Odiapua.com

ତାଳଚେର ମେଡ଼ିକାଲ କଲେଜ ଆରମ୍ଭ ପାଇଁ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

– ଏସ୍ଟାବ୍ଲିସମେଣ୍ଟ ଏବଂ ଅପରେଟିଂ ଖର୍ଚ୍ଚ MCL ଦେବ
– କଲେଜ ଏବଂ ଡାକ୍ତରଖାନା ପରିଚାଳନା କରିବେ ରାଜ୍ୟ ସରକାର

ଭୁବନେଶ୍ୱର ୧୨/୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଜି ତାଳଚେର ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ଆରମ୍ଭ କରିବାକୁ ମହାନାଦୀ କୋଇଲଫିଲ୍ଡସ୍ ଲିମିଟେଡ୍ (MCL) ର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ମେଡିକାଲ କଲେଜ ଏବଂ ହସ୍ପିଟାଲ ଚଳାଇବାକୁ ଯାଉଥିବା ବେଳେ ଏମସିଏଲ ଆବଶ୍ୟକୀୟ ପାଣ୍ଠି ଯୋଗାଇବ।

ଅନୁଗୁଳ ଏବଂ ଏହାର ନିକଟବର୍ତ୍ତୀ ଜିଲ୍ଲାବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ହେବ। ଏହି ମେଡିକାଲ କଲେଜ ରାଜ୍ୟରେ ମେଡ଼ିକାଲ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଆହୁରି ଦୃଢ଼ କରିବ।

ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ୍ (MCL) ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲର ପ୍ରତିଷ୍ଠା ତଥା ଚାଲିବା ଦିଗରେ ଅର୍ଥ ପ୍ରଦାନ କରିବ। ରାଜ୍ୟ ସରକାର ପ୍ରଦାନ କରିଥିବା ୨୦ ଏକର ଜମିରେ ଏମସିଏଲ ଏହି ଅନୁଷ୍ଠାନ ନିର୍ମାଣ କରିଛି।

ଏହି ମେଡିକାଲ କଲେଜରେ ବର୍ଷକୁ ୧୦୦ ଟି ସିଟ୍ କ୍ଷମତା ବିଶିଷ୍ଟ ଆଡମିଶନ ରହିବ ଏବଂ ହସ୍ପିଟାଲରେ ୫୦୦ ଶଯ୍ୟା ବିଶିଷ୍ଟ ସୁବିଧା ରହିବ।

ପ୍ରାରମ୍ଭରେ, ପିସିପି ମୋଡ୍ ମାଧ୍ୟମରେ କଲେଜ ଏବଂ ଡାକ୍ତରଖାନା ଚଳାଇବାକୁ MCL ଚେଷ୍ଟା କରିଛି। ପ୍ରକାଶ ଥାଉକି, ପରେ କୋଇଲା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ଆଧାର କରି ଏମସିଏଲ ମେଡିକାଲ କଲେଜ ଏବଂ ହସ୍ପିଟାଲର ଦାୟିତ୍ୱ ତୁଲାଇବା ପାଇଁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଥିଲେ।