ପ୍ରକାଶନ ପାଇଁ ନିଷ୍ପତି ହୋଇଥିଲା। ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମୂର୍ତି ସାଜସଜ୍ଜା, ମଣ୍ଡପ, ଆଲୋକବ୍ୟବସ୍ଥା, ଭସାଣୀ ଶୋଭାଯାତ୍ରା ଓ ଶାନ୍ତି ଶୃଙ୍ଖଳାରେ ଉଭୟ ‘କ’ ଓ ‘ଖ’ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ବୈଠକରେ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ଉପସଭାପତି ଡକ୍ଟର ରଶ୍ମିରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ଜୟନ୍ତ ଭୂତିଆ, କୋଷାଧ୍ୟକ୍ଷ ଅଶୋକ ଶତପଥୀ, ସହ ସମ୍ପାଦକ ମାନସ ରଞ୍ଜନ ବାଇ, ରଣଜିତ୍ ମହାପାତ୍ର, ନିରୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଦସ୍ୟମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ରୀୟ ପୂଜା କମିଟିର ସମୀକ୍ଷକ ସୌଭାଗ୍ୟ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।