Odiapua.com

ତାଳଚେରରେ ତୁରନ୍ତ ଥଇଥାନ ଅଧିକାରୀଙ୍କୁ ନିଯୁକ୍ତି ଦାବି

ତାଳଚେର, ୧୯/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଉପଖଣ୍ଡ କଣିହାଁ ବ୍ଲକ କଂସମୁଣ୍ଡା ଗାମର କୋଇଲାଖଣି କ୍ଷତିଗ୍ରସ୍ତ ଲୋକମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। କଂସମୁଣ୍ଡା ଗ୍ରାମର ସମସ୍ତ ଜମି, ଘରବାଡ଼ି ଆଦି କଣିହାଁ କୋଇଲାଖଣିରେ ଅଧିଗ୍ରହଣ ହୋଇସାରିଛି। ତେବେ ଦୀର୍ଘ ବର୍ଷ ହେବ ଅଧିଗ୍ରହଣ ପରେ ମଧ୍ୟ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟା ଏ ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ। କଣିହାଁ ଅଂଚଳର ବରିଷ୍ଠ ନେତା, ବିଜେପି ମଣ୍ଡଳ ସଭାପତି ତଥା ପ୍ରାକ୍ତନ ସମିତି ସଦସ୍ୟ ଦେବେନ୍ଦ୍ର ବାରିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଖଣି କ୍ଷତିଗ୍ରସ୍ତଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ସମ୍ପାଦକ ତଥା ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ନିର୍ଦ୍ଦେଶକ କାଳନ୍ଦୀ ସାମଲ ଯୋଗ ଦେଇ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କଂସମୁଣ୍ଡା ଗ୍ରାମବାସୀଙ୍କ ସମସ୍ୟା ସମାଧାନ ହୋଇ ନପାରିବା ଦୁଃଖ ଓ ପରିତାପର ବିଷୟ। ଗ୍ରାମର ଅନେକ ବ୍ୟକ୍ତିଙ୍କ ନିଯୁକ୍ତି ଓ ଥାଇଥାନ ଏ ଯାଏଁ ହୋଇ ନପାରିବା ଲୋକ ପ୍ରତିନିଧିମାନଙ୍କର ଅପାରଗତା ବୋଲି ସେ କହିଥିଲେ। ଠିକ ସମୟରେ ଆରପିଡିଏସି ବୈଠକ ବସାଇ ସମାଧାନ କରିବା ଦାୟିତ୍ୱ ଲୋକପ୍ରତିନିଧିଙ୍କର କିନ୍ତୁ ସେମାନେ କାହିଁକି ଲୋକଙ୍କ କଥାକୁ ଧ୍ୟାନ ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ପୁନଶ୍ଚ ରାଜ୍ୟ ସରକାର ତାଳଚେର ପ୍ରତି ସମ୍ପୂର୍ଣ ବୈମାତୃକ ମନୋଭାବ ପୋଷଣ କରିଛନ୍ତି। କ୍ଷତିଗ୍ରସ୍ତଙ୍କ ସମସ୍ୟା ସମାଧାନ ପାଇଁ ତାଳଚେରରେ ଜଣେ ଥଇଥାନ ଅଧିକାରୀଙ୍କୁ ନିଯୁକ୍ତି ଦେବା ସହ ଏଠାରେ ତାଙ୍କ କାର୍ଯ୍ୟାଳୟ ୨୦୦୯ ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲା, କିନ୍ତୁ ସେଠାରେ ଦୀର୍ଘ ୧୩ବର୍ଷ ହେବ ତାଲା ପଡିଛି। ଏହି କାର୍ଯ୍ୟାଳୟରେ ଥାଇଥାନ ଅଧିକାରୀ ନାହାଁନ୍ତି, ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଏଠାରୁ ନେବା ପରେ ମଧ୍ୟ ଏ ଅଂଚଳ ପ୍ରତି ଅଣଦେଖା କାହିଁକି ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି। ତୁରନ୍ତ ଥାଇଥାନ ଅଧିକାରୀ ନିଯୁକ୍ତି କରିବାକୁ ସେ ରାଜ୍ୟ ସରକାରଙ୍କ ଠାରେ ଦାବି କରିଛନ୍ତି। ଆଜିର ଏହି ବୈଠକରେ ହେମନ୍ତ ବେହେରା, ଅମର ନାଏକ, ଚକ୍ରଧର ଦେହୁରୀ, ସୁମନ୍ତ ସେଠୀଙ୍କ ସହ ଶତାଧିକ କଂସମୁଣ୍ଡା ଗ୍ରାମବାସୀ ଉପସ୍ଥିତ ଥିଲେ।