Odiapua.com

ତଳକାଁପଡ଼ାରେ ଗୋଷ୍ଠୀ ସଂଘର୍ଷ, ବୋମା ମାଡ଼ରେ ୧୪ ଆହତ, ୪ ଗୁରୁତର, ଏସ୍‌ପିଙ୍କ ତଦନ୍ତ, ସାଇଂଟିଫିକ୍ ଟିମ୍‌ର ଅନୁଧ୍ୟାନ

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଂଚାୟତ ଅଧୀନ ତଳ କାଁପଡ଼ା ଗ୍ରାମରେ ବୁଧବାର ରାତିରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ପରେ ବୋମା ମାଡ଼ ହୋଇଥିଲା। ଏହି ବୋମା ମାଡ଼ରେ ଗୋଟିଏ ପକ୍ଷର ବଳରାମ ମଳିକ, ରମେଶ ମଳିକ, ରଶ୍ମିତା ଦାସ, ଭାରତୀ ଦାସ, ସୁବାସ ଦାସ, ମାମା ମଳିକ, ମୁକ୍ତିକାନ୍ତ ଦାସ, ଅଚ୍ୟୁତ ମଳିକ ଆହତ ହୋଇଥିବା ବେଳେ ବଳରାମ ମଳିକ, ରମେଶ ମଳିକ ଓ ଭାରତୀ ଦାସ ଗୁରୁତର ଆହତ ହୋଇ କଟକ ଓ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଆହତମାନେ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷ ଗୋଷ୍ଠୀର ପ୍ରଦୀପ ଦାସ, ସୁବ୍ରତ ଦାସ, ଅନୁଚରଣ ଦାସ, ବୃନ୍ଦାବତୀ ଦାସ, ହେମନ୍ତ ଦାସ, କାଶିନାଥ ଦାସ ଆହତ ହୋଇ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଗୁରୁବାର ସକାଳେ ଏସପି ମଡ଼କର ସନ୍ଦୀପ ସମ୍ପଦ ତଳକାଁପଡ଼ା ଗ୍ରାମର ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବା ବେଳେ ଭଦ୍ରକ ସାଇଂଟିଫିକ୍ ଟିମ୍ ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଏସପି ଶ୍ରୀ ସମ୍ପଦଙ୍କ ସହିତ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ପୁଲିସ ଏସଡିପିଓ ତ୍ରିଲୋଚନ ସେଠୀ, ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ପୁଲିସ ପକ୍ଷରୁ ଏଏସଆଇ ଚିତରଂଜନ ବାରିକଙ୍କ ଏତଲା ମୂଳେ ଏନେଇ ଏକ ମକଦ୍ଦମା ୧୪୫/୨୫ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ କରାଯାଉଛି। ଗ୍ରାମରେ ପରିସ୍ଥିତିକୁ ଲକ୍ଷ୍ୟ କରାଯାଇ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏ ସମ୍ପର୍କରେ ଏସଡିପିଓ ତ୍ରିଲୋଚନ ସେଠୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ପରିସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରହିଛି। ଶାନ୍ତି ଶୃଙ୍ଖଳା ପାଇଁ ୧ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।