Odiapua.com

ତାଲିମ ଶିବିରରେ ଅନୁପସ୍ଥିତଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର, ୧୨ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା କର୍ମଚାରୀଙ୍କ ପ୍ରଥମ ପର୍ଯ୍ୟାୟ ତାଲିମ ଅକ୍ଟୋବର ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଅକ୍ଟୋବର ୧୯ ଓ ୨୦ ତାରିଖରେ ଅନୁଷ୍ଠିତ ହେବ। ବାଲେଶ୍ୱର ଜିଲ୍ଲା ସ୍କୁଲରେ ହେବାକୁ ଥିବା ଏହି ତାଲିମରେ ପ୍ରିଜାଇଡିଂ ଅଫିସର ଏବଂ ପ୍ରଥମ ପୋଲିଂ ଅ‘ିସରମାନେ ଭାଗ ନେବେ। ଜିଲ୍ଲା ସ୍କୁଲର ୧୬ଟି କକ୍ଷରେ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ଅକ୍ଟୋବର ୧୩ତାରିଖ ଦିନ ୫୧୯ଜଣ ଓ ୧୪ତାରିଖ ଦିନ ୫୧୯ଜଣ ପ୍ରିଜାଇଡିଂ ଅଫିସର ଓ ଫାଷ୍ଟ ପୋଲିଂ ଅଫିସରଙ୍କୁ ତାଲିମ ଦିଆଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ତାଲିମରେ ଅକ୍ଟୋବର ୧୯ ତାରିଖ ଦିନ ୫୧୯ଜଣ ଓ ୨୦ ତାରିଖ ଦିନ ୫୧୯ଜଣଙ୍କୁ ପ୍ରିଜାଇଡିଂ ଅଫିସର ଓ ପ୍ରଥମ ପୋଲିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯିବ। ୩୨ଜଣ ଜିଲ୍ଲା୍‌ସ୍ତରୀୟ ମାଷ୍ଟର ଟ୍ରେନର ଓ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ମାଷ୍ଟର ଟ୍ରେନରଙ୍କ ସମେତ ୩୨ଜଣ ସେକ୍ଟର ଅଫିସର ଏହି ପ୍ରଶିକ୍ଷଣ ପ୍ରଦାନ କରିବେ। କୋଭିଡ ନିୟମର ଅନୁପାଳନ ପୂର୍ବକ ସମସ୍ତଙ୍କୁ ତାଲିମ ଦେବା ବ୍ୟବସ୍ଥା କରାଯାଇଛି। ସମସ୍ତ ପୋଲିଂ କର୍ମଚାରୀମାନଙ୍କ ପାଇଁ ଏହି ତାଲିମ ବାଧ୍ୟତାମୂଳକ କରାଯାଇଛି। ଯିଏ ଏହି ତାଲିମ ଶିବିରରେ ଅନୁପସ୍ଥିତ ରହିବେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି।