Odiapua.com

ତାଳଚେରରେ ପାରଦ ପହଂଚିଲା ୪୪.୯ ଡିଗ୍ରୀ

ତାଳଚେର,୨୫/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଅଂଚଳରେ ଏବେ ଅସହ୍ୟ ଗରମ ଅନୁଭୂତ ହେଉଛି । ସକାଳ୧୦ରୁ ଅପରାହ୍ନ ୫ଟ ପର୍ଯ୍ୟନ୍ତ ଅସମ୍ଭାଳ ତାତି ଏବଂ ଗୁଳୁଗୁଳି ଅଂଚଳବାସୀଙ୍କୁ କଲବଲ କରି ଦେଉଛି । ଗତ ଏକ ସପ୍ତାହ ଧରି ତାଳଚେରର ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀରୁ ଅଧିକ ରହୁଥିବା ବେଳେ ଗତକାଲି ଏହା ୪୪.୩ ଡିଗ୍ରୀ ରହିଥିବା ବେଳେ ଆଜି ଏହା ୪୪.୯ରେ ପହଂଚିଛି । ଆଗାମୀ ଦିନରେ ନିଶ୍ଚିତ ଭାବେ ତାଳଚେରର ତାପମାତ୍ରା ଲୋକଙ୍କ ପାଇଁ ଏକ ଉଦବେଗଜନକ ସ୍ଥିତି ସୃଷ୍ଟି କରି ପାରେ । ଅର୍ଥାତ ଲୋକେ ବହୁମାତ୍ରାରେ ଅଂଶୁଘାତର ଶୀକାର ହେବା ଘଟଣାକୁ ଏଡ଼ାଇ ଦିଆଯାଇ ନପାରେ । ତାଳଚେରରେ ବହୁ କୋଇଲାଖଣି ରହିଥିବା ବେଳେ କିଛି ତାପଜ ବିଦ୍ୟୁତ କେନ୍ଦ୍ର ମଧ୍ୟ ପ୍ରତିଷ୍ଠିତ ହୋଇଛି । ଅନ୍ୟପଟେ ତାଳଚେରରେ ଜଙ୍ଗଲର ଅବକ୍ଷୟ ଅଂଚଳର ତାପମାତ୍ରା ବୃଦ୍ଧି କରିବାରେ ସହାୟକ ହେଉଛି ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି । ତେବେ ପ୍ରବଳ ଗରମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯେଭଳି ଭାବେ ସତର୍କତାମୂଳକ ପଦକ୍ଷେପ ନିଆଯିବା କଥା ସେଭଳି କିଛି ଦୃଷ୍ଟି ଗୋଚର ହେଉନଥିବାର ଅଂଚଳବାସୀ ଅଭିଯୋଗ କରିଛନ୍ତି । ବିଶେଷ କରି ଖୋଲା ଯାଇଥିବା ଜଳଛତ୍ରରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା,ବୁଲା ପଶୁ ପକ୍ଷୀଙ୍କ ପାଇଁ ପାଣି କୁଣ୍ଡର ବ୍ୟବସ୍ଥା,ଅଂଶୁଘାତଜନିତ ସତର୍କ ସଚେତନତା,ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଆଦି ଆଦି ସଠିକ୍ ଭାବେ କରାଯାଉ ନଥିବାର ପରିଲକ୍ଷିତ ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।