ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ସମୟରେ ଯେତେବେଳେ ଜୀବନ ବଂଚାଇବା ପାଇଁ ସମ୍ମୁଖ ଧାଡ଼ିର ଯୋଦ୍ଧା ମାନେ ସଂଘର୍ଷ କରୁଥିଲେ। ସେତେବେଳେ ସେମାନଙ୍କ ସୁରକ୍ଷା ପାଇଁ ଆସିଥିବା ପିପିଇ କିଟ୍ ବ୍ଲକ କାର୍ଯ୍ୟାଳୟର ଏକ ବନ୍ଦ କୋଠରୀରେ ସଢ଼ୁଥିଲା। ଧାମନଗର ବ୍ଲକ ପରିସରରୁ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଧାମନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏକ ପୁରୁଣା ଘରକୁ ସଫା କରିବା ପାଇଁ ଦୁଇଦିନ ତଳେ ତାଲା ଖୋଲାଯାଇଥିଲା। ତେବେ ତାଲା ଖୋଲିବା ମାତ୍ରେ ଯାହା ଦେଖିବାକୁ ମିଳିଥିଲା, ତାହା ସମସ୍ତଙ୍କୁ ଚକିତ କରିଥିଲା। ସେହି କୋଠରୀ ଭିତରେ ହଜାର ହଜାର ସଂଖ୍ୟାରେ ପିପିଇ କିଟ ପ୍ୟାକିଂ ହୋଇ ପେଟିର ପାହାଡ଼ ଭଳି ଗଦା ହୋଇ ରହିଥିଲା। କରୋନା ସମୟରେ ଲୋକଙ୍କ ଜୀବନ ରକ୍ଷା ପାଇଁ ଆସିଥିବା ଏହି ଦାମୀ କିଟ ଗୁଡ଼ିକ ଦୀର୍ଘ ଦିନ ଧରି ବ୍ୟବହାର ନହୋଇ ସେମିତି ପଡ଼ି ରହିଥିଲା। କାଳେ କିଏ ଜାଣି ନେବ ସେଥିଲାଗି ସଫା କରୁଥିବା କର୍ମଚାରୀଙ୍କୁ ଲଗେଇ ବ୍ଲକର ଜଣେ ଅଧିକାରୀ ସେସବୁକୁ ଗାଏବ କରିବାକୁ ଉଦ୍ୟମ କରିଥିଲେ। ହେଲେ କିଛି ସେଠାରେ ସାମ୍ବାଦିକ ପହଂଚି ଯିବାରୁ ସେସବୁକୁ ସେଇଠି ରଖିଥିଲେ। ଆଉ ଅନ୍ୟ କର୍ମଚାରୀଙ୍କ ଜରିଆରେ ଡକେଇ ପଟେଇ ରିକ୍ସା ଚାଳକ, ଅଟୋ ଚାଳକ ଓ ସାଧାରଣ ଲୋକଙ୍କୁ ବାଂଟି ଦେଇଥିଲେ। ଏହା ପରେ ବି ଆହୁରି ଶହ ଶହ ସଂଖ୍ୟାର ପିପିଇ କିଟ୍ ପଡ଼ି ରହିଥିଲା। ୨୦୨୦ ମାର୍ଚ୍ଚରେ କରୋନା ସଂକ୍ରମଣ ବ୍ୟାପିବା ପରେ ରାଜ୍ୟ ସରକାର ଓ ଓଡ଼ିଶା ରାଜ୍ୟ ଔଷଧ ନିଗମ ପକ୍ଷରୁ ବିପୁଳ ପରିମାଣର ପିପିଇ କିଟ୍, ମାସ୍କ ଓ ଏନ୍-୯୫ ମାସ୍କ କ୍ରୟ କରାଯାଇଥିଲା। ଗୋଟିଏ ପିପିଇ କିଟ୍ର ମୂଲ୍ୟ ପ୍ରାୟ ୧୦୮୭ ଟଙ୍କା ରହିଥିବା ବେଳେ ଜୁନ୍ ୨୦୨୦ ସୁଦ୍ଧା ରାଜ୍ୟ ପାଖରେ ୮.୬୩ ଲକ୍ଷରୁ ଅଧିକ କିଟ୍ ମହଜୁଦ ଥିଲା। ଆଉ ସେସବୁ ଭିତରୁ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟକୁ ପଠାଯାଇଥିଲା। ଧାମନଗର ବ୍ଲକରେ ମଧ୍ୟ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ପୋଲିସ କର୍ମଚାରୀଙ୍କ ପାଇଁ ଏହି କିଟ୍ ଆସିଥିଲା। ପ୍ରଶିକ୍ଷଣ ଅଭାବ ଓ ବ୍ୟବହାର ଜାଣି ନଥିବାରୁ ବ୍ଲକ ପ୍ରଶାସନ ସେତେବେଳେ ଏଗୁଡ଼ିକୁ ବାଂଟି ନପାରି ଗୋଟିଏ ଘର ଭିତରେ ଷ୍ଟକ ରଖିଥିଲେ। ଏପରିକି ସେତେବେଳେ ଅଭିଯୋଗ ହୋଇଥିଲା ଯେ, କ୍ୱାରେଂଟାଇନ୍ ସେଂଟରରେ କାର୍ଯ୍ୟରତ କର୍ମଚାରୀମାନେ କିଟ୍ ଅଭାବରୁ ସଂକ୍ରମିତ ହୋଇଥିଲେ। ସରପଂଚ ଓ ୱାର୍ଡ ମେମ୍ବର ଙ୍କ ଭଳି ସମ୍ମୁଖ ଯୋଦ୍ଧା ମାନେ ସୁରକ୍ଷା ଉପକରଣ ନପାଇ ଜୀବନକୁ ବିପଦରେ ପକାଇଥିଲେ।ପ୍ରଶ୍ନ ଉଠୁଛି ଯଦି ସରକାରୀ ଅର୍ଥରେ ଏତେ ପରିମାଣର ସାମଗ୍ରୀ ଆସିଥିଲା, ତେବେ ତାହାକୁ ବ୍ୟବହାର ନକରି ଏକ କୋଠରୀରେ ତାଲା ପକାଇ ରଖିବା ପଛରେ ଦାୟୀ କିଏ! ଭଦ୍ରକ ଜିଲ୍ଲାରେ ୨୦୨୨ ସୁଦ୍ଧା ପ୍ରାୟ ୩୦ ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ ଧାମନଗରର ଏହି ଘଟଣା ଏବେ ପ୍ରଶାସନିକ ଅବହେଳାର ଏକ ବଡ଼ ନମୁନା ଭାବେ ଉଭା ହୋଇଛି। ଏବେ ସାଧାରଣରେ ପ୍ରଶ୍ନ ଉଠୁଛି, ଜନସାଧାରଣଙ୍କ ଟିକସ ପଇସାରେ କିଣା ଯାଇଥିବା ଏହି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହେବା ପଛରେ ଦାୟୀ କିଏ! ଏ ଦିଗରେ ତଦନ୍ତ ର ଆବଶ୍ୟକ ରହିଛି ବୋଲି ବିଭିନ୍ନ ମହଲ ରୁ ଦାବି ହୋଇଛି!