Odiapua.com

ତାଲିମ ଭିତ୍ତିକ ନିଯୁକ୍ତି ପାଇଁ ବ୍ଲକସ୍ତରୀୟ ପରାମର୍ଶ ଶିବିର

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ କଲ୍ୟାଣମଣ୍ଡପରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପ୍ରଶାସନ ଓ ଓରମାସର ମିଳିତ ଆନୁକୂଲ୍ୟରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ନିଯୁକ୍ତି ଆଶାୟୀ ୨୦୮ ଜଣ ଯୁବକ ଯୁବତୀ ପଞ୍ଜିକରଣ କରିଥିଲେ। ମିଶନ ଶକ୍ତି ବ୍ଲକ ସଂଯୋଜକ ସୁବ୍ରତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ବିଡିଓ ଦେବଦତ୍ତ ଦାଶ, ମିଶନଶକ୍ତି ଜିଲ୍ଲା ସଂଯୋଜକ ସଞ୍ଜୟ କୁମାର ବାରିକ, ଓରମାସ ଜିଲ୍ଲା ସଂଯୋଜକ ଅନିଲେନ୍ଦୁ ରାଉତରାୟ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସାଂସଦ ପ୍ରତିନିଧି ଲଳିତ ରାଉତ, ଦକ୍ଷିଣବାଡ ସରପଞ୍ଚ ବର୍ଷାରାଣୀ ଜେନା, ସମିତି ସଭ୍ୟ ବିଷ୍ଣୁଚରଣ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଯୁକ୍ତି ଆଶାୟୀଙ୍କ ନିୟୋଜନ ପାଇଁ ଏହି ଶିବିର ଫଳପ୍ରଦ ହେବ ବୋଲି ଆଶା ପ୍ରକାଶ କରିଥିଲେ। ପଞ୍ଜିକୃତ ଯୁବକ ଯୁବତୀମାନଙ୍କୁ ଯୋଗ୍ୟାତା ଭିତ୍ତିକ ପସନ୍ଦ ଅନୁଯାୟୀ ନିୟୋଜନ ନିମନ୍ତେ ମାଗଣାରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା।