Odiapua.com

ତାମିଲନାଡୁରୁ ଉଦ୍ଧାର ହେଲେ ଓଡ଼ିଆ ଶ୍ରମିକ

ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାକିରୀ ଆଶାରେ ଯାଇ ତାମିଲନାଡୁରେ ନିର୍ଯ୍ୟାତିତ ହୋଇ ଫସି ରହିଥିବା ୧୦ଜଣ ଯୁବକ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ପଞ୍ଚାୟତର ୬ଜଣ ଯୁବକ ଓ ତିହିଡି ଅଞ୍ଚଳର ୪ଜଣ ଯୁବତୀଙ୍କୁ ରାହାଞ୍ଜ ସରପଞ୍ଚ ଉର୍ମିଳା ଜେନା ଓ କିଛି ସମାଜସେବୀଙ୍କ ସହାୟତାରେ ତାମିଲନାଡୁରୁ ଉଦ୍ଧାର କରାଯାଇଛି । ମିଳିଥିବା ତଥ୍ୟ ଅନୁଯାୟୀ ତିହିଡି ଥାନା ଅନ୍ତର୍ଗତ ତାଳପଦା ଗ୍ରାମର ଜନୈକ ଯୁବକ ତାମିଲନାଡୁର ସାଲେମ ଜିଲ୍ଲାର ଚିନାଗୁଣ୍ଡପୁରମ୍ ଅଞ୍ଚଳର ଭେଙ୍କଟେଶ୍ୱର ସୂତା ମିଲର ଠିକାଦାର ରୂପେ କାମ କରେ । ଗତ ବର୍ଷ ରାହାଞ୍ଜ ଅଞ୍ଚଳରୁ ସତ୍ୟବ୍ରତ ଦାସ, ଗଜେନ୍ଦ୍ର ଦାସ, ମନୋଜ କୁମାର ଦାସ, ରମେଶ ବେହେରା, ଗଣେଷ ଚନ୍ଦ୍ର ବେହେରା, କ୍ରିଷ୍ଣା ପରିଡା, ସୁଗୋ ଓ ଏରଡା ଅଞ୍ଚଳର ଚାରି ଜଣ ଯୁବତୀଙ୍କୁ ଅଧିକ ମଜୁରୀ ତଥା ଅନ୍ୟାନ୍ୟ ସୁବିଧାର ପ୍ରଲୋଭନ ଦେଖାଇ ସେଠାକୁ କାମ କରାଇବାକୁ ନେଇଥିଲେ । ଏହି ପ୍ରବାସୀ ଶ୍ରମିକ ମାନେ କିଛି ଦିନ କାମ କଲା ପରେ ସପୃକ୍ତ ଠିକାଦାର ଏମାନଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଏମାନଙ୍କୁ ଦରମା ଅଳ୍ପ ଦେଇ ସବୁ ସିଏ ଆତ୍ମସାତ କରୁଥିବା କଥା ଉଦ୍ଧାର ହୋଇଥିବା ଯୁବକ ଯୁବତୀମାନେ ପ୍ରକାଶ କରିଛନ୍ତି । କରୋନା କାଳରେ ଏସମସ୍ତ ଯୁବକଯୁବତୀ ନିର୍ଯ୍ୟାତନା ସହି ଚୁପ ରହିଥିଲେ । କିନ୍ତୁ ଇତିମଧ୍ୟରେ ଫୋନ ଯୋଗେ ସେମାନେ ଏକଥା ଜଣାଇବା ପରେ ସରପଞ୍ଚ ଶ୍ରୀମତୀ ସାହୁ, ଶରତ କବି, ସୁରଥ ସେଠୀ, ଗଦାଧର ଦାସ ଓ ନରି ପରିଡା ଏ ବିଷୟରେ ଗ୍ରାମାଞ୍ଚଳ ଥାନା, ବିଧାୟକ, ସାଂସଦକୁ ଜଣାଇବା ପରେ ଚେନ୍ନାଇର କାରିପଟି ପୁଲିସ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଇ ଘରକୁ ଅଣାଯାଇଥିଲା । କିନ୍ତୁ ପୁଲିସ ସେମାନଙ୍କୁ ଉଦ୍ଧାର କରିବା ସମୟରେ ସଂପୃକ୍ତ ଠିକାଦାର ସେଠାରୁ ଫେରାର ହୋଇଯାଇଥିଲା । ସେଠାରେ ଆହୁରି ଅନେକ ଓଡିଆ ଯୁବକ ଯୁବତୀ ଫସି ରହିଥିବା ବେଳେ, ସେମାନଙ୍କୁ ଓଡିଶା ସରକାର ତଥା ଜିଲ୍ଲା ପ୍ରଶାସନ ଉଦ୍ଧାର କରିବାକୁ ଶ୍ରୀମତୀ ସାହୁ ନିବେଦନ କରିଛନ୍ତି ।