Odiapua.com

ତାଇକୋଣ୍ଡୋ ମୋର ପରିଚୟ-ଚିନ୍ମୟ : ତାଇକୋଣ୍ଡୋ ପରି ସାମରିକ କଳାକୁ ବାଧ୍ୟତାମୂଳକ କରାଯିବା ଉଚିତ୍

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଳା ପ୍ରତି ଅହେତୁକ ଦୁର୍ବଳତା ଥିବା ବ୍ୟକ୍ତିଟିଏ ଚାକିରି କରିବାର ସମସ୍ତ ସୁଯୋଗକୁ ପଛରେ ପକାଇ କଳାକାର ହେବାକୁ ଅଧିକ ପସନ୍ଦ କରିବାର ନଜିର ବହୁତ ରହିଛି । ସେହିପରି ଆଉ ଏକ ଉଦାହରଣ ହେଉଛନ୍ତି ଭଦ୍ରକର ଚିନ୍ମୟ ବେହେରା । ପେଷା ଅଧିକରୁ ଅଧିକ ପିଲାଙ୍କୁ ସାମରିକ କଳାରେ ତାଲିମ ଦେଇ ନିପୁଣ କରିବା । କିନ୍ତୁ ନିଶା ହେଉଛି ନିଜେ ଶିଖିଥିବା କଳାକୁ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଏହାକୁ ଅଧିକରୁ ଅଧିକ ଶାଣିତ କରିବା । ଯାଜପୁର ଏନସି ମହାବିଦ୍ୟାଳୟରୁ ସ୍ନାତକ, ପ୍ରତ୍ନତତ୍ତ୍ୱ ବିଭାଗରେ ବାଣିବିହାରରୁ ସ୍ନାତକୋତ୍ତର ଓ ଏମ ଫିଲ ଡ଼ିଗ୍ରୀ ହାସଲ କରି ଏବେ ଗବେଷଣାରତ ଥିଲେ ମଧ୍ୟ ତାଇକୋଣ୍ଡୋ ପରି ସାମରିକ କଳା ପଛରେ ପଡ଼ି ପାଗଳପ୍ରାୟ ହୋଇ ପଡ଼ିଛନ୍ତି ଚିନ୍ମୟ । ଉଚ୍ଚ ବେତନରେ ଚାକିରି କରିବାର ସମସ୍ତ ସୁଯୋଗ ତାଙ୍କ ନିକଟରେ ରହିଛି, ଏକଥାକୁ ସେ ଭୂଲି ଯାଇଛନ୍ତି । ତାଙ୍କ ସମ୍ମୁଖରେ ଲକ୍ଷ୍ୟ ଗୋଟିଏ । କିପରି ଅଧିକରୁ ଅଧିକ ପିଲାଙ୍କକୁ ଏହି କଳାରେ ଆତ୍ମ ସୁରକ୍ଷାର ତାଲିମ ଦେବେ । ଏହି ଜିଲ୍ଲା ବନ୍ତ ବ୍ଲକ ଅଳମଙ୍ଗା ଗ୍ରାମର ରମାକାନ୍ତ ବେହେରାଙ୍କ ପୁତ୍ର ଚିନ୍ମୟ । ବିଦ୍ୟାଳୟରେ ପଢ଼ିବା ସମୟରେ ଥିଲେ ଜଣେ ମେଧାବୀ ଛାତ୍ର । କିନ୍ତୁ ଖେଳ ପ୍ରତି ଥିଲା ଅହେତୁକ ଦୁର୍ବଳତା । ତେଣୁ ସେ ଆରମ୍ଭରୁ ସ୍କୁଲ ଓ ପରେ କଲେଜସ୍ତରୀୟ ଆଥଲେଟିକ ମିଟ୍‌ରେ ଭାଗ ନେଉ ନେଉ ତାଇକୋଣ୍ଡୋ ପରି ଏକ ସାମରିକ କଳା ପ୍ରତି ଅଧିକ ଆକୃଷ୍ଠ ହୋଇପଡ଼ିଥିଲେ । ଦିଲ୍ଲୀ ଗ୍ରୀନପାର୍କର ଅନୁଜ ଶର୍ମାଙ୍କ ଠାରୁ ପ୍ରଶିକ୍ଷଣ ନେଇ ତାଇକୋଣ୍ଡୋ ଖେଳରେ ମନୋବିବେଶ କଲେ । ପରବର୍ତ୍ତୀ ସମୟରେ ଏହି ସାମରିକ ବିଦ୍ୟାରେ ପାହାଚ ପରେ ପାହାଚ ଚଢ଼ି ଇତିମଧ୍ୟରେ ଚିନ୍ମୟ ଦକ୍ଷିଣ କୋରିଆର କ୍ୟୁଂହି ବିଶ୍ୱିବିଦ୍ୟାଳୟରୁ ୪ର୍ଥ ଡାନ ବ୍ଲାକ ବେଲଟ୍‌ର ଉପାଧି ପାଇ ସାରିଛନ୍ତି । ପ୍ରତ୍ନତତ୍ତ୍ୱ ବିଭାଗରେ ଗବେଷଣାରତ ହୋଇ ମଧ୍ୟ ସେ ଏହି କଳାକୁ ଭୁଲି ପାରୁ ନାହାନ୍ତି ।

୨୦୧୯ ମସିହାରେ ଜାତୀୟ ତାଇକୋଣ୍ଡୋ ଚମ୍ପିୟାନସିପରେ ସ୍ୱର୍ଣ୍ଣ ପଦକ ଜିତିବା ହେଉ କିମ୍ବା ୨୦୧୭ ମସିହାରେ ଥାଇଲାଣ୍ଡ, ୨୦୧୬ ମସିହାରେ ଭୂଟାନ ଠାରେ ଅନୁଷ୍ଠିତ ଆର୍ନ୍ତଜାତୀୟ ତାଇକୋଣ୍ଡୋ ଚମ୍ପିୟାନସିପ୍ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ବିଜୟୀ ହେବା ଚିନ୍ମୟଙ୍କ ଏହି କ୍ଷେତ୍ର ପ୍ରତି ଥିବା ଦୃଢ଼ ପ୍ରତିଶ୍ରୁତିବଦ୍ଧତା ଓ ପ୍ରବଳ ଦୁର୍ବଳତା ସମ୍ପର୍କରେ ସୂଚାଇ ଥାଏ । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଆତ୍ମସୁରକ୍ଷା ପାଇଁ ସାମରିକ କଳା ତାଲିମ ନେବା ଜରୁରୀ । ଆଜିର ପିଲାମାନେ ଓ ସେମାନଙ୍କ ଅଭିଭାବକ ବି ଏହାର ଗୁରୁତ୍ୱ ବୁଝୁଛନ୍ତି । ମୋର ସମସ୍ତ ସମୟ ତାଲିମରେ କଟୁଛି । ଆଜି ପର୍ଯ୍ୟନ୍ତ ୨ହଜାରରୁ ଉର୍ଦ୍ଧ୍ୱ ପିଲାମାନଙ୍କୁ ମୁଁ ଏହି କ୍ଷେତ୍ରରେ ତାଲିମ ଦେଇ ସାରିଲିଣି । ଲକଡାଉନ ପାଇଁ ତାଲିମ ବନ୍ଦ ରହିଛି । କିନ୍ତୁ ଜିଲ୍ଲା ଆସୋସିଏସନ ଅଧିନରେ ଜିଲ୍ଲାର ୬ଟି ସ୍ଥାନରେ ଏବେ ବି ମୋର ୨ଶହ ଛାତ୍ରଛାତ୍ରୀ ଅଛନ୍ତି । ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଏହି ଶିକ୍ଷାକୁ ଦ୍ୱିତୀୟ ଶ୍ରେଣୀଭୂକ୍ତ କରିଥିଲେ ମଧ୍ୟ ବହୁ ଛାତ୍ରଛାତ୍ରୀ ସରକାରଙ୍କ ବୃତ୍ତି ପାଇବାକୁ ସକ୍ଷମ ହୋଇଛନ୍ତି । ନୂତନ ଜ୍ଞାନ କୌଶଳ ପ୍ରୟୋଗ ଦ୍ୱାରା ମୋର ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରିବାକୁ ଲକ୍ଷ ରଖିଛି ବୋଲି କୁହନ୍ତି ଚିନ୍ମୟ । ତେବେ ମୋର ବହୁ ଛାତ୍ର ଛାତ୍ରୀ ପୁଲିସ ଓ ସାମରିକ ବିଭାଗରେ ଚାକିରି ପାଇବାକୁ ସକ୍ଷମ ହୋଇଛନ୍ତି । ଏହି ବିଦ୍ୟାକୁ କ୍ୟାରିଅର କରି ଆରାମରେ ବଞ୍ଚି ହେବ । ଯଦି ସରକାର ଏହି ବିଦ୍ୟାକୁ ସ୍ମୁଲସ୍ତରରୁ ବାଧ୍ୟତାମୂଳକ କରନ୍ତେ ତେବେ ବହୁତ ଲାଭପ୍ରଦ ହୁଅନ୍ତା ବୋଲି ଚିନ୍ମୟଙ୍କ ମତ । ଯେତେବେଳେ ମୋର ଛାତ୍ରଛାତ୍ରୀ ତାଇକୋଣ୍ଡୋ କ୍ଷେତ୍ରରେ ବୃତ୍ତି ହାସଲ କରନ୍ତି ଓ କୌଣସି ଚାକିରି ପାଆନ୍ତି, ତାହିଁ ମୋ ପାଇଁ ସବୁଠାରୁ ଖୁସିର ମୁହୂର୍ତ୍ତ ହୋଇଥାଏ । ମୂଳ ଶିକ୍ଷାଗତ ଯୋଗ୍ୟତାରେ ମୁଁ କିଛି ପଛରେ ପଡ଼ିନାହିଁ । କିନ୍ତୁ ତାଇକୋଣ୍ଡୋକୁ ନେଇ ମୋର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ଯାହାକି ମୋତେ ଆନନ୍ଦ ଦେଇଆସିଛି । ଏହି ପରିଚୟ ନେଇ ସାରା ଜୀବନ ବଞ୍ଚିବାକୁ ଚାହେଁ ବୋଲି କୁହନ୍ତି ଚିନ୍ମୟ ।