Odiapua.com

ତଳାଙ୍ଗ ରାଜସ୍ୱ ଗ୍ରାମକୁ ଏକ ସ୍ୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ତଳାଙ୍ଗ ରାଜସ୍ୱ ଗ୍ରାମ ସ୍ୱାଧୀନତା ପର ଠାରୁ ଆମ୍ବରୋଳି ଗ୍ରାମ ପଞ୍ଚାୟତ ଅଧିନରେ ଥିବାବେଳେ, ତଳାଙ୍ଗ ଗ୍ରାମର ଅଧିବାସୀ, ଅସହାୟ ମହିଳା, ଶାରିରୀକ ବିକଳାଙ୍ଗ, ବୃଦ୍ଧା, ବୟସ୍କ ମହିଳା ଏବଂ ପ୍ରସୁତୀ ମହିଳା ପ୍ରମୁଖ ସେମାନଙ୍କର ବାସ୍ତବ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଦୀର୍ଘ ପାଞ୍ଚ କିଲୋମିଟର ଦୂରରେ ଥିବାରୁ ଯାତାୟତ ପାଇଁ ଘୋର ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ । ଏଥିପାଇଁ ସେମାନଙ୍କର ମୌଳିକ ସମସ୍ୟାରୁ ବଞ୍ôଚତ ହେଉଥିବାରୁ ତଳାଙ୍ଗ ଗ୍ରାମର ଅଧିବାସୀ ଏକ ସ୍ୱତନ୍ତ୍ର ନୂତନ ଗ୍ରାମ ପଞ୍ଚାୟତର ମାନ୍ୟତା ଦେବାପାଇଁ ସରକାରଙ୍କ ଠାରେ ଦୀର୍ଘ ଦିନ ଧରି ଦୃଢ଼ ଦାବି କରି ଆସୁଥିଲେ । ବାରମ୍ବାର ଲିଖିତ ଦାବିପତ୍ର ସରକାରଙ୍କୁ ଦିଆଯାଇଥିଲେ ମଧ୍ୟ ସେମାନଙ୍କର ଦାବିମୁତାବକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଫଳରେ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବାଧ୍ୟହୋଇ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ଆଗତ ହୋଇଥିଲା । ଜଷ୍ଟିସ୍ ସି.ଆର. ଦାଶଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଏଭଳି ଏକ ସମ୍ବେଦନଶୀଳ ମାମଲାକୁ ଗୁରୁତ୍ୱର ସହିତ ଗ୍ରହଣ କରି ଭାରତୀୟ ସମ୍ବିଧାନିକ ଧାରା ୨୨୬ ଓ ୨୨୭ରେ ଓଡ଼ିଶା ଗ୍ରାମ ପଞ୍ଚାୟତ ରୁଲ ୧୯୬୪, ଅଣ୍ଡର ସେକ୍ସନ ୩(୩) ଓ ୪(୧) ବିଧିବ୍ୟବସ୍ଥାକୁ ଭିତ୍ତିକରି ରାଜ୍ୟ ପଞ୍ଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଏକ ନିର୍ଦ୍ଦେଶନାମା ଜାରିକରିଛନ୍ତି ।

ଉକ୍ତ ନିର୍ଦ୍ଦେଶନାମା ପାଇବାର ତିନିମାସ ମଧ୍ୟରେ ସମସ୍ତ ରେକର୍ଡ଼ପତ୍ର ଯାଞ୍ଚକରି ଚୁଡ଼ାନ୍ତ ନିଷ୍ପତ୍ତି ନେବାକୁ ଏକ ଐତିହାସିକ ରାୟରେ ଘୋଷଣା କରିଛନ୍ତି । ଏହି ଜନସ୍ୱାର୍ଥ ମାମଲାର ଏକ ନଅଜଣିଆ ପିଟିସନର ଭାବେ “ ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ”ର ରାଜ୍ୟ ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ମହିଳା ସଦସ୍ୟା ସ୍ନେହଲତା ପାଣିଗ୍ରାହୀ, ଗୀତାଞ୍ଜଳି ରାଉତ ସମେତ ରଙ୍ଗାଧର ମଲିକ, ରବିନ୍ଦ୍ର କୁମାର ବାରିକ, ସୁଜିତ୍ କୁମାର ରାଉତ, ବୃନ୍ଦାବନ ସୁତାର ଇତ୍ୟାଦି ଥିବାବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଏହି ଐତିହାସିକ ରାୟକୁ ଉଚ୍ଚ ପ୍ରଶଂସା କରି ଗଭୀର କୃତଜ୍ଞତା ଜଣାଇଛନ୍ତି । ଏହି ପ୍ରତିନିଧିଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ଶଶୀଭୁଷଣ ଜେନା ମାମଲାକୁ ପରିଚାଳନା କରୁଥିବାବେଳେ ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ୍ ଜେନେରାଲ ଅଶୋକ ପରିଜା ପରିଚାଳନା କରୁଥିଲେ । ତେବେ ତଳାଙ୍ଗବାସୀଙ୍କ ଏହି ଦୀର୍ଘ ଦିନର ଅଧୁରା ସ୍ୱପ୍ନକୁ ଆଜି ବାସ୍ତବରେ ସାକାର କରାଯାଇଥିବାରୁ ଶ୍ରୀ ପଣ୍ଡାଙ୍କୁ ଧନ୍ୟବାଦ , ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନର ରାଜ୍ୟ ସଭାପତି ପ୍ରଦୀପ ସେନାପତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ତଳାଙ୍ଗ ରାଜସ୍ୱ ଗ୍ରାମକୁ ଏକ ସ୍ୱତନ୍ତ୍ର ଗ୍ରାମପଞ୍ଚାତର ମାନ୍ୟତା ଦେଇ ଯଥାଶିଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସରକାରୀ ସ୍ତରରେ ଏକ ବିଜ୍ଞପ୍ତ ଘୋଷଣା କରିବା ପାଇଁ ଏକ ଚିଠି ଲେଖି ଦୃଢ଼ଦାବି କରିଛନ୍ତି ।