Odiapua.com

ତଥ୍ୟକୁ ଲୁଚାଇ ରାମଜୀ ମନ୍ଦିରର ଜମି ହଡ଼ପ ପାଇଁ ଉଦ୍ୟମ ଚାଲିଛି

ସମ୍ବଲପୁର, ୭/୧୧ – (ଓଡ଼ିଆ ପୁଅ) ସ୍ଥାନୀୟ ଫାର୍ମ ରୋଡ଼ରେ ଥିବା ଚେରୁଆପଡ଼ାର ରାମଜୀ ମହାପ୍ରଭୁଙ୍କ ୩ ଏକଡ଼ ୧୪ ଡ଼ିସିମିଲ ମୂଲ୍ୟବାନ ଜମିକୁ ହଟଚମଟ କରି, ତଥ୍ୟ ଲୁଚାଇ ହଡ଼ପ କରିବାର ସମସ୍ତ ଉପକ୍ରମ ଚାଲିଥିବା ଅଭିଯୋଗ କରି ପୋଲିସ ପ୍ରଶାସନକୁ ଏଭଳି ଷଡ଼ଯନ୍ତ୍ରମୂଳକ କାର୍ଯ୍ୟରୁ ନିଜକୁ ପୃଥକ କରିବା ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ଏବଂ ଅନ୍ୟାନ୍ୟ ପକ୍ଷରୁ ଅନୁରୋଧ କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ଦିର ଟ୍ରଷ୍ଟ, ରାମ ମନ୍ଦିର ବଞ୍ଚାଅ ସମିତି, ବିଶ୍ୱହିନ୍ଦୁ ପରିଷଦ ଏବଂ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ଯଥା ସୁଧାଂଶୁ, ଦେବରାଜ ପଟେଲ, ଅଶ୍ୱିନୀ ସ୍ୱାଇଁ, ପ୍ରଦୀପ ବହିଦାର, ବିଧାୟକ ନାଉରୀ ନାଏକ ପ୍ରମୁଖ କହିଛନ୍ତି ଯେ, ଏହି ଜମି ୧୯୨୩ ମସିହାରୁ ମହାପ୍ରଭୁଙ୍କ ନାମରେ ରହିଛି। କିନ୍ତୁ ତଥ୍ୟ ଲୁଚାଇ ଜଣେ ବ୍ୟକ୍ତି ଏହି ଜମିକୁ ନିଜ ନାମରେ ରେଜିଷ୍ଟ୍ରୀ କରାଇ ନେଇଛନ୍ତି। ନିଜର ରାଜନୈତିକ ପ୍ରଭାବ ଏବଂ ଅର୍ଥବଳରେ ସେ ପୋଲିସ ପ୍ରଶାସନ ଉପରେ ପ୍ରଭାବ ପକାଇ ଏହାରି ସହଯୋଗରେ ଜମିକୁ ହାତେଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏହି ଜମି ଉପରେ ଉକ୍ତ ବ୍ୟକ୍ତି ମାନ୍ୟବର ହାଇକୋର୍ଟଙ୍କ ନିକଟକୁ ଯାଇ ବହୁ ତଥ୍ୟ ଲୁଚାଇ ରେଜିଷ୍ଟ୍ରୀ ପାଇଁ ଆଦେଶ ଆଣିଛନ୍ତି। ଏହା ଉପରେ ମନ୍ଦିର ପକ୍ଷରୁ ହାଇକୋର୍ଟରେ ଗୋଟିଏ ଆମେଣ୍ଡମେଣ୍ଟ ଏବଂ ଗୋଟିଏ ଇଞ୍ଜେକସନ ମାମଲା ଦାୟର କରାଯାଇଛି। ଏହା ବିଚାରାଧୀନ ଥିବା ବେଳେ ଏବେ ପୋଲିସର ସାହାଯ୍ୟ ନେଇ ଡରାଇ ଧମକାଇ ଜାଗା ଖାଲି କରିବା ପାଇଁ ଉଦ୍ୟମ ଚାଲିଛି। ତେବେ ଏଥିରୁ କ୍ଷାନ୍ତ ରହିବା ପାଇଁ ପୋଲିସକୁ ଅନୁରୋଧ କରିବା ସହିତ ବିଭିନ୍ନ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ରାମଜୀ ମନ୍ଦିରର ଜମିକୁ ନେଇ ଲଢ଼େଇ ଜାରି ରହିବ।